ରାଜୁଆ-ଦୟାରେ ୪ରୁ ଅଧିକ ଘାଇ

ତିରିମଲଠାରେ ୩୦୦ ଫୁଟର ଘାଇ; ଜଟଣୀ, ଖୋର୍ଦ୍ଧା ଓ ପୁରୀ କଣାସ ବ୍ଲକ୍‌ର ୫ ହଜାର ଚାଷଜମି କ୍ଷତିଗ୍ରସ୍ତ

ଖୋର୍ଦ୍ଧା : ଲଗାଣ ବର୍ଷା ହେଲେ ନଦୀରେ ବଢ଼ି ଆସିବ, ଏହା ସ୍ବାଭାବିକ କଥା। ମହାନଦୀରେ ପଛୁଆ ପାଣିରେ ଖୋର୍ଦ୍ଧାର ରାଜୁଆ, ଦୟା, ମଲାଗୁଣି, ମକରା ଆଦି ନଦୀ ନିକଟବର୍ତ୍ତୀ ଅଞ୍ଚଳର ଚାଷଜମିରେ ବଢ଼ି ପାଣି ମାଡ଼େ। ଏହା ମଧ୍ୟ ଏକ ନିୟମିତ ଘଟଣା। କିନ୍ତୁ, ଚଳିତବର୍ଷ ମହାନଦୀରେ ଆସିଥିବା ବନ୍ୟା ଓ ପଛୁଆ ପାଣିରେ ଖୋର୍ଦ୍ଧା ବ୍ଲକ୍‌ର ବିଭିନ୍ନ ଶାଖାନଦୀରେ ଯେଉଁଭଳି ଘାଇ ସୃଷ୍ଟି ହୋଇଛି, ତାହା ପ୍ରଶାସନର ସମସ୍ତ ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ବର୍ଷାଋତୁ ପୂର୍ବରୁ ଦୁର୍ବଳ ନଦୀବନ୍ଧ ଠାବ କରିବା, ମରାମତି କରିବା ଆଦି ନେଇ ପ୍ରସ୍ତୁତି ବୈଠକ, ଯୋଜନା ଓ କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ ସତ୍ତ୍ବେ ଘାଇପାଣି ସେସବୁକୁ ଭସାଇ ନେଇଛି।

ହାତ ଟେକି ବସିଛି ପ୍ରଶାସନ, ଭଗବାନ ଭରସା

ଗତକାଲି ରାତି ପ୍ରାୟ ୮ଟା ବେଳେ ରାଜୁଆ–ଦୟା ନଦୀରେ ତିରିମଲଠାରେ ଘାଇ ସୃଷ୍ଟି ହୋଇଥିଲା। ବଢ଼ି ପାଣିର ବେଗ ଏତେ ତୀବ୍ର ଥିଲା ଯେ ୧୧ଟା ବେଳକୁ ଘାଇ ୧୦୦ ଫୁଟକୁ ବଢ଼ିଯାଇଥିଲା। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜଳସେଚନ ବିଭାଗ ଯନ୍ତ୍ରୀ, ପୁଲିସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାଲିବସ୍ତା ପକାଇ ଘାଇକୁ ବାନ୍ଧିବାକୁ ଚେଷ୍ଟା କରିଥିଲେ। ମାତ୍ର, ବିଫଳ ହୋଇଥିଲେ। ଆଜି ସକାଳେ ଏହି ଘାଇ ୩ ଶହ ଫୁଟକୁ ବୃଦ୍ଧି ପାଇଛି। କେବଳ ଏହି ଗୋଟିଏ ଘାଇ ନୁହେଁ, ଏହି ପାଣି ତଳମୁଣ୍ତରେ ପହଞ୍ଚି ଅଣ୍ତା–ମନ୍ଦାରବସ୍ତ ରାସ୍ତାର କଣ୍ଟାବଣିଆ ନିକଟରେ ୩ଟି ବଡ଼ ଘାଇ ସୃଷ୍ଟି କରିଛି। ପାଣି କ୍ରମାଗତ ବୃଦ୍ଧି ପାଉଥିବା ଓ ମାଟି ଖସୁଥିବାରୁ ଘାଇର ଆକାର ରାତି ମଧ୍ୟରେ ବଢ଼ିଯିବା ସମ୍ଭାବନା ରହିଛି। ଏହି ଘାଇ ଦ୍ବାରା ଜଟଣୀ, ଖୋର୍ଦ୍ଧା ଓ ପୁରୀ କଣାସ ବ୍ଲକ୍‌ର ପ୍ରାୟ ୫ ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଖୋର୍ଦ୍ଧାରେ ରାଜୁଆ, ଦୟା ନଦୀରେ ସୃଷ୍ଟି ହୋଇଥିବା ୫ରୁ ଊର୍ଦ୍ଧ୍ବ ଛୋଟବଡ଼ ଘାଇକୁ ନେଇ ପ୍ରଶାସନ ହାତ ଟେକି ଦେଇଛି। କେବଳ ଏହା ନୁହେଁ, ଖୋର୍ଦ୍ଧା ଓ ଜଟଣୀ ବ୍ଲକ୍‌ରେ ଘାଇ ଦ୍ବାରା କେତେ ପରିମାଣରେ ଚାଷଜମି ନଷ୍ଟ ହୋଇଛି ସେ ନେଇ କୃଷି ବିଭାଗ କିମ୍ବା ରାଜସ୍ବ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ। ଘାଇ ମରାମତି ନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଏବେ କିଛି କରିହେବନି କେବଳ ଭଗବାନ ଭରସା। ଯଦି ମହାନଦୀରୁ ବଢ଼ି ପାଣି ହ୍ରାସ ପାଏ , ତେବେ ଯାଇ ଉଦ୍ଧାର ମିଳିବ।

ସମ୍ବନ୍ଧିତ ଖବର