ପଡ଼ୋଶୀ ରାଜ୍ୟମୁହାଁ ମୟୂରଭଞ୍ଜ ଚାଷୀ: ପରିଚାଳନା ଅବ୍ୟବସ୍ଥାରୁ ଧିମେଇଛି ଧାନକିଣା

୧୭.୬୬ ଲକ୍ଷ କ୍ବିଣ୍ଟାଲରୁ ଖର୍ଦ୍ଦି ହୋଇଛି ମାତ୍ର ୮.୧୨ ଲକ୍ଷ , ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଡିସେମ୍ବର ୧୦ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡିରେ ନାନା ଅବ୍ୟବସ୍ଥା ଲାଗି ରହିଥିବାରୁ ଧାନକିଣା ଧିମା ଗତିରେ ଚାଲିଛି। ଏଥିରେ ସୁଧାର ଆଣିବାକୁ ଯୋଗାଣ ବିଭାଗ ପକ୍ଷରୁ ସେମିତି କିଛି ଫଳପ୍ରସୂ ଉଦ୍ୟମ ହେଉ ନଥିବାରୁ ଚାଷୀମାନେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରାଜ୍ୟର ବେପାରୀଙ୍କୁ ଧାନ ବିକୁଛନ୍ତି। ଏଥିଯୋଗୁଁ ଜିଲ୍ଲାରେ ଧାନସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ପୂରଣ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଖୋଦ୍‌ ସମବାୟ ଓ ଯୋଗାଣ ବିଭାଗର ଅଧିକାରୀ।
ମୟୂରଭଞ୍ଜ ଜିଲ୍ଲାରେ ଧାନ ସଂଗ୍ରହ ନିମନ୍ତେ ମୋଟ୍ ୧୦୩ଟି ମଣ୍ଡି ଖୋଲିଛି। ମଣ୍ଡିରେ ଚାଷୀଙ୍କ ଆବଶ୍ୟକ ସୁବିଧା ନିମନ୍ତେ ରାଜ୍ୟ ସରକାର କ୍ବିଣ୍ଟାଲ ପିଛା ୩୧ ଟଙ୍କା ୨୫ ପଇସା ଦେଉଛନ୍ତି। ତେବେ କାଁଭାଁ ମଣ୍ଡିରେ ଚାଷୀ ସୁବିଧା ପାଉଥିବା ବେଳେ ଅଧିକାଂଶ ମଣ୍ଡିରେ ସର୍ବନିମ୍ନ ଆବଶ୍ୟକତା ଦିବାସ୍ବପ୍ନ। ମଣ୍ଡିରେ ଇଣ୍ଟରନେଟ୍ ସୁବିଧା ସହ ଅଣ ଏଫଏକ୍ୟୁ (ଆଦ୍ରତାଯୁକ୍ତ) ଧାନକୁ ଶୁଖାଇବା ପାଇଁ ମେସିନ୍‌ ରଖିବାକୁ ନିର୍ଦ୍ଦେଶ ରହିଛି। ହେଲେ ଏସବୁ ସୁବିଧା ତ ଦୂର କଥା; ମଣ୍ଡିରେ ଧାନ ରଖିବାକୁ ପକ୍କା ପିଣ୍ଡିଟିଏ ମଧ୍ୟ ନାହିଁ ବୋଲି ଶୁଳିଆପଦାର ଚାଷୀ ନରୋତ୍ତମ ଜେନା ଓ ଦିବାକର ମଲ୍ଲିକ ଅଭିଯୋଗ କରିଛନ୍ତି। ଚଳିତ ଖରିଫ ଋତୁରେ ଜିଲ୍ଲାର ୫୪ ହଜାର ୨୩୯ ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଚାଷୀଙ୍କ ନାଁରେ ସମୁଦାୟ ୩ ଲକ୍ଷ ୭୫ ହଜାର ୨୫୬ ପ୍ଲଟ୍ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୫୩ ହଜାର ୫୬୧ ନକଲି ‌‌ପ୍ଲଟ୍‌ ସାଟେଲାଇଟ୍ ସର୍ଭେରୁ ଧରାପଡ଼ିଥିଲା। ପଞ୍ଜିକୃତ ଚାଷୀଙ୍କଠାରୁ ୧୭ ଲକ୍ଷ ୬୬ କ୍ବିଣ୍ଟାଲ ଧାନଖର୍ଦ୍ଦି ପାଇଁ ସରକାରୀସ୍ତରରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ମଣ୍ଡି ଖୋଲିବାର ଦେଢ଼ ମାସ ପରେ ମାତ୍ର ୮ ଲକ୍ଷ ୧୨ ହଜାର କ୍ବିଣ୍ଟାଲ ଧାନକିଣା ହୋଇଛି। ଅନ୍ୟପକ୍ଷରେ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ଅଧିକ ବୋନସ୍ ମିଳୁଛି। ତେଣୁ ମୟୂରଭଞ୍ଜର ଚାଷୀ ମଣ୍ଡିକୁ ଧାନ ନ ଆଣି ସଂପୃକ୍ତ ୨ ରାଜ୍ୟକୁ ଧାନ ବିକ୍ରି କରିବାକୁ ବେପାରୀଙ୍କ ସାହାରା ଲୋଡୁଛନ୍ତି। ଉଲ୍ଲେଖଥାଉକି, ଚାଷୀ କେଉଁଠି ଧାନ ବିକ୍ରି କରିବ, ତାହା ସେ ନିଜେ ସ୍ଥିର କରିବେ। ଏଥିରେ କେହି ଚାଷୀଙ୍କୁ ବାଧ୍ୟ କରିପାରିବ ନାହିଁ। ଏହି କାରଣରୁ ଚଳିତବର୍ଷ ମୟୂରଭଞ୍ଜ ଜିଲ୍ଲାରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ନେଇ ସ‌ନ୍ଦେହ ସୃଷ୍ଟି ହୋଇଥିବା ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୭-୧୮ ଖରିଫ ଋତୁରେ ଜିଲ୍ଲାରୁ ପଞ୍ଜିକୃତ ୪୨ ହଜାର ୬୩୫ ଜଣ ଚାଷୀଙ୍କ ମଧ୍ୟରୁ ୧୭ ହଜାର ୧୮୧ ଜଣ ଧାନବିକ୍ରି କରିଥିଲେ। ୨୦୧୮-୧୯ରେ ୪୦ ହଜାର ୫୭୭ରୁ ୨୮ ହଜାର ୫୪୨, ୨୦୧୯-୨୦ରେ ୩୯ ହଜାର ୭୬୫ରୁ ୩୦ ହଜାର ୫୮୦ , ୨୦୨୦-୨୧ରେ ୫୬ ହଜାର ୫୬୮ରୁ ୪୪ ହଜାର ୨୮୧, ୨୦୨୧-୨୨ରେ ୭୧ ହଜାର ୮୫୪ରୁ ୫୧ ହଜାର ୪୪୮ ଓ ୨୦୨୨-୨୩ରେ ୬୩ ହଜାର ୨୩୭ରୁ ୫୪ ହଜାର ୨୩୯ ଜଣ ଚାଷୀ ଧାନବିକ୍ରି କରିଥିବା ଜଣାପଡ଼ିଛି। ଚଳିତ ଖରିଫରେ ପଞ୍ଜିକୃତ ସମସ୍ତ ୫୪ ହଜାର ୨୩୯ ସମସ୍ତ ଚାଷୀ ଧାନ ବିକ୍ରି କରୁଛନ୍ତି ନା ନାହିଁ, ତାହା ମାର୍ଚ୍ଚ ପରେ ସ୍ପଷ୍ଟ ହୋଇଯିବ। ତେବେ ସମସ୍ତ ଚାଷୀଙ୍କ ପାଖରୁ ଧାନସଂଗ୍ରହ କରାଯିବାର ଲକ୍ଷ୍ୟ ରହିଥିବା ସମବାୟ ସମିତି ବାରିପଦା ସମୂହ ଉପନିବନ୍ଧକ କୃଷ୍ଣଚନ୍ଦ୍ର ଦାସ ଓ ଜିଲ୍ଲା ଯୋଗାଣ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର