ଆଣ୍ଠେଇଛି ବିକାଶ: ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଏହି ଗାଁକୁ ନାହିଁ ପକ୍କା ରାସ୍ତା

ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଦୋଳା ଭରଷା, ଭୋଟ ବର୍ଜନ ଚେତାବନୀ

ଘୁ.ଉଦୟଗିରି: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିକାଶ ନାରା ନାରାରେ ରହିଯାଇଛି। କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଠିକି ଯିବାକୁ ପକ୍କା ରାସ୍ତାଟିଏ ନାହିଁ।କନ୍ଧମାଳ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖୁବା ପରେ ସ୍ପଷ୍ଟ ବାରି ହେଉଛି ଏହି ଜିଲ୍ଲାର ବିକାଶ ଯେଭଳି ଆଣ୍ଠେଇଯାଇଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ର ୧ନଂ ୱାର୍ଡର ଗଦିଙ୍ଗିଆ ଗାଁ ଯାହାକି କଳିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ। ଏହି ଗାଁକୁ ଆଜିବି ପକ୍କା ରାସ୍ତାଟିଏ ନାହିଁ।
ଜାତୀୟ ରାଜପଥ୧୫୭ ରୁ ୩କିମି ଦୂର ଚାଲି ଚାଲି ଯିବାକୁ ପଡେ ଏହି ଗାଁକୁ। ଏହି ଗାଁ ବିକାଶ ଠାରୁ ବହୁ ଦୂରରେ। ଜଙ୍ଗଲ ପାହାଡ଼ ପର୍ବତ ଘେରା ଗଦିଙ୍ଗିଆ ଗାଁ।ଗ୍ରାମରେ ମୋଟ ୩ଗୋଟି ସାହିରେ ୪୦ପରିବାରର ୧୬୦ଜନସଂଖ୍ୟା। ସମସ୍ତେ ଆଦିବାସୀ ହରିଜନ ସମ୍ପ୍ରଦାୟର। ଜଙ୍ଗଲ ପାହାଡ଼କୁ ଲାଗି ରହିଛି ଏହି ଗାଁ।ଗ୍ରାମର ସମସ୍ତ ବାସିନ୍ଦା ଚାଷ ଉପରେ ନିର୍ଭର କରୁଥିବା ବେଳେ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ପାଖ ବଜାରରେ ବିକ୍ରି କରି ନିଜ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ପ୍ରତ୍ୟକ ଦିନ ଭୋରରୁ ଜଙ୍ଗଲକୁ ଯାଇ କାଠ ସଂଗ୍ରହ କରିବା ଏବଂ ତାକୁ ବିକ୍ରି କରିବା ନିତିଦିନିଆ ବ୍ୟବସାୟ ଏହାସହ ଜଙ୍ଗଲରୁ ଶାଳ ଏବଂ ଶିଆଳି ପତ୍ର ସଂଗ୍ରହ କରି ସେଥିରେ ଖଳି ଦନା ପ୍ରସ୍ତୁତ କରି ବିକ୍ରି କରିଥାନ୍ତି।
ଋତୁ ଅନୁସାରେ ଜଙ୍ଗଲରୁ ମହୁଲ, ଶାଳ ମଞ୍ଜି, ଗରା, ତେନ୍ତୁଳି, ଆମ୍ବ ଓ ପଣସ ସଂଗ୍ରହ କରି ବଜାରରେ ବିକ୍ରି ନିଜ ନିଜ ପରିବାର ଚଳେଇଥାନ୍ତି। କାମଧନ୍ଦା ଅଭାବରୁ ଗ୍ରାମର ଯୁବପିଢ଼ି ଦାଦନ ଖଟିବାକୁ କେରଳ ରେ ଅଛନ୍ତି। କହିବାକୁ  ଗଲେ ଏହି ଗାଁର ଲୋକ ଏକ ପ୍ରକାର ଜଙ୍ଗଲୀ ମଣିଷଙ୍କ ଭଳି ଜୀବନ ବିତେଇଥାନ୍ତି। ଆଜିର ମଣିଷ ଚନ୍ଦ୍ର ପୃଷ୍ଠରେ ରହିବାକୁ ଯୋଜନା କଲେଣି ହେଲେ ଗଦିଙ୍ଗିଆ ଗାଁକୁ ରାସ୍ତାଟିଏ ନାହିଁ। ପ୍ରତ୍ୟକ ବର୍ଷ ଏମଜିଏନଆରଜିଏସ ଯୋଜନାରେ ଲକ୍ଷଧିକ ଟଙ୍କା ଅନୁଦାନ ଆସୁଛି ଏହି ଗାଁ ରାସ୍ତା କାମ ପାଇଁ ରାସ୍ତା କଡ଼ରୁ ମାଟି କାଢି ରାସ୍ତା ଉପରେ ପକେଇ ଦିଆଯାଉଛି ଗୋଟିଏ ଦୁଇଟି ମାସ ପରେ ବର୍ଷା ହେଲେ ସେଇ ମାଟି ପୁଣି ଭାସି ଯାଉଛି ପୂର୍ବରୁ ଯେମିତି ରାସ୍ତା ଥିଲା ପୁଣି ସେଇ ଅବସ୍ଥା।
ଗ୍ରାମର ଲୋକେ କହିଛନ୍ତି ଆମେ ଏହି ଜଙ୍ଗଲ ପାହାଡ଼ ଭିତରେ ରହୁଛୁ। ବାରମ୍ବାର ଲିଖିତ ଭାବେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଆମ ଗାଁ ରାସ୍ତା ନିର୍ମାଣ ନିମନ୍ତେ ଜଣାଉଛି ହେଲେ କେହି ଆମ କଥା ଶୁଣୁନାହାନ୍ତି। ଆମ ଗାଁ ର କୌଣସି ବ୍ୟକ୍ତି ରୋଗ ଗ୍ରସ୍ତ ହେଲେ ଆମ୍ବୁଲାନ୍ସ ଡାକିଲେ ଆସୁନି ୩କିମି ଦୂର ମୁଖ୍ୟ ସଡ଼କରେ  ଆମ୍ବୁଲାନ୍ସ ରହିଯାଉଛି ଆମେ ଖଟିଆରେ ରୋଗୀଙ୍କୁ ବୋହି ବୋହି ନେବାକୁ ପଡୁଛି ସେଇଭଳି ଗର୍ଭବତୀ ମା ମାନଙ୍କୁ ମଧ୍ୟ ସେମିତି ନେବାକୁ ପଡୁଛି।ଆମେ ମାନେ ଏକ ଅଭିଶପ୍ତ ଜୀବନଯାପନ କରୁଛୁ। ନିର୍ବାଚନ ଆସିଲେ ନେତା ମାଳମାଳ ଆସୁଛନ୍ତି ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି ନିର୍ବାଚନ ସରିଗଲେ ଆଉ ଦେଖାଦେଉନାହାନ୍ତି। ଆମେ ଚାଷ ବାସ କରୁଛୁ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ନିମନ୍ତେ ଆମକୁ ଚାରି କିମି ରାସ୍ତା ଚାଲି ଚାଲି ଜିଣିସ ବୋହି ନେବାକୁ ପଡୁଛି। ଚାଷ ପରିଶ୍ରମ ଠାରୁ ଉତ୍ପାଦିତ ସାମଗ୍ରୀ ବୋହିନେବା କଷ୍ଟ ବଳି ପଡୁଛି।
ଗୁପ୍ତେଶ୍ଵର ନାୟକ, ନାରାୟଣଲକ୍ଷ୍ମୀ ପ୍ରଧାନ, ଉତ୍ସବ ପ୍ରଧାନ ଦାବି କରିଛନ୍ତି ଗଦିଙ୍ଗିଆ ଛକ ପୂର୍ତ୍ତବିଭାଗ ମୁଖ୍ୟ ସଡକ ଠାରୁ ଗଦିଙ୍ଗିଆ ଦେଇ ଚକାପାଦ ବ୍ଲକର ମୁଣ୍ଡାଗାଁ ପର୍ଯ୍ୟନ୍ତ୮କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇ ପକ୍କା ରାସ୍ତା ନିର୍ମାଣ କରିବା ନିମନ୍ତେ ବାରମ୍ବାର ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ଫଳ ମିଳିନି। ଆମେ ଏକ ଅପହଞ୍ଚ ଅଞ୍ଚଳରେ ରହୁଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ଆମ ଗାଁରେ ପରିବର୍ତ୍ତନ ମେଳା ଆୟୋଜନ କରି ଆମ ଗାଁର ସମସ୍ୟାର ସମାଧାନ କରିବେ ବୋଲି ସମସ୍ତେ କହିଲେ ହେଲେ ଆଜି ପର୍ଯ୍ୟନ୍ତ କିଛି କଲେନି ଆମକୁ ଠକିଦେଲେ। ଆମ ଗାଁରେ  ଅନୁଷ୍ଠିତ ପରିବର୍ତ୍ତନ ମେଳା ପ୍ରହସନରେ ପରିଣତ ହେଲା।ଆମକୁ ନେତା ଠକିଲେ ତାସହ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଠକିଲେ।ଆମ  ପୂର୍ବ ପୁରୁଷ ଯେମିତି ଜୀବନ ଯାପନ କରୁଥିଲେ ଆମେବି ସେମିତି ଜୀବନଯାପନ କରୁଛି।ଆମେ ଆମ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅପହଞ୍ଚ ଅଞ୍ଚଳରେ ବସବାସ କରିଛୁ।ଆମ କଥା କେହି ଶୁଣୁନଥିବା ଯୋଗୁଁ ଆମେ ଗ୍ରାମବାସୀ ନିଷ୍ପତ୍ତି ନେଇଛୁ ଆମ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଆମେ ଆଉ ଭୋଟ ଦେବୁ ନାହିଁ।ଚଳିତ ସାଧାରଣ ନିର୍ବାଚନରେ ଆମେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମର ସମସ୍ତ ପୁରୁଷ ମହିଳା କହିବା ସହ ଲିଖିତ ଭାବେ ମୁଖ୍ୟ ଶାସନ ସଚିବ,ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀଙ୍କୁ ଜଣେଇବୁ ବୋଲି କହିଛନ୍ତି ।
ସମ୍ବନ୍ଧିତ ଖବର