ପାଣିରେ ପଡ଼ିଲା କୋଟିକୋଟି ଟଙ୍କା: ଶୌଚ ପାଇଁ ଲୋକେ ଜଂଗଲ, ଝରଣା ଉପରେ ନିର୍ଭରଶୀଳ

ରାୟଗଡ଼ା: ସ୍ବଚ୍ଛ ଭାରତ ଅଭିଯାନରେ ଗତ ୨୦୧୪ ମସିହାରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ସମସ୍ତ ଏପିଏଲ ଏବଂ ବିପିଏଲ ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ ନେଇ ବିଡା ଉଠାଇଥିଲେ। ପରିବାରର ସମସ୍ତେ ଯେପରି ଶୌଚାଳୟ ବ୍ୟବହାର କରିବେ ସେଦିଗରେ ସେତେବେଳେ ସରକାର ବିଜ୍ଞାପନ ମାଧ୍ୟମରେ ଏବଂ ଗାଁକୁ ଗାଁ ବୁଲି ସଚେତନ କରାଉଥିଲେ। ପ୍ରତ୍ୟେକ ଶୌଚାଳୟ ପାଇଁ ୧୨ ହଜାର ଟଂକା ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ। ବ୍ଲକଗୁଡିକରେ ରହିଥିବା ଜଳ ଓ ପରିମଳ ବିଭାଗ ତରଫରୁ ଏହାକୁ ନିର୍ମାଣ କରାଗଲା। ଏହାର ତଦାରଖ ପାଇଁ ଜଣେ କନିଷ୍ଠ ଯନ୍ତ୍ରୀ ମଧ୍ୟ ରହିଥିଲେ। ଦୁର୍ଗମ ଗାଁଗୁଡକରେ କିଛି ଦଲାଲକୁ ହାତ କରି କନିଷ୍ଠ ଯନ୍ତ୍ରୀମାନେ ଶୌଚାଳୟ ନିର୍ମାଣ କରିଥିଲେ।ଯାହାକୁ ଲୋକେ ଦିନେ ବି ବ୍ୟବହାର କରିନଥିଲେ। କାରଣ ତାହା ୩ଫୁଟର ହୋଇଥିବା ବେଳେ ଉପର ଖୋଲା ରହିଥିଲା।ଲୋକେ ସେହି ଶୌଚାଳୟକୁ କୁକୁଡା ଘର କିମ୍ବା କାଠ ଗଚ୍ଛିତ କରି ରଖିବା କାମରେ ଲଗାଇଲେ। ପୁଣି କେବଳ କାଗଜ କଲମରେ ଶୌଚାଳୟ ନିର୍ମାଣ ହେଲା। ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ମିଳିମିଶି ଟଂକା ଖାଇଗଲେ।ସ୍ବଚ୍ଛ ଭାରତ ମିସନ ଏକ ପ୍ରକାର ଫେଲ ହୋଇଗଲା।ଶୌଚାଳୟ ଦୁର୍ନୀତି ପ୍ରାୟ ସବୁ ଜିଲ୍ଲାରେ ହୋଇଛି।ଯାହା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ଦୁର୍ଗମ ଅଂଚଳରେ ଶୌଚାଳୟ ନିର୍ମାଣ କଷ୍ଟକର ହେବାରୁ ସେହି ଅଂଚଳରେ କେବଳ ଟିଣରେ ଶୌଚାଳୟ ନିର୍ମାଣ ପାଇଁ ନିର୍ଦେଶ ହୋଇଥିଲା।ଯାହାକି ସଂପୂର୍ଣ୍ଣ ଫେଲ ମାରିଥିଲା। ଲୋକେ ଟିଣକୁ କାଢି ନିଜର ଅନ୍ୟ କାମରେ ଲଗାଇଲେ।ଆଉ ଠିକାଦାର କେବଳ ଗୋଟିଏ ଶୌଚାଳୟ ଆଗରେ ସମସ୍ତ ହିତାଧିକାରୀଙ୍କୁ ଠିଆ କରି ଟଂକା ହଡ କରିଥିବା ନଜିର ରହିଛି।ଯାହା ପରବର୍ତ୍ତୀ ସମୟରେ ଧରାପଡି ଚର୍ଚ୍ଚାର ବିଷୟ ପାଲଟିଥିଲା।
ସ୍ବଚ୍ଛ ମିସନ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାର ବିଷମକଟକ ବ୍ଲକରେ ୨୨୩୮୬ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୧୭୫୬ ଜଣକୁ ଶୌଚାଳୟ ମିଳିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୩୪ ଜଣକୁ ମିଳିଛି। ପୂର୍ବରୁ ଏହି ବ୍ଲକରେ ୫୦୦ ଜଣକର ଶୌଚାଳୟ ଥିବା କୁହାଯାଇଛି। ଚନ୍ଦ୍ରପୁର ବ୍ଲକରେ ୮୫୪୨ ପରିବାର ମଧ୍ୟରୁ ପ୍ରଥମେ ୮୨୯୮ ପରିବାରକୁ ଓ ଦ୍ବିତୀୟରେ୨୪୬ ପରିବାରକୁ ମିଳିଛି। ପୂର୍ବରୁ ଏହି ବ୍ଲକରେ ୧୪୫ ଜଣକ ଶୌଚାଳୟ ରହିଛି। ଗୁଡାରି ବ୍ଲକର ୮୭୦୯ ପରିବାର ମଧ୍ୟରୁ ପ୍ରଥମରେ ୮୨୧୮ ପରିବାରକୁ ଓ ଦ୍ବିତୀୟରେ ୬୬୫ ପରିବାରକୁ। ପୂର୍ବରୁ ଏହି ବ୍ଲକରେ ୧୮୮ ଜଣକର ଶୌଚାଳୟ ରହିଛି। ଗୁଣୁପୁର ବ୍ଲକର ୧୬୫୩୮ ପରିବାର ମଧ୍ୟରୁ ପ୍ରଥମରେ ୧୩୯୩୩ ପରିବାରକୁ ଓ ଦ୍ବିତୀୟରେ ୨୧୦ ପରିବାକୁ। ପୂର୍ବରୁ ୧୪୭୪ ଜଣକ ରହିଛି। କଲ୍ୟାଣସିଂହପୁର ବ୍ଲକର ୧୪୭୬୬ ପରିବାର ମଧ୍ୟରୁ ପ୍ରଥମରେ ୧୩୭୨୨ ପରିବାରକୁ ଓ ଦ୍ବିତୀୟରେ ୨୭୯ ପରିବାରକୁ। ପୂର୍ବରୁ ୬୬୧ ପରିବାରର ରହିଛି।କାଶୀପୁର ବ୍ଲକର ୩୪୨୨୦ ପରିବାର ମଧ୍ୟରୁ ୩୩୧୨୨ ପରିବାରକୁ ପ୍ରଥମେ ଓ ଦ୍ବିତୀୟରେ ୧୬୬୮ ପରିବାରକୁ ମିଳିଛି। ପୂର୍ବରୁ ଏହି ବ୍ଲକର୮୩୩ ପରିବାରର ଶୌଚାଳୟ ରହିଛି। କୋଲନରା ବ୍ଲକର ୧୭୦୪୧ ପରିବାର ମଧ୍ୟରୁ ପ୍ରଥମରେ ୧୫୭୯୩ ପରିବାରକୁ ଓ ଦ୍ବିତୀୟରେ ୧୭୩ ପରିବାରକୁ। ପୂର୍ବରୁ ଏହି ବ୍ଲକର ୭୧୨ ପରିବାରର ରହିଛି। ମୁନିଗୁଡା ବ୍ଲକର ୨୦୪୪୭ ପରିବାର ମଧ୍ୟରୁ ପ୍ରଥମେ ୧୭୮୮୨ ପରିବାରକୁ ଓ ଦ୍ବିତୀୟରେ ୬୧୫ ପରିବାରକୁ। ପୂର୍ବରୁ ଏହି ବ୍ଲକର ୧୫୯୭ ପରିବାରର ଶୌଚାଳୟ ରହିଛି।
ସେହିପରି ପଦ୍ମପୁର ବ୍ଲକର ୧୪୫୮୧ ପରିବାର ମଧ୍ୟରୁ ପ୍ରଥମେ ୧୨୭୬୪ ପରିବାରକୁ ଓ ଦ୍ବିତୀୟରେ ୨୭୨ ପରିବାରକୁ ମିଳିଛି। ପୂର୍ବରୁ ଏହି ବ୍ଲକର ୧୧୯୭ ପରିବାରର ରହିଛି। ରାମନାଗୁଡା ବ୍ଲକର ୧୨୨୯୫ ପରିବାରର ମଧ୍ୟରୁ ପ୍ରଥମେ ୧୦୩୦୦ ପରିବାରକୁ ଦ୍ବିତୀୟରେ ୭୭ ପରିବାରକୁ ମିଳିଛି। ପୂର୍ବରୁ ଏହି ବ୍ଲକରେ ୧୦୪୪ ଜଣକର ଶୌଚାଳୟ ରହିଛି। ରାୟଗଡା ବ୍ଲକର ୩୦୩୯୭ ପରିବାର ମଧ୍ୟରୁ ପ୍ରଥମରେ ୨୬୨୬୧ ପରିବାରକୁ ମିଳିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୮୬୫ ପରିବାରକୁ ମିଳିଛି। ଏହି ବ୍ଲକରେ ପୂର୍ବରୁ ୨୭୮୫ ଜଣକର ଶୌଚାଳୟ ରହିଛି।
ତେବେ ଜିଲ୍ଲାରେ ମୋଟ ୧,୯୯,୯୨୧ ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୮୨,୪୪୯ ପରିବାରକୁ ମିଳିଥିବା ବେଳେ ଦ୍ବିତୀୟ ପର୍ଯ୍ୟୟରେ ୬୪୦୪ ପରିବାରକୁ ମିଳିଛି।ପୂର୍ବରୁ ଜିଲ୍ଲାର ୧୧,୨୩୬ ପରିବାରର ଶୌଚାଳୟ ରହିଥିବା କୁହାଯାଇଛି। ବର୍ତ୍ତମାନ ବଳକା ରହିଯାଇଥିବା ପରିବାରମାନଙ୍କୁ ଏହି ସେବାରେ ଅନ୍ତର୍ଭୁକ୍ତ କରାଯାଉଛି।ତେବେ ସ୍ବଚ୍ଛ ମିସନ କେତେ ସଫଳ ଗାଁରେ ଯାଇ ତଦାରଖ କଲେ ସବୁ ସତ୍ୟ ପଦାକୁ ଆସିବ। ଲୋକେ ଆଜି ବି ଶୌଚ ପାଇଁ ଜଂଗଲ ଓ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ଗ୍ରାମ ନୁହେଁ। ୧୧ଟି ବ୍ଲକର ଶହ ଶହ ଗ୍ରାମର ଲୋକେ ଶୌଚ ପାଇଁ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି। ଏହାର ବିହିତ ତଦନ୍ତ ହେଲେ ସ୍ବଚ୍ଛ ମିସନରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଂକା କୁଆଡେ ଗଲା ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ମିସନ ଏକ ପ୍ରକାର ଜିଲ୍ଲାରେ ଫେଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ବ ଟଂକା ମିଳିମିଶି ଖାଇଗଲେ ବୋଲି ଆଲୋଚନା ଜୋର ଧରିଛି। ବହୁ ଠିକାଦାର ଏବେ ବି ଶୌଚାଳୟ କରି ନିଜର ଟଂକା ପାଇନଥିବା ଅଭିଯୋଗ କରିଛନ୍ତି।
ତେବେ ସେହି ପଇସା ଗଲା କୁଆଡେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ସମସ୍ତ ଟଂକା ଖର୍ଚ୍ଚ ହୋଇସାରିଛି। ବହୁ ଗ୍ରାମରେ ଶୌଚାଳୟ ବିଷୟରେ ଅବଗତ ହିଁ ନୁହନ୍ତି।ସ୍ବଚ୍ଛ ମିସନର ଶୌଚାଳୟ ନିର୍ମାଣ ଏକ ବଡ ସ୍କାମ ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି।
ସମ୍ବନ୍ଧିତ ଖବର