କଣ୍ଟାବାଞ୍ଜିରୁ ବି ଲଢ଼ିବେ ନବୀନ: ୪ ବିଧାୟକଙ୍କ ଟିକେଟ କଟିଲା

ପ୍ରସନ୍ନ-ରୋହିତଙ୍କ ଆସନ ଅଦଳବଦଳ, ଆଉ ୯ ଆସନରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ମଧ୍ୟ ଦୁଇଟି ଆସନରେ ନିର୍ବାଚନ ଲଢ଼ିବେ। ହିଞ୍ଜିଳି ସହ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହେବେ। ପଶ୍ଚିମ ଓଡ଼ିଶାରେ ବିଜେପିର ବିଜୟରେ ବ୍ରେକ୍ ଲଗାଇବାକୁ ବିଜେଡି ସୁପ୍ରିମୋ ଏହି ରଣନୀତି କରିଥିବା କୁହାଯାଉଛି। ଗତ ଥର ମଧ୍ୟ ପଶ୍ଚିମ ଓଡ଼ିଶାର ବିଜେପୁରରୁ ନବୀନ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ପରେ ହିଞ୍ଜିଳିକୁ ରଖି ବିଜେପୁର ଆସନ ଛାଡ଼ିଥିଲେ। ଆଜି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ନିଜେ ଦୁଇଟି ଆସନରେ ଲଢ଼ିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଚାରି ବିଧାୟକଙ୍କ ଟିକେଟ କଟାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ଦାଶଙ୍କୁ ଆଉ ଦଳ ଭରସା କରିନି। ନିକଟରେ ବିଜେପି ଛାଡ଼ି ବିଜେଡି‌ରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି। ୨୦୦୯ ମସିହାରୁ ସମୀର ଦାଶ ଏହି ଆସନରେ ଜିତି ଆସୁଥିଲେ। ସେହିପରି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଟିକେଟ ମିଳିନି। କୁଚିଣ୍ଡାରେ ରାଜେନ୍ଦ୍ର କୁମାର ଛତ୍ରିଆ ଓ ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାଏକ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ। ଶ୍ରୀ ଛତ୍ରିଆ ୨୦୦୯ରେ କଂଗ୍ରେସ ଟିକେଟରେ କୁଚିଣ୍ଡାରୁ ଜିତିଥିଲେ। ଗତ ୧୨ ତାରିଖରେ ସେ ବିଜେଡିରେ ଯୋଗ ଦେଇଥିଲେ। ସେହିପରି ଲକ୍ଷ୍ମୀପ୍ରିୟା ୨୦୧୯ ନିର୍ବାଚନରେ କଂଗ୍ରେସରୁ ଚିତ୍ରକୋଣ୍ଡାରେ ପ୍ରାର୍ଥୀ ହୋଇଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଏଥର ପ୍ରାର୍ଥୀ କରାଯାଇନି। ତାଙ୍କ ପତ୍ନୀ ସଂଯୁକ୍ତା ସିଂହ ଅନୁଗୁଳରେ ବିଜେଡିରୁ ନିର୍ବାଚନ ଲଢ଼ିବେ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସମ୍ବଲପୁର ଓ ରେଢ଼ାଖୋଲରେ ପ୍ରାର୍ଥୀ ଅଦଳବଦଳ ହୋଇଛନ୍ତି। ପୂର୍ବରୁ ରେ‌ଢ଼ାଖୋଲ ପାଇଁ ରୋହିତ ପୂଜାରୀ ଓ ସମ୍ବଲପୁର ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ ଏହାକୁ ନେଇ ଶ୍ରୀ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିଲେ। ଶେଷରେ ଦଳ ନିଷ୍ପତ୍ତି ବଦଳାଇଛି। ପ୍ରସନ୍ନଙ୍କୁ ରେଢ଼ାଖୋଲ ଓ ରୋହିତଙ୍କୁ ସମ୍ବଲପୁରରେ ପ୍ରାର୍ଥୀ କରାଯାଇଛି। ଗତକାଲି ବିଜେଡିରେ ମିଶିଥିବା ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ସଙ୍ଗେ ସଙ୍ଗେ ବିଜେଡି ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି। ସେ ଦେବଗଡ଼ରୁ ବିଜେଡି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ। ଜୟପୁରରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ ଓ ସାନଖେମୁଣ୍ଡିରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ବିଜେଡି ଟିକେଟ ମିଳିଛି। ବିଜେପୁର ବିଧାୟିକା ବର୍ଷା ସିଂହ ବରିହା ତାଙ୍କ ଟିକେଟ ବଜାୟ ରଖିଛନ୍ତି। ଆଜିର ୯ଟି ଆସନକୁ ମିଶାଇ ବିଜେଡି ଏ ଯାଏ ୧୨୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି। ମେ’ ୧୩ରେ ମତଦାନ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ଦୁଇ ତିନି ଦିନ ଭିତରେ ଆଉ ୨୧ଟି ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର