ଏସ୍‌ସିବିର ‘୭୫ରେ ୭୫’ରେ ବିଶିଷ୍ଟ ସାହିତ୍ୟିକଙ୍କ ଯୋଗଦାନ: ଡାକ୍ତରଖାନାରେ ମିଳେ ମନ୍ଦିର ଓ ମଶାଣିର ଏକତ୍ର ଅନୁଭବ

କଟକ : ମନ୍ଦିର ଓ ମଶାଣିର ଏକତ୍ର ଅନୁଭବ କେବଳ ଡାକ୍ତରଖାନାରେ ମିଳିଥାଏ। ରୋଗୀ ଭଗବାନଙ୍କ ଠିକଣା ପାଆନ୍ତିନି ବୋଲି ଡାକ୍ତରଙ୍କ ପାଖକୁ ଆସନ୍ତି। କୋଭିଡ୍‌ ସମୟରେ ସାରାବିଶ୍ବ ଡାକ୍ତରଙ୍କ ଗୁରୁତ୍ବ ଅନୁଭବ କରିଛି। ଡାକ୍ତରୀ ବିଦ୍ୟା ଓ ସାହିତ୍ୟ ରଚନା, ଉଭୟ କ୍ଷେତ୍ରରେ ସୃଜନଶୀଳତାର ଆବଶ୍ୟକତା ରହିଛି। ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପ୍ଲାଟିନମ୍‌ ଜୁବୁଲି ‘୭୫ ରେ ୭୫’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକମାନେ ଏହିଭଳି ବକ୍ତବ୍ୟ ରଖିଛନ୍ତି।

ଏସ୍‌ସିବିର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାହିତ୍ୟିକ, ଜ୍ଞାନପୀଠ ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ, ‘ସମ୍ବାଦ’ର ସଂପାଦକ (ଫିଚର) ତଥା ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ, ‘ମୋ ସ୍କୁଲ ଅଭିଯାନ’ର ମୁଖ୍ୟ ତଥା ପ୍ରଥିତଯଶା କଥାକାର ସୁସ୍ମିତା ବାଗ୍‌ଚୀ ପ୍ରମୁଖ ଯୋଗଦେଇ ଏସ୍‌ସିବିର ଗୌରବମୟ ଇତିହାସ, ସାହିତ୍ୟ ଓ ଚିକିତ୍ସା ବିଜ୍ଞାନର ସାମଞ୍ଜସ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ।

ପଦ୍ମଶ୍ରୀ ଡକ୍ଟର ପ୍ରତିଭା‌ ରାୟ କହିଥିଲେ ଯେ ଜାତି, ଧର୍ମ, ସୀମାରୁ ଉର୍ଦ୍ଧ୍ବରେ ରହିଛି ଚିକିତ୍ସା ବିଜ୍ଞାନ। ସ୍ନେହ, ପ୍ରେମ, କ୍ଷମା, ଦୟା ଉଭୟ ସାହିତ୍ୟ ଓ ଚିକିତ୍ସା ବିଜ୍ଞାନ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ। ଏହା ହିଁ ଉଭୟର ମୌଳିକ ଉପାଦାନ। ଯେପରି ସାହିତ୍ୟିକମାନେ ନିଜ ସୃଜନଶୀଳତାର ବିକାଶ କରି ପରିଚୟ ହାସଲ କରନ୍ତି, ଠିକ୍‌ ସେମିତି ଡାକ୍ତରମାନେ ମଧ୍ୟ ଅଭିଜ୍ଞତା ବଢ଼ାଇ ପ୍ରସିଦ୍ଧି ପାଆନ୍ତି। ମଣିଷ ପାଖରେ ଭଗବାନଙ୍କ ଠିକଣା ନଥାଏ, ଏଣୁ ସେ ମଣିଷରୂପୀ ଭଗବାନ ଡାକ୍ତରଙ୍କ ଉପରେ ନିଜ ଜୀବନ ପାଇଁ ଭରସା କରନ୍ତି ବୋଲି ଡକ୍ଟର ରାୟ କହିଥିଲେ।

ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ କହିଥିଲେ ଯେ ବ୍ୟକ୍ତିର ବୟସ ବଢିଲେ ସେ ବୁଢା ହୁଏ। କିନ୍ତୁ ଅନୁଷ୍ଠାନର ବୟସ ବଢିଲେ ସେ ବଡ଼ ହୁଏ। ତାର ଇତିହାସ ସମୃଦ୍ଧ ହୁଏ। ଏସ୍‌ସିବି ସହିତ ବିଭିନ୍ନ ସମୟରେ ସଂପୃକ୍ତ ଡାକ୍ତର ଓ ପ୍ରଫେସରମାନେ ଓଡ଼ିଶାର ଗୋଟିଏ ଗୋଟିଏ କିମ୍ବଦନ୍ତୀ। ଚିକିତ୍ସକଙ୍କ ମଧ୍ୟରେ ସହାନୁଭୂତି ଓ ସମାନୁଭୂତି ରହିଲେ ଲୋକଙ୍କ ଆସ୍ଥା ବଢିବ। ଡାକ୍ତରଖାନା ଏପରି ଏକ ଜାଗା ଯେଉଁଠାରେ ଉଭୟ ମନ୍ଦିର ଓ ମଶାଣିର ଏକତ୍ର ଅନୁଭବ ମିଳେ ବୋଲି ଡକ୍ଟର ଦାସ କହିଥିଲେ। ଡକ୍ଟର ଦାସ ଆହୁରି ମଧ୍ୟ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ହେଉଛି ଜୀବନର ଉପଚାର, ସାହିତ୍ୟ ହେଉଛି ଜୀବନର ଆଲୋଚନା। ଲେଖକଟିଏ ଜନ୍ମ ହୁଏ, ତିଆରି ହୁଏ ନାହିଁ। ଲେଖିବା ପାଇଁ ତାକୁ ଅନୁଭବ ସଂଗ୍ରହ କରିବାକୁ ପଡେ। ଅନୂଭୂତି ବିନା ସାହିତ୍ୟ ରଚନା ଅସମ୍ଭବ। ସଫଳ ଚିକିତ୍ସିକଙ୍କ ପାଇଁ ଯେମିତି କେବଳ ବିଦ୍ୟା ନୁହେଁ, ସମାନୁଭୂତି ଦରକାର ସେମିତି ସମର୍ଥ ଲେଖକ ପାଇଁ କେବଳ ଶଦ୍ଦ ଉପରେ ଦଖଲ ଯଥେଷ୍ଟ ନୁହେଁ, ଦୃଦୟ ଦରକାର, ଦୃଷ୍ଟିକୋଣ ଦରକାର। ‌ଡାକ୍ତରମାନେ ଶରୀରର ଚିକିତ୍ସା କରନ୍ତି ଓ ସାହିତ୍ୟିକମାନେ ମନର ଚିକିତ୍ସା କରନ୍ତି। ଉଚ୍ଚ କୋଠା, ପ୍ରଶସ୍ତ ରାସ୍ତା ରହିଲେ କୌଣସି ଅନୁଷ୍ଠାନ ପ୍ରସିଦ୍ଧ ହୁଏନାହିଁ । ଏଥିପାଇଁ ଆସ୍ଥା ଓ ବିଶ୍ୱାସ ଦରକାର। ଯେପରି ନାଭିବ୍ରହ୍ମ ଦାରୁକୁ ଦିଅଁରେ ପରିଣତ କରେ, ଠିକ୍‌ ସେମିତି ଲୋକଙ୍କ ବିଶ୍ୱାସ ବଳରେ ଏସ୍‌ସିବି ପ୍ରସିଦ୍ଧି ହାସଲ କରିଛି ବୋଲି ଡକ୍ଟର ଦାସ କହିଥିଲେ।

ଅନ୍ୟତମ ଅତିଥି ସାହିତ୍ୟିକା ସୁସ୍ମିତା ବାଗ୍‌ଚୀ ନିଜ ଅଭିଭାଷଣରେ, ଜଣେ ଡାକ୍ତର ମଣିଷର ଚାରୋଟି ଅବସ୍ଥାକୁ ଅତି ନିକଟରୁ ଅନୁଭବ କରେ ବୋଲି କହିଥିଲେ। ଏହି ଚାରୋଟି ଅବସ୍ଥା ହେଲା, ଯନ୍ତ୍ରଣା, ଆଶା, ଉଲ୍ଲାସ ଓ ଦୁଃଖ । ଏଣୁ ଡାକ୍ତରମାନେ ମଣିଷର ଅନୁଭବକୁ ନେଇ ସାହିତ୍ୟରେ ସ୍ଥାନ ଦେବା କୌଣସି କଷ୍ଟକର ପ୍ରସଙ୍ଗ ନୁହେଁ ବୋଲି ସେ କହିଥିଲେ। ବିଶ୍ୱର ଅନେକ ଡାକ୍ତର ସାହିତ୍ୟ କୃତିରେ ପ୍ରତିଷ୍ଠିତ ହୋଇଛନ୍ତି। ତାଙ୍କ ଦ୍ୱାରା ରଚିତ ‘ଦେବ ଶିଶୁ’, ‘ସାତତାଳ ପାଣି’ ଓ ‘ଛାଇ ଛାଇରେ ଆଲୁଅ’ ଉପନ୍ୟାସ ମୁଖ୍ୟତଃ ଡାକ୍ତରୀ ବିଜ୍ଞାନ ଉପରେ ଆଧାରିତ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ ପରିଚାଳନା କରିଥିବାବେଳେ ପ୍ରଫେସର ଡାକ୍ତର ରୋମା ରତନ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର