ବେଣ୍ଟ ନାମରେ ଶିକାର ବଢୁଛି: ବନ ବିଭାଗର ସଚେତନତା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୁରପଲ୍ଲୀରେ ଏବେ ଚଇତି ପରବ ପାଳନ କରାଯାଉଛି। ଏହି ଅବସରରେ ଗ୍ରାମବାସୀ ଜଂଗଲକୁ ବେଣ୍ଟ ନାମରେ ଶିକାର କରିବାକୁ ଯାଉଛନ୍ତି। ପରଂପରାକୁ ଦ୍ବାହି ଦେଇ ଲୋକେ ଶିକାର କରିବା ସହ ଜଂଗଲରେ ନିଆଁ ଲଗାଇ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ମାଲକାନଗିରି ବନ ବିଭାଗ ତତ୍ପରତା ଦେଖାଇଛି। ବେଣ୍ଟ ଶିକାର ହେଉଥିବା ଗ୍ରାମଗୁଡିକରେ ଲୋକଙ୍କୁ ସଚେତନ କରାଉଛି। ଗାଁ ଗାଁରେ ଲୋକେ ଏହି ପରବ ପାଳନ ଅବସରରେ ଜଂଗଲରୁ ଶିକାର କରି ଯାହା ପଶୁ ଆଣିଥିବେ ତାହାକୁ ଗାଁରେ ଭୋଜିଭାତ କରି ଖାଇବେ।

ତେବେ ସୋମବାର ଗୌଡଗୁଡିର ଗ୍ରାମବାସୀ ଜଂଗଲକୁ ଶିକାର କରିବାକୁ ଯାଇଥିବା ବେଳେ ବନ ବିଭାଗ ଲୋକଙ୍କୁ ବୁଝାସୁଝା କରି ଜଂଗଲରୁ ଫେରାଇ ଆଣିଥିଲା।ଲୋକଙ୍କୁ ଶିକାର ନକରିବା ପାଇଁ ପ୍ରବର୍ତ୍ତାଇଥିଲା।ଜଂଗଲରେ ଆଉ ପଶୁ ନଥିବା ବେଳେ ପ୍ରତିବର୍ଷ ଯଦି ଜଂଗଲରେ ଶିକାର କରାଯାଏ ତେବେ ଜଂଗଲିଜନ୍ତୁ ଆଉ ରହିବେ ନାହିଁ ବୋଲି କୁହାଯାଇଥିଲା। ମାଲକାନଗିରି ବନାଞ୍ଚଳ ଅଧିକାରୀ ବାଣିଶ୍ରୀ ତପସ୍ବିନୀ ଦେବୀ ନିଜର କର୍ମଚାରୀଙ୍କୁ ନେଇ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ନିଜର ଭୁଲ ବୁଝିପାରିଥିଲେ।ପର୍ବପର୍ବଣୀ, ପରଂପରା, ସଂସ୍କୃତି ନାମରେ ଜଂଗଲ ନଷ୍ଟ କରିବା କେତେ ଯୁକ୍ତିଯୁକ୍ତ ବୋଲି ବନାଞ୍ଚଳ ଅଧିକାରୀ କହିଥିଲେ।

ଜଂଗଲକୁ ଶିକାର କରିବାକୁ ଯାଇ ଜଂଗଲରେ ନିଆଁ ଲଗାଇବା ଧର୍ତ୍ତବ୍ୟ ଅପରାଧ ବୋଲି କହିଥିଲେ। ଏଥିପାଇଁ କଡା ଆଇନ କାନୁନ ରହିଥିବା କହିବା ପରେ ଲୋକେ ଆଗକୁ ସତର୍କ ରହିବେ ବୋଲି କହିଥିଲେ। ତେଣୁ ଜଂଗଲକୁ ବେଣ୍ଟ ନାମରେ ଶିକାର କରିବାକୁ ଯାଉଥିବା ଲୋକେ ସତର୍କ ରୁହନ୍ତୁ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି।ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଏହାକୁ ଭୃକ୍ଷେପ ନକରି ଜବରଦସ୍ତ ଭୁଲ କରିଚାଲିଥିବା କୁହାଯାଇଛି। ତେଣୁ ଆଗକୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର