ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ କାହିଁକି ଗିରଫ କଲ? ଇଡିକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀ ସମୟକୁ ନେଇ ସୁପ୍ରିମ୍ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ପ୍ରଶ୍ନ କରିବା ସହ ଜବାବ ତଲବ କରିଛନ୍ତି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ ଭି ରାଜୁଙ୍କୁ ‘ଗିରଫଦାରି ସମୟ’ ସଂପର୍କିତ ପ୍ରଶ୍ନର ଉତ୍ତର ଦେବାକୁ କହିଛନ୍ତି। ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ କହିଥିଲେ, ଜୀବନ ଓ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ଏହାକୁ ଅସ୍ୱୀକାର କରିପାରିବେ ନାହିଁ।

ଖଣ୍ଡପୀଠ ରାଜୁଙ୍କୁ ଆହୁରି ଅନେକ ପ୍ରଶ୍ନ ପଚାରିବା ସହ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନର ପରବର୍ତ୍ତୀ ଶୁଣାଣି ଦିନ ତଦନ୍ତକାରୀ ସଂସ୍ଥାକୁ ଜବାବ ରଖିବାକୁ କହିଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ।

ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲରେ ଅଛନ୍ତି। କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏପ୍ରିଲ ୧୫ରେ ଇଡିକୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ।

 

ସମ୍ବନ୍ଧିତ ଖବର