ଆମ୍ବେଦକରଙ୍କ ଜୀବନୀ ଓ ଅବଦାନ ଶୀର୍ଷକ ସ୍ବତନ୍ତ୍ର ବକ୍ତୃତା ଅନୁଷ୍ଠିତ

କୋରାପୁଟ: ଭାରତରତ୍ନ ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସୁନାବେଡ଼ା ପରିସରରେ ‘ଡ. ବି.ଆର୍ ଆମ୍ବେଦକରଙ୍କ ଜୀବନ ଓ ଅବଦାନ’ ଶୀର୍ଷକ ଏକ ସ୍ବତନ୍ତ୍ର ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଓ ଔରଙ୍ଗାବାଦସ୍ଥିତ ଡ. ବାବାସାହେବ ଆମ୍ବେଦକର ମରାଠୱାଡା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବାଲୁ ଆନନ୍ଦ ଚୋପାଡେ ଓ ବିଶ୍ୱଭାରତୀର ଯୁଗ୍ମ ରେଜିଷ୍ଟ୍ରାର ଡ. ପ୍ରଶାନ୍ତ ମେଶ୍ରାମ ପ୍ରମୁଖ ଯୋଗଦେଇ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥଲେ। ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସଭାପତିତ୍ବ ଭାଷଣ ଦେଇଥିଲେ। ପ୍ରଫେସର ତ୍ରିପାଠୀ ଡ. ଆମ୍ବେଦକରଙ୍କ ଗଭୀର ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ତାଙ୍କୁ ଜଣେ ଦୂରଦର୍ଶୀ ବିଶ୍ୱ ଆଇକନ୍ ଏବଂ ରାଷ୍ଟ୍ରର ପ୍ରକୃତ ସ୍ଥାପକ ଭାବରେ କୃତଜ୍ଞତା ଜଣାଇଥିଲେ । ଡ. ଆମ୍ବେଦକରଙ୍କ ଜୀବନ, ଶିକ୍ଷା ଓ ଅବଦାନକୁ ଅନୁଧ୍ୟାନ କରିବା ସହ ସାମାଜିକ ଓ ଜାତୀୟ ପ୍ରଗତିରେ ସକ୍ରିୟ ଭାବେ ଯୋଗଦାନ କରିବାକୁ ପ୍ରେରଣା ପାଇବା ପାଇଁ ସେ ବିଶ୍ୱବିଦ୍ୟାଳୟ ସମୁଦାୟଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର ଓ ଫାଇନାନ୍ସ ଅଫିସର ପ୍ରଫେସର ଏନ୍ ସି ପଣ୍ଡା, ଏକାଡେମିକ୍ ଆଣ୍ଡ୍ ଆଡ୍ମିନିଷ୍ଟ୍ରେସନ୍ ର ଉପଦେଷ୍ଟା ପ୍ରଫେସର ଭିସି ଝା ପ୍ରମୁଖ ଉପସ୍ଥିତ ଥିଲେ। ରାଜଭାଷା ସେଲ୍ ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ହେମରାଜ ମୀନା ସ୍ୱାଗତ ଭାଷଣ ଦେଇଥିଲେ। ଡ. ବିଆର୍ ଆମ୍ବେଦକରଙ୍କ ଅନନ୍ୟ ମହାନତା ଉପରେ ଆଲୋକପାତ କରି ପ୍ରଫେସର ଚୋପାଡେ ଜ୍ଞାନର ପ୍ରତୀକ ଭାବରେ ତାଙ୍କର ମହତ୍ତ୍ୱ ଉପରେ ବର୍ଣନା କରିଥିଲେ, ବିଶେଷ କରି କଲମ୍ବିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ଉଲ୍ଲେଖନୀୟ ଶୈକ୍ଷିକ ଯାତ୍ରାକୁ ଉଲ୍ଲେଖ କରିଥିଲେ। ଜଣେ ଜ୍ଞାନୀ, ସମାଜ ସଂସ୍କାରକ, ଆଇନଜୀବୀ, ଅର୍ଥନୀତିଜ୍ଞ ଏବଂ ମହିଳା ସଶକ୍ତୀକରଣ ସମେତ ବିଭିନ୍ନ ଉଦ୍ଦେଶ୍ୟପାଇଁ ଭାରତର ସମ୍ବିଧାନ ନିର୍ମାତା ଡ. ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡକ୍ଟର ମେଶ୍ରାମ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବିଶ୍ୱବ୍ୟାପୀ ପାଳନ କରାଯାଉଥିବା ବିଶ୍ୱସ୍ତରୀୟ ସ୍ୱୀକୃତି ଉପରେ ଆଲୋକପାତ କରିଥିଲେ । ଭାରତୀୟ ସମ୍ବିଧାନ ରଚନାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାଠାରୁ ଆରମ୍ଭ କରି ଆଧୁନିକ ଭାରତକୁ ନିର୍ମାଣ କରିବାରେ ପ୍ରମୁଖ ଅନୁଷ୍ଠାନ ଏବଂ ନୀତି ପ୍ରତିଷ୍ଠା ରେ ତାଙ୍କର ପ୍ରୟାସ ପର୍ଯ୍ୟନ୍ତ ସେ ଡ. ଆମ୍ବେଦକରଙ୍କ ବହୁମୁଖୀ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଝା ତାଙ୍କ ଆଇନଗତ ଦକ୍ଷତା ଏବଂ ନୀତିଗତ ହସ୍ତକ୍ଷେପ ମାଧ୍ୟମରେ ଆଧୁନିକ ଭାରତ ଗଠନରେ ଡ. ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଡ. ଆମ୍ବେଦକରଙ୍କ ଦୂରଦୃଷ୍ଟି ଦେଶକୁ ପ୍ରଗତି ଓ ଉତ୍କର୍ଷତା ଦିଗରେ ମାର୍ଗଦର୍ଶନ କରୁଛି ବୋଲି ସେ କହିଥିଲେ ।

ପ୍ରଫେସର ପଣ୍ଡା ଡ. ଆମ୍ବେଦକରଙ୍କୁ ଭାରତର ଜଣେ ସମ୍ମାନଜନକ ଋଷିଙ୍କ ସହ ତୁଳନା କରି ସାମାଜିକ ଉନ୍ନତି ଓ ପ୍ରଗତି ପ୍ରତି ତାଙ୍କର ଅତୁଟ ସମର୍ପଣ ଉପରେ ଆଲୋକପାତ କରିବା ସହ ପ୍ରାଚୀନ ଶାସ୍ତ୍ରର ଶିକ୍ଷା ସହିତ ସମାନତା ଆଙ୍କିଥିଲେ। କାର୍ଯ୍ୟକ୍ରମକୁ ପ୍ରଫେସର ମୀନା ସଂଯୋଜନା କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅଧ୍ୟାପକ, ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଗବେଷକମାନେ ଏହି ବକ୍ତୃତାରେ ଯୋଗଦେଇ ଡ. ବିଆର୍ ଆମ୍ବେଦକରଙ୍କ ସ୍ଥାୟୀ ପରମ୍ପରାପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ବିଶ୍ଵବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି।

ସମ୍ବନ୍ଧିତ ଖବର