କଟକ : ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ପବିତ୍ର ଉତ୍କଳ ଦିବସ ଅବସରରେ ତାଙ୍କ ନାମରେ ନାମିତ ‘ଉତ୍କଳ ଗୌରବ ମଧୁସୂଦନ’ ରାଜ୍ୟର ଭିତ୍ତିଭୂମି ବିକାଶରେ ଆଉ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀରେ ଚହଟାରୁ ନୂଆପାଟଣାକୁ ସଂଯୋଗ କରୁଥିବା ଏହି ସେତୁ ଭୁବନେଶ୍ୱରରୁ ଢେଙ୍କାନାଳର ଦୂରତା ୧୬ କିଲୋମିଟର ହ୍ରାସ ପାଇବ। ଧବଳେଶ୍ୱରଙ୍କ ପୀଠକୁ ଭକ୍ତମାନେ ସୁବିଧାରେ ଯାତାୟତ କରିପାରିବେ ବୋଲି ସେତୁର ଲୋକାର୍ପଣ ପରେ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ସେତୁ ପାଇଁ ୧୫୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଓଡିଶାବାସୀଙ୍କର। ଓଡିଶାର ସେବା ପାଇଁ ସରକାର ବଦ୍ଧ ପରିକର ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଆଗୁଆ ଥିବା କହିଥିଲେ। ଗରିବ କଲ୍ୟାଣ ତଥା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଯୋଗୁ ଓଡିଶା ଆଜି ଆଦର୍ଶ ରାଜ୍ୟରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିିବା ସହ ଜନସାଧାରଣ ଆଶୀର୍ବାଦ ତଥା ସହଯୋଗ ଜାରି ରଖିବାକୁ ଅନୁରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚିବ ନଳିନୀକାନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସ୍ୱାସ୍ଥ୍ୟ ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ସଭାପତିତ୍ୱ କରି ମଧୁବାବୁଙ୍କ ନାମରେ ନାମିତ ଏହି ସେତୁ ପ୍ରତ୍ୟେକ ଓଡ଼ିିଆଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୂର୍ତ୍ତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସେତୁ ଯୋଗୁଁ ଢେଙ୍କାନାଳ, କାମାକ୍ଷାନଗର, ତାଳଚେର ଆଦି ଅଞ୍ଚଳକୁ ଗମନାଗମନ ସହଜ ହୋଇପାରିବ ଏବଂ ଭିଡ଼ ହ୍ରାସ ପାଇବା ସହ ଦୁର୍ଘଟଣା ମଧ୍ୟ କମିବ ବୋଲି କହିଥିଲେ। ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ ଯେ ଏହି ସେତୁ ଦ୍ୱାରା ଓଡିଶାର ୧୨ଟି ଜିଲ୍ଲାର ଲୋକ ଉପକୃତ ହେବେ। ଦକ୍ଷିଣ ଓଡ଼ିିଶାର ଲୋକେ ଏହି ବାଟ ଦେଇ କେନ୍ଦ୍ର ଓଡ଼ିିଶାକୁ ସହଜରେ ଯାଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ, ଜଗତସିଂପୁର ସାଂସଦ ଡକ୍ଟର କୁଳମଣୀ ସାମଲ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଡକ୍ଟର ପ୍ରମୋଦ ମଲ୍ଲିକ, ନିର୍ମାଣ ଶ୍ରମିକ ନିଗମ ଅଧ୍ୟକ୍ଷ ସୁବାସ ସିଂ, ମେୟର ମିନାକ୍ଷୀ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, କଟକ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ସିଂ, କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ଘାଟନ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବନିର୍ମିତ ସେତୁରେ ଚାଲିଚାଲି କିଛି ବାଟ ଯାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ସେତୁର ନୂଆପାଟଣା ପାର୍ଶ୍ୱକୁ ଯାଇ ସେଠାରେ ଫଳକ ଉଦ୍ଘାଟନ କରିଥିଲେ।
ଉଲ୍ଲେଖଯୋଗ୍ୟ, ନବନିର୍ମିତ ଉତ୍କଳ ଗୌରବ ମଧୁସୂଦନ ସେତୁର ଲମ୍ବ ୨ କିମି ୫୮୩ ମିଟର ଓ ଏହାର ଚଉଡା ରହିଛି ୧୪.୮ ମିଟର। ଏହି ସେତୁ ନିର୍ମାଣ ପାଇଁ ୧୫୭.୪୭ କୋଟି ଟଙ୍କା ବ୍ୟୟ ହୋଇଛି। ୨୦୧୫ ଅକ୍ଟୋବର ୨୬ରେ ଏହାର ଶିଳାନ୍ୟାସ ହୋଇଥିବାବେଳେ ୩୦ ମାସ ମଧ୍ୟରେ କାର୍ଯ୍ୟଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। କିନ୍ତୁ ଅବଧିର ପାଖାପାଖି ଏକମାସ ପୂର୍ବରୁ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି।