ନାଁକୁ ରାଉରକେଲା ସ୍ମାର୍ଟସିଟି; ଜଳ ପରେ ବାୟୁ ପ୍ରଦୂଷିତ

ପୁଣି ଚାଲିଲା ବନ୍ଦ ବିପିୟୁଟି ଡମ୍ପିଂୟାର୍ଡ, ଦୈନିକ ସହରରୁ ବାହାରୁଛି ୧୨୦ ଟନ୍‌ ଅଳିଆ

ରାଉରକେଲା: ସ୍ମାର୍ଟସିଟି ‌ହୋଇଛି ସତ, କିନ୍ତୁ ସହରବାସୀ ଯେତିକି ସୁବିଧା ପାଇବା କଥା, ତା’ ପାଇଲେନି। ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ସହରବାସୀଙ୍କୁ କେତେ ବିଶୁଦ୍ଧ ପାଣି ଯୋଗାଇ ଦେଉଛି, ତା’ ବ୍ୟାପୀଥିବା ହଇଜାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ପରିବେଶ ପ୍ରଦୂଷିତ କରୁଥିବା ବିପିୟୁଟି ପାର୍ଶ୍ବ ଡମ୍ପିଂ ୟାର୍ଡକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କର୍ତ୍ତୃପକ୍ଷ ହକି ବିଶ୍ବକପ୍‌ ପୂର୍ବରୁ ବନ୍ଦ କରିଦେଇଥିଲେ। ହକି ସରିଲା ପରେ ସ୍ଥିତି ଯେମିତିକୁ ସେମିତି। ଏବେ ପୁଣି ଡମ୍ପିଂକୁ ଚାଲୁ କରି ଦିଆଯାଇଛି। ପ୍ରତିଦିନ ସହରରୁ ବାହାରୁଥିବା ପ୍ରାୟ ୧୨୦ ଟନ୍‌ ଅଳିଆରୁ ୩୦ ରୁ୪୦% ଖୋଲା ସ୍ଥାନରେ ଡମ୍ପିଂ କରାଯାଉଛି। ଗତ ପ୍ରାୟ କିଛି ମାସ ଧରି ଆର୍‌ଏମ୍‌ସି ପରିମଳ ବିଭାଗ ଏଭଳି ବେଆଇନ କାମ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଡମ୍ପିଂ ୟାର୍ଡ ଚତୁଃପାର୍ଶ୍ବରେ ଛେଣ୍ଡ କଲୋନି, ରାଉରକେଲା ବିମାନ ବନ୍ଦର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ, ଆକାଂକ୍ଷା ହଷ୍ଟେଲ, ଓଏମ୍‌ସି ବିଦ୍ୟାଳୟ ଆଦି ରହିଛି। ରାଉରକେଲା ବିମାନବନ୍ଦର ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି। ଖୋଲାସ୍ଥାନରେ ଅଳିଆ ଆବର୍ଜନା ଡମ୍ପିଂ ହେଉଥିବାରୁ ଏସବୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ସକାଳ ଓ ସଂଧ୍ୟାରେ ଏମିତି ଦୁର୍ଗନ୍ଧ ହେଉଛି ଲୋକମାନେ ମୁହଁରେ ରୁମାଲ ବାନ୍ଧି ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ହେଲେ ବିଭାଗୀୟ ଅଧିକାରୀ ଏ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ଛେଣ୍ଡ, କଳିଙ୍ଗ ବିହାର ଓ ଏହାର ଚତୁଃପାର୍ଶ୍ବର ବାୟୁ ଏତେ ମାତ୍ରାରେ ପ୍ରଦୂଷିତ ହେଉଛି, ଯେ ହଇଜା ପରି ବାୟୁବାହିତ ରୋଗ ବ୍ୟାପୀବାର ଯଥେଷ୍ଟ ସମ୍ଭାବନା ରହିଛି। ଆର୍‌ଏମ୍‌ସିର ପରିମଳ ବିଭାଗର ଜନୈକ ଅଧିକାରୀ କହିଛନ୍ତି, ଦୈନିକ ସହରରୁ ପାଖାପାଖି ୧୨୦ ଟନ୍‌ ଅଳିଆ ବାହାରୁଛି। ୭୦%ରୁ ଅଧିକ ଅଳିଆ ମାଇକ୍ରୋ କମ୍ପେଷ୍ଟିଂ ସେଣ୍ଟର (ଏମ୍‌ସିସି)କୁ ଯାଉଛି। ଅଳ୍ପ କିଛି ଡମ୍ପିଂ କରାଯାଉଛି। କିଛି ଦିନ ମଧ୍ୟରେ ଡମ୍ପିଂ ବନ୍ଦ ହୋଇଯିବ ବୋଲି କହିଛନ୍ତି। ତେବେ ହକି ପୂର୍ବରୁ ବନ୍ଦ ଥିବା ଡମ୍ପିଂ ୟାର୍ଡକୁ କାହିଁକି ଚାଲୁ କରାଗଲା, ତାକୁ ନେଇ ସ୍ଥାନୀୟବାସିନ୍ଦା ପ୍ରଶ୍ନ କରିଛନ୍ତି। ହଇଜା ପରି ବାୟୁବାହିତ ରୋଗ ବ୍ୟାପୀବା ପୂର୍ବରୁ ଆର୍‌ଏମ୍‌ସି ଡମ୍ପିଂ ୟାର୍ଡକୁ ବନ୍ଦ କରିବାର ଆବଶ୍ୟକତା‌ ରହିଛି। ଉଲ୍ଲେଖଯୋଗ୍ୟ, ପ୍ରଦୂଷଣ ବିଭାଗର ତାଗିଦ ପରେ ସହରକୁ ପରିମଳ ଓ ପ୍ରଦୂଷଣ ମୁକ୍ତ ରଖିବାକୁ ବେଶ୍‌ ତତ୍ପର ହୋଇଥିଲେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀ।

ତରକେରାରେ ବହୁ ପ୍ରତୀକ୍ଷିତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ବନ୍ଦ ହେବା ପରେ ସହର ବିଭିନ୍ନ ସ୍ଥାନରେ ସ୍ଥାପନା ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)। ସହରର ପର୍ଟିଲାଇଜର, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି), ବିର୍ସାମୁଣ୍ଡା ଷ୍ଟାଡିୟମ ପାର୍ଶ୍ବ, ଉଦିତନଗର ମ୍ୟୁନିସିପାଲ କଲେଜ ନିକଟ, ବାଲୁଘାଟ, ତରକେରା, ବାସନ୍ତି କଲୋନି ବରଫ ଫ୍ୟାକ୍ଟ୍ରି ଏମିତି ମୋଟ ୮ଟି ସିସିସି ରହିଛି। ପ୍ରତ୍ୟେକ ଏମ୍‌ସିସିରେ ଦୈନିକ ୫ ଟନ୍‌ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ଜୈବିକ ଖତ ବାହାର କରାଯାଉଛି। ଦୈନିକ ୩୫ ଟନ୍‌ରୁ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଉଛି। ଅବଶିଷ୍ଟ ବର୍ଜ୍ୟବସ୍ତୁକୁ ବିପିୟୁଟି ପାର୍ଶ୍ବ ଡମ୍ପିଂ ୟାର୍ଡରେ ଡମ୍ପିଂ କରାଯାଉଛି। ସେପଟେ ପ୍ରତ୍ୟେକ ଏମ୍‌ସିସି ବାହାରୁଥିବା ଟନ୍‌ ଟନ୍‌ ଜୈବିକ ଖତକୁ କେଜି ପ୍ରତି ପ୍ରାୟ ୨୦ ଟଙ୍କାରେ ବିକ୍ରି କରାଯାଉଛି। ଚାରାରୋପଣ ସମେତ ଅନ୍ୟାନ୍ୟ କାମକରିବାକୁ ବନବିଭାଗ, ମୃତ୍ତିକା ସଂରକ୍ଷଣ ସମେତ ଅନ୍ୟାନ୍ୟ ବିଭାଗ ଖତକୁ ବ୍ୟବହାର କରୁଛନ୍ତି। ଥରେ ମାତ୍ର ବ୍ୟବହାର ପ୍ଲାଷ୍ଟିକ ସିମେଣ୍ଟ କାରଖାନା ଜାଳେଣି ଭାବେ ବ୍ୟବହୃତ ହେଉଛି।

ସମ୍ବନ୍ଧିତ ଖବର