ସରକାରୀ ସ୍କୁଲ ପିଲାଙ୍କ ସ୍ୱପ୍ନ ସାକାର ହେବ: ମୁଖ୍ୟମନ୍ତ୍ରୀ

ସ୍କୁଲ୍‌ ରୂପାନ୍ତରୀକରଣ: ଚତୁର୍ଥ ଦିବସରେ ଆଉ ୧୫୮ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର : ୫-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ୫ ଜିଲ୍ଲାର ୧୫୮ଟି ସ୍କୁଲ ଲୋକାର୍ପିତ ହୋଇଛି। ଯେଉଁଥିରେ ମାଲକାନଗିରିର ୬, ଝାରସୁଗୁଡ଼ା‌ର ୨୫, କଳାହାଣ୍ଡିର ୨୯, ମୟୂରଭଞ୍ଜର ୬୦ ଓ ଖୋର୍ଦ୍ଧାର ୩୮ଟି ସ୍କୁଲ ରହିଛି। ଏହାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟବ୍ୟାପୀ ୬୮୯ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ସ୍କୁଲ ମଧ୍ୟରେ ଥିବା ତଫାତକୁ ଦୂର କରିଛି। ଗାଁ ସ୍କୁଲରେ ସହରର ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି। ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫% ସିଟ୍‌ ସଂରକ୍ଷିତ କରିଛନ୍ତି। ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହୋଇ ପିଲାମାନେ ଜୀବନର ସବୁ ଆହ୍ବାନକୁ ସାମ୍ନା କରିବା ସ୍କୁଲ ରୂପାନ୍ତରଣର ପ୍ରମୁଖ ଲକ୍ଷ୍ୟ। ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ତୁମମାନଙ୍କର ସବୁଠାରୁ ବଡ଼ ପରିଚୟ। ମୋର ପୂରା ବିଶ୍ବାସ, ତୁମେମାନେ ଭଲ ପାଠ ପଢ଼ି ରାଜ୍ୟର ଗୌରବ ବୃଦ୍ଧି କରିବ।

କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତରଣ ସମ୍ପର୍କରେ କହିଥିଲେ। ମାଲକାନଗିରିର ପାପୁନି ମାଣ୍ଡି, ଝାରସୁଗୁଡ଼ାର ଶାଳିନୀ ତ୍ରିପାଠୀ, କଳାହାଣ୍ଡିର କୁମୁଦିନୀ ବନ୍ଦିଛୋଡ଼, ମୟୂରଭଞ୍ଜର ମଧୁସ୍ମିତା ସାହୁ, ଖୋର୍ଦ୍ଧା ଜିଲ୍ଲାର ଉଦୟ ପ୍ରକାଶ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ କହିଲେ ଯେ, ଗାଁ ଭିତରେ ଥିବା ସ୍କୁଲ ଆମର ସବୁଠାରୁ ବଡ଼ ଆକର୍ଷଣ ପାଲଟିଛି। ଏହି ରୂପାନ୍ତରିତ ସ୍କୁଲରେ ଉପଲବ୍ଧ ଥିବା ସ୍ମାର୍ଟ ସୁବିଧା ଆମକୁ ଉତ୍ସାହିତ କରିଛି। ଏହା ଆମର ଲକ୍ଷ୍ୟ ପୂରଣ ପାଇଁ ମନୋବଳକୁ ଦୃଢ଼ କରିଛି। ଭବିଷ୍ୟତରେ କ’ଣ ହେବାକୁ ଚାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଚାରିବାରୁ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ଆଇଏଏସ୍‌, ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ସମାଜସେବୀ, ସାମ୍ବାଦିକ ହେବେ ବୋଲି ମତପ୍ରକାଶ କରିଥିଲେ।

ମାଲକାନଗିରିରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝାରସୁଗୁଡ଼ାରେ ବିଧାୟକ କିଶୋର ମହାନ୍ତି, କଳାହାଣ୍ଡିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୟୂରଭଞ୍ଜରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଖୋର୍ଦ୍ଧାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ଅରବିନ୍ଦ ଢାଲି, ରାଜେନ୍ଦ୍ର କୁମାର ସାହୁ, ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଦ୍ବୈତନଗରୀ ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜ ସଫଳତାରେ ସ୍କୁଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ସାହୁ କଳାହାଣ୍ଡି ଜିଲ୍ଲା ମାଣିକେଶ୍ବରୀ ହାଇସ୍କୁଲର ଛାତ୍ର ଥିଲା ବେଳେ ଶ୍ରୀ ପ୍ରିୟଦର୍ଶୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲର ଛାତ୍ର ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉନ୍ନୟନ କମିସନର୍‌ ପି.କେ ଜେନା, କୃଷି ଉତ୍ପାଦନ କମିସନର୍‌ ଆର୍‌.କେ ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର