ଅନୁମୋଦନପତ୍ର ପାଇଁ ୮ ମାସ ହେଲା ଅଟକିଛି ଅସ୍ତ୍ରୋପଚାର, ଯନ୍ତ୍ରଣା ଭୋଗୁଛି ଦେଢ଼ବର୍ଷର ଶିଶୁକନ୍ୟା

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଯୁଗଳ ପଞ୍ଚାୟତ ହଳଦୀପଦା ଗ୍ରାମର ଦେବାନନ୍ଦ ସୋରେନ ଓ ଆଶୁ ସୋରେନଙ୍କ ଦେଢ଼ ବର୍ଷର ଶିଶୁକନ୍ୟା ବିଷ୍ଣୁପ୍ରିୟା ଗାଲରେ ଜନ୍ମ ବେଳେ ଏକ ବଥ ଭଳି ଛୋଟ ମାଂସ ପିଣ୍ଡୁଳା ଦେଖିବାକୁ ମିଳିଥିଲା। ପରେ ବୟସ ବଢ଼ିବା ସହିତ ମାଂସ ପିଣ୍ଡୁଳାଟି ବଢ଼ିବାକୁ ଲାଗିଲା। ବାପା ମା’ ବ୍ୟସ୍ତ ହୋଇ ଝିଅକୁ ବେତନଟୀ ଡାକ୍ତରଖାନା ନେଇଥିଲେ। ସେଠାରେ ରାଷ୍ଟ୍ରୀୟ ବାଲ୍‌ ସୁରକ୍ଷା କାର୍ଯ୍ୟକ୍ରମ (ଆର୍‌ବିଏସ୍‌କେ)ର ସ୍ଥାନୀୟ ଅଧିକାରୀ ଜୟଦେବ ପଣ୍ଡାଙ୍କ ଜରିଆରେ ଝିଅଟିକୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ କାର୍ଯ୍ୟରତ ଡାକ୍ତର ଏହାକୁ ଟ୍ୟୁମର ବୋଲି ନିରୂପଣ କରିବା ସହ କଟକ ଶିଶୁ ଭବନରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ।

ସରକାରଙ୍କ ଆର୍‌ବିଏସ୍‌କେ କାର୍ଯ୍ୟକ୍ରମ ମାଧ୍ୟମରେ ବିନା ଶୁଳ୍କରେ ଶିଶୁ ଭବନରେ ଅସ୍ତ୍ରୋପଚାର କରାଯିବାର ପ୍ରାବଧାନ ଥିବାବେଳେ ଏନେଇ ଜିଲ୍ଲା ଆର୍‌ବିଏସ୍‌କେ କାର୍ଯ୍ୟାଳୟରୁ ସିଡିଏମ୍‌ଓଙ୍କ ଜରିଆରେ ଏକ ଅନୁମୋଦନ ପତ୍ରର ଆବଶ୍ୟକତା ରହିଛି। ହେଲେ ୮ ମାସ ହେଲା ଏହି ପ୍ରକ୍ରିୟା ସରୁନି କି ଅନୁମୋଦନପତ୍ର ମିଳୁନି। ଏପଟେ ମୁହଁରେ ମାଂସ ବଢ଼ୁଥିବାରୁ ଶିଶୁକନ୍ୟାଟି ଯନ୍ତ୍ରଣା ଭୋଗୁଛି। ବାପା ଦିନମଜୁରିଆ ହୋଇଥିବାରୁ ନିଜ ଖର୍ଚ୍ଚରେ ଝିଅର ଅସ୍ତ୍ରୋପଚାର କରିପାରୁ ନାହାନ୍ତି। ଏନେଇ ଜିଲ୍ଲା ଆର୍‌ବିଏସକେ ମ୍ୟାନେଜର ଶୁଭେନ୍ଦୁ ବରାଳଙ୍କ କହିବା କଥା‌; ବେତନଟୀରେ କାର୍ଯ୍ୟରତ ଅଧିକାରୀମାନେ ଏ ବାବଦରେ ତତ୍ପରତା ଦେଖାଇ ନାହାନ୍ତି। ‌ଯେଉଁଥିପାଇଁ ଚିକିତ୍ସାରେ ବିଳମ୍ବ ଘଟିଛି। ତେବେ ସେ ଏ ବାବଦରେ ଅବଗତ ହୋଇଥିବାରୁ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର