ଦେବତୁଲ୍ୟ ମଣିଷମାନଙ୍କୁ ପ୍ରଣାମ ଜଣାଉଛି: ଅଶ୍ବିନୀ

ବାହାନଗା ଓ ବାଲେଶ୍ବର ସମ୍ବର୍ଦ୍ଧନା ସଭା, ‘ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଧନ୍ୟବାଦର ପାତ୍ର’

ବାଲେଶ୍ବର/ବାହାନଗା/ସୋର: ‘ ବାଲେଶ୍ବର ସହ ମୋର ପୁରୁଣା ସଂପର୍କ। ଜିଲ୍ଲାବାସୀଙ୍କଠାରୁ ମୁଁ ନିଃସର୍ତ୍ତ ଭଲପାଇବା ପାଇଛି। ଏଠିକାର ଭାଇଚାରା ମୋତେ ଅଭିଭୂତ କରେ। ମୁଁ ବାଲେଶ୍ବରବାସୀଙ୍କ ସହ ଥିଲି, ଅଛି ଓ ରହିବି। ଜିଲ୍ଲାପାଳ ଥିବା‌ବେଳେ ୧୯୯୯ ମହାବାତ୍ୟାକୁ ସଫଳତାର ସହ ମୁକାବିଲା କରି ଏଠାକାର ଜନସାଧାରଣ ଯେଉଁ ସାହସର ପରିଚୟ ଦେଇଥିଲେ, ତାକୁ ସାରାବିଶ୍ବ ଦେଖିଥିଲା। ଏବେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଯାତ୍ରୀମାନଙ୍କୁ ଉଦ୍ଧାର କରି ବାଲେଶ୍ବରବାସୀ ଯେଉଁ ମହାନତାର ପରିଚୟ ଦେଲେ, ତାକୁ ବି ସାରାବିଶ୍ବ ଦେଖିଲା। ସେହି ଦେବତୁଲ୍ୟ ମଣିଷମାନଙ୍କୁ ମୁଁ ପ୍ରଣାମ ଜଣାଉଛି। ବିପଦ ସମୟରେ ଭଗବାନ ସ୍ବରୂପ ଜିଲ୍ଲାର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଯେଉଁପରି ଉତ୍ସର୍ଗୀକୃତ ଦାୟିତ୍ବ ନିର୍ବାହ କଲେ, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର।’ ଆଜି ବାହାନଗା ଓ ବାଲେଶ୍ବର ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆୟୋଜିତ ପୃଥକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି।

ମଙ୍ଗଳବାର ଅପରାହ୍ନ ୨ଟା ବେଳେ ଶ୍ରୀ ବୈଷ୍ଣବ ଟ୍ରେନ୍‌ ଯୋଗେ ଆସି ବାହାନଗାରେ ପହଞ୍ଚିଥିଲେ। ସମ୍ବର୍ଦ୍ଧନା ସଭାରେ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ୪୧ ଜଣ ବ୍ୟକ୍ତିବିଶେଷ, ୧୦ଟି ସ୍ବୟଂସହାୟକ ଗୋଷ୍ଠୀ ଓ ୨୬ଟି ସ୍ବେଚ୍ଛାସେବୀ ସଂଗଠନକୁ ସମ୍ବର୍ଦ୍ଧିତ କରିଥିଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ଏହାସହିତ କୃତଜ୍ଞତା ସ୍ବରୂପ ସ୍ଥାନୀୟ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ପାଇଁ ସାଂସଦ ପାଣ୍ଠିରୁ କୋଟିଏ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ବାହାନଗା ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ପାଇଁ ରେଳ ବିଭାଗ ୧ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି କହିଥିଲେ। ଖୁବ୍‌ଶୀଘ୍ର ବାହାନଗା ରେଳ ଫାଟକରେ ଏକ ଓଭର୍‌ବ୍ରିଜ୍‌ ନିର୍ମାଣ ହେବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ବୈଷ୍ଣବ ଯୋଗଦେଇ ଟ୍ରେନ୍‌ ଦୁର୍ଘଟଣାରେ ମୃତକ ଓ ଦିବଂଗତ ଡାକ୍ତର ମହେଶ ବିଶ୍ବାଳଙ୍କ ପାଇଁ ଶୋକପ୍ରକାଶ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କ ଚିକିତ୍ସା କରିଥିବା ଡାକ୍ତରଖାନାର ୩୬ ଜଣ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଭୟ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଖଡ଼ଗପୁର ଡିଆର୍‌ଏମ୍‌ ଏମ୍‌ଏସ୍‌ ହାସ୍‌ମୀ, ଏଡିଆର୍‌ଏମ୍‌ ଗିରୀଶ କୁମାର, ଜିଏମ୍‌ ଅର୍ଚ୍ଚନା ଯୋଶୀ, ଏଜିଏମ୍‌ ଅନୀଲ କୁମାର ଦୁବେ, ମେଡିକାଲ୍‌ କଲେଜ ଡିନ୍‌ ପ୍ରଫେସର ରାମଚନ୍ଦ୍ର ଗିରିଙ୍କ ସହ ସୁପରିନ୍‌ଟେଣ୍ଡେଣ୍ଟ ପ୍ରଫେସର ନିର୍ମଳ ଚନ୍ଦ୍ର ସାହାଣୀ, ପ୍ରଶାସନିକ ଅଧିକାରିଣୀ ମନୋରମା ଭୂୟାଁ, ସିଡିଏମ୍‌ଓ ଡାକ୍ତର ଦୁଲାଲସେନ୍‌ ଜଗଦ୍ଦେବ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବାଲେଶ୍ବର ରେଳ ଷ୍ଟେସନ୍‌ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେହିପରି ବାମପଦାସ୍ଥିତ ନୋସି ବିଜ୍‌ନେସ୍‌ ପାର୍କରେ ଆୟୋଜିତ ଏକ ବୈଠକରେ ମଧ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର