ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ: ସରକାରୀ ବସ ଚଳାଚଳ ବନ୍ଦ, ଲୋକେ ହନ୍ତସନ୍ତ

ଦୁର୍ଗମ ଗ୍ରାମରେ ବ୍ୟାନର ପୋଷ୍ଟର ମାରିଲେ ନକ୍ସଲ

ମାଲକାନଗିରି: ଜିଲ୍ଲାର ଦୁର୍ଗମ ଏବଂ ପଡୋଶୀ ଛତିଶଗଡର ସୀମାବର୍ତ୍ତୀ ଅଂଚଳରେ ନକ୍ସଲ ବ୍ୟାନର ଓ ପୋଷ୍ଟର ମାରି ଲୋକଙ୍କୁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ କରିଛନ୍ତି। ମାଲକାନଗିରି ସମେତ ପଡୋଶୀ ରାଜ୍ୟର ପୁଲିସ ଅତି ସତର୍କତା ଅବଲମ୍ବନ କରୁଛନ୍ତି। ନକ୍ସଲଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପିଏଲଜିଏ ସପ୍ତାହକୁ ନଜରରେ ରଖି ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆସନ୍ତା ୭ ଦିନ ସରକାରୀ ବସ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

ତେବେ ଦୁର୍ଗମ ଅଂଚଳର ଲୋକେ ବିଶେଷକରି ସରକାରୀ ବସ ଉପରେ ନିର୍ଭରର କରିଥାନ୍ତି। ଚିତ୍ରକୋଣ୍ଡା, ପଡ଼ିଆ ଭଲି ଅଂଚଳକୁ ଯିବା ପାଇଁ ଲୋକେ ଆଜି ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ମାଲକାନଗିରି ବସଷ୍ଟାଣ୍ଡରେ ଆଜି ସରକାରୀ ବସଗୁଡିକକୁ ଏକ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆସନ୍ତା ସାତ ଦିନ ଧରି ଏହି ସରକାରୀ ବସଗୁଡିକ ଏଭଳି ଠିଆ ହୋଇ ରହିବ ବୋଲି କୁହାଯାଇଛି। ଜିଲ୍ଲାରେ ନକ୍ସଲଙ୍କ ଗତିବିଧି କମିଥିଲେ ମଧ୍ୟ ସରକାରୀ ବସଗୁଡିକ ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳଗୁଡିକରେ ଗଡିବାକୁ ଭୟ କରୁଥିବା କହିଛନ୍ତି। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ଆଶଂକାକୁ ଏଡାଇ ଦିଆଯାଇନପାରେ ବୋଲି କୁହାଯାଇଛି। ପୁଲିସ ତରଫରୁ ସୀମାକୁ ସିଲ କରିଦିଆଯିବ ସହ କଡାକଡି ଯାଞ୍ଚ କରାଯାଉଛି।ଗୁଇନ୍ଦାକୁ ସତର୍କ ରହିବାକୁ କୁହାଯାଇଛି।

ମାଲକାନଗିରିରେ ବିଏସଏଫ ଯବାନ ଜିଲ୍ଲା ଭିତରରକୁ ନକ୍ସଲକୁ ଆଉ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି କୁମ୍ବିଂକୁ ଜୋରଦାର କରୁଛନ୍ତି। କେବଳ ଛତିଶଗଡରେ ହିଁ ନକ୍ସଲ ଉତ୍ପାତ ମଚାଉଛନ୍ତି। ତେବେ ଆଗାମୀ ସାତ ଦିନ ଅତି ସତର୍କତାର ସହ ରହିବାକୁ ପଡିବ ବୋଲି କୁହାଯାଇଛି। ନକ୍ସଲ ସୁରକ୍ଷାକର୍ମୀ ଏବଂ ପୁଲିସ ଇନଫର୍ମରମାନଙ୍କୁ ଟାର୍ଗେଟ କରିପାରନ୍ତି। ଦୁର୍ଗମ ଗ୍ରାମରେ ନକ୍ସଲ ପହଞ୍ଚି ପିଏଲଜିଏରେ ସାମିଲ ହେବାକୁ ଯୁବକଯୁବତୀମାନଙ୍କୁ ଆକର୍ଷିତ କରାଇବେ। ବିଶେଷକରି ଆଦିବାସୀ ଅଂଚଳରେ ଲୋକେ କାମଧନ୍ଦା ପାଉନଥିବାରୁ ନକ୍ସଲଙ୍କର ପ୍ରଲୋଭନରେ ପଡି ସଂଗଠନରେ ଜଡିତ ହେଉଛନ୍ତି। ତେଣୁ ସମସ୍ତ ଚାଲକୁ ଗୁଇନ୍ଦା ନଜର ରଖିଥିବା ଜଣାପଡିଛି। ତେବେ ନକ୍ସଲ ଏହି ପିଏଲଜିଏର କଣ କରୁଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର