ଅଳ୍ପ ଖାଦ୍ୟ ଓ ଅଧିକ ବ୍ୟାୟାମ ଶରୀରକୁ ସୁସ୍ଥ ରଖେ

ଫିଟ୍ ରହିବା ଏବଂ ଶାରୀରିକ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ବର୍ତ୍ତମାନର ଯୁବପିଢ଼ି ଶତଚେଷ୍ଟିତ। ଏଥିପାଇଁ କିଏ ଜିମ୍‌ ଯାଉଛି ତ ଆଉ କିଏ ଖାଦ୍ୟ କମାଉଛି। ଏହାସହ ଆଉ କିଏ ସେଲିବ୍ରିଟିମାନଙ୍କର ଖାଦ୍ୟ ପ୍ରଣାଳୀକୁ ଆପଣାଉଛନ୍ତି। ସେଲିବ୍ରିଟିମାନେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ କଠିନ ପରିଶ୍ରମ କରିବା ସହ ଖାଦ୍ୟରେ ମଧ୍ୟ କଟକଣା ରଖିଥାଆନ୍ତି। ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ପଦ୍ଧତି ଅନୁସରଣ କରନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ ସଂଗୀତା।

ବହୁତ ଲୋକ ପଚାରନ୍ତି ତୁମ ଉଜ୍ଜ୍ବଳ ତ୍ବଚାର ରହସ୍ୟ କ’ଣ? ମୋର ସବୁବେଳେ ଗୋଟିଏ ଉତ୍ତର ଯେ ମଁୁ ମୁହଁରେ କିଛି ଲଗାଏ ନାହିଁ। ମଁୁ ମୋ ଜେଜେବାପା ଓ ଜେଜେମା’ଙ୍କ ଖାଦ୍ୟ ପନ୍ଥାକୁ ଅନୁକରଣ କରେ।

ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରି ସେ ଆଜି ସଫଳ ନାୟିକାର ପରିଚୟ ପାଇଛନ୍ତି। ‘ମିତରେ ମିତ’ ଠାରୁ ଆରମ୍ଭ କରି ‘ବିଦ୍ୟାରାଣ’ ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରରେ ଖୁବ୍‌ ସୁନ୍ଦର ଅଭିନୟ କରିଛନ୍ତି। ତାଙ୍କ ଆକର୍ଷଣୀୟ ମୁହଁ, ପତଳା ଗଠନ ଓ ମିଠା କଥା ପ୍ରାୟ ସମସ୍ତଙ୍କୁ ପ୍ରଭାବିତ କରିଥାଏ। ତାଙ୍କର ଫିଟ୍‌ ରହିବାର ମୁଖ୍ୟ ତରିକା ହେଉଛି ଅଳ୍ପ ଖାଦ୍ୟ ଓ ଅଧିକ ବ୍ୟାୟାମ। ସେ କହନ୍ତି, ବଂଶଗତ କାରଣରୁ ସେ ଯେତେ ଅଳ୍ପ ଖାଦ୍ୟ ଖାଇଲେ ବି ଦେହରେ ଲାଗିଯାଏ। ସେଥିପାଇଁ ନିଜକୁ ପରୀକ୍ଷା କରିବା ପ‌େର ଜାଣିବାକୁ ପାଇଲେ ଯେ ନିଜର ଖାଦ୍ୟାଭ୍ୟାସକୁ ବଦଳାଇବା ନିହାତି ଦରକାର। ସେଥିପାଇଁ ସେ ୩୦ ପ୍ରତିଶତ ବ୍ୟାୟାମ ଉପରେ ନିର୍ଭରଶୀଳ ହୋଇଥିବାବେଳେ ୭୦ ପ୍ରତିଶତ ଖାଦ୍ୟାଭ୍ୟାସ ଉପରେ ନିର୍ଭର କରନ୍ତି। ପ୍ରଚୁର ପାଣି ଓ ଉତ୍ତମ ଖାଦ୍ୟ ହିଁ ଶରୀରକୁ ସୁସ୍ଥ ରଖିଥାଏ। ସେଥିପାଇଁ ପ୍ରତିଦିନ ସକାଳେ ୧୦ ହଜାର ପାଦ ସେ ଚାଲିବା ସହ ଜିମ୍‌ରେ କାର୍ଡିଓ ବ୍ୟାୟାମ ମଧ୍ୟ କରିଥାନ୍ତି।

ଏହି ପ୍ରସଙ୍ଗରେ ସେ କହନ୍ତି, ‘ତେଲ ମସଲା ଜାତୀୟ ଖାଦ୍ୟରୁ ମୁଁ ଦୂରେଇ ରହିଥାଏ। କିଛି ମାସ ହେବ ମିଲେଟ୍‌ ଜାତୀୟ ହାଲୁଆ, ଲଡ଼ୁ ଆଦି ନିଜେ ତିଆରି କରି ଖାଉଛି। ତିନିରୁ ଚାରି ଲିଟର ପାଣି ପିଇବା ମୋ ଅଭ୍ୟାସ। ବହୁତ ଲୋକ ପଚାରନ୍ତି ତୁମ ଉଜ୍ଜ୍ବଳ ତ୍ବଚାର ରହସ୍ୟ କ’ଣ? ମୋର ସବୁବେଳେ ଗୋଟିଏ ଉତ୍ତର ଯେ ମଁୁ ମୁହଁରେ କିଛି ଲଗାଏ ନାହିଁ। ମଁୁ ମୋ ଜେଜେବାପା ଓ ଜେଜେମା’ଙ୍କ ଖାଦ୍ୟ ପନ୍ଥାକୁ ଅନୁକରଣ କରେ। ସେମାନଙ୍କ ଉତ୍ତମ ଖାଦ୍ୟାଭ୍ୟାସ ମତେ ସବୁବେଳେ ଅନୁପ୍ରାଣିତ କରିଥାଏ। ଘର ତିଆରି ମସଲାବିହୀନ ଖାଦ୍ୟ ସାଙ୍ଗକୁ ଛତୁଆ, ଓଟସ୍‌ ପ୍ରଭୃତିକୁ ମୋ ଖାଦ୍ୟ ତାଲିକାରେ ପ୍ରଥମେ ରଖେ।’
ଶେଷରେ ଗୋଟିଏ କଥା, ନିଜର ଆତ୍ମବିଶ୍ବାସ ହିଁ ନିଜକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ। ପୁଷ୍ଟିକର ଖାଦ୍ୟ ଓ ନିୟମିତ ବ୍ୟାୟାମ୍‌ ରୋଗରୁ ଦୂରେଇ ରଖିଥାଏ। ସେଥିପାଇଁ ମୋଟା ହୋଇ ପୁଣି ପତଳା ହେବା ଅପେକ୍ଷା ମୂଳରୁ ହିଁ ଏ ସବୁକୁ ଜଗିବା ଦରକାର ବୋଲି କହନ୍ତି ଶିବାନୀ ସଂଗୀତା।

ସମ୍ବନ୍ଧିତ ଖବର