ବରିଷ୍ଠ ଡାକ୍ତର ମହେଶ ବିଶ୍ବାଳ ଆଉ ନାହାନ୍ତି

ବାଲେଶ୍ବର: ରାଜ୍ୟର ବରିଷ୍ଠ ନିଦାନ ରୋଗ ବିଶେଷଜ୍ଞ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କର ବୁଧବାର ଭୋର୍‌ ସମୟରେ ବାଲେଶ୍ବର ସହର କେନ୍ଦ୍ରୀୟ ବିଦ୍ୟାଳୟ ଛକ ନିକଟ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ରାଜ୍ୟରେ ରକ୍ତଦାନ ଅଭିଯାନକୁ ଆଗକୁ ନେବା ତଥା ବିଭିନ୍ନ ସ୍ଥାନରେ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତାଙ୍କର ନିଶା ଥିଲା। ଆଜି ବିଶ୍ବ ରକ୍ତଦାତା ଦିବସରେ ତାଙ୍କର ଆକସ୍ମିକ ବିୟୋଗ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି।

ବାଲେଶ୍ବର ଜିଲ୍ଲା ‌ରେମୁଣା ବ୍ଲକ୍‌ ଶ୍ରୀଜଙ୍ଗ ଗ୍ରାମରେ ଜନ୍ମିତ ଡାକ୍ତର ବିଶ୍ବାଳ ଜଣେ କର୍ମଯୋଗୀ ଓ ନୀତିନିଷ୍ଠ ମଣିଷ ଭାବେ ସମସ୍ତଙ୍କର ପ୍ରିୟଭାଜନ ଥିଲେ। ଜଣେ ଅଭିଜ୍ଞ ନିଦାନ ବିଶେଷଜ୍ଞ ସାଙ୍ଗକୁ ସେବାମନସ୍କ ଚିନ୍ତାଧାରା ତାଙ୍କୁ ରୋଗୀ ସେବା ଓ ସ୍ବେଚ୍ଛା ରକ୍ତଦାନ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ପାଥୋଲୋଜିରେ ପିଜି କରିଥିବା ଡାକ୍ତର ବିଶ୍ବାଳ ୧୯୮୦ ମସିହାରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପଣ୍ଡୁଗ୍ରାମ ହସ୍‌ପିଟାଲରେ ସେବା ଜୀବନର ଅୟମାରମ୍ଭ କରିଥିଲେ। ପରେ କୋରାପୁଟ ଜିଲ୍ଲା କୋଷଗୁମୁଡ଼ା ପିଏଚ୍‌ସି, ଫୁଲବାଣୀ ମନମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଓ ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରେ ନିଦାନ ବିଭାଗରେ ଅଧ୍ୟାପନା କରିଥିଲେ। କିଛି ବର୍ଷ ନିଜ ଜିଲ୍ଲା ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ନିଦାନ ରୋଗ ବିଶେଷଜ୍ଞ ତଥା ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଭା‌ବେ ମଧ୍ୟ କାର୍ଯ୍ୟ କରିଥିଲେ।

ଅଭିଜ୍ଞ ନିଦାନ ବିଶେଷଜ୍ଞ ଭାବେ ଜଣାଶୁଣା ଥିଲେ
ରାଜ୍ୟରେ ସ୍ବେଚ୍ଛା ରକ୍ତଦାନ ଆନ୍ଦୋଳନର ଅଗ୍ରଦୂତ ଥିଲେ

ପରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନିଦାନ ବିଶେଷଜ୍ଞ ଭାବେ କାର୍ଯ୍ୟ କରି ଚାକିରି ଜୀବନର ଶେଷ ବେଳକୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇଥିଲେ। ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ କ୍ଷେତ୍ରରେ ତାଙ୍କର ଅବଦାନ ଯେତିକି ଉଲ୍ଲେଖନୀୟ ଥିଲା, କଳାହାଣ୍ଡି ଜିଲ୍ଲାରେ ହଇଜା ନିୟନ୍ତ୍ରଣ ଦିଗରେ ମଧ୍ୟ ତାଙ୍କ ପଦକ୍ଷେପ ବେଶ ପ୍ରଶଂସନୀୟ ଥିଲା। ଗତ ୨ ତାରିଖରେ ବାଲେଶ୍ବର ବାହାନଗାଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ ଯାଇ ଡାକ୍ତର ବିଶ୍ବାଳ ଯେଭଳି ତତ୍ପରତା ଦେଖାଇଥିଲେ, ତାହା ସମସ୍ତଙ୍କୁ ଅଭିଭୂତ କରିଥିଲା। ବାଲେଶ୍ବର ରକ୍ତକେନ୍ଦ୍ରରେ ଆୟୋଜିତ ସାମୂହିକ ରକ୍ତଦାନ ଶିବିରରେ ବିନା ବିଶ୍ରାମରେ ୪୮ ଘଣ୍ଟା ଧରି ତାଙ୍କର କର୍ତ୍ତବ୍ୟ ସମ୍ପାଦନକୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ପ୍ରଶଂସା କରିଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପାଇ କାହିଁ କେତେ ଦୂରରୁ ରୋଗୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ରାଜନେତା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସ୍ବେଚ୍ଛାସେବୀ ରକ୍ତଦାତା ଛୁଟି ଆସିଥିଲେ ଶେଷଦର୍ଶନ ପାଇଁ। ଏଭଳି ଜଣେ ଜନାଭିମୁଖୀ ଡାକ୍ତରଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଗତକାଲି ଡାକ୍ତର ବିଶ୍ବାଳଙ୍କ ସହିତ ଝିଅ ଦୀପା ବିଶ୍ବାଳ କେବଳ ଘରେ ଥିଲେ। ମୃତ୍ୟୁ ଖବର ପାଇ ଭୁବନେଶ୍ବରରୁ ପତ୍ନୀ ସୁଷମା ବିଶ୍ବାଳ, ବଡ଼ପୁଅ ଦୀପକ ବିଶ୍ବାଳ, ସାନପୁଅ କ୍ଷୀରୋଦ ବିଶ୍ବାଳ, ବୋହୂ ସାଗରିକା ବିଶ୍ବାଳ, ନାତୁଣୀ ଅପେକ୍ଷା ବିଶ୍ବାଳ ଆସି ଘରେ ପହଞ୍ଚିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍‌ ଜଗଦ୍ଦେବ, ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଓଡ଼ିଶା ରକ୍ତକେନ୍ଦ୍ର ବାଲେଶ୍ବର ଶାଖା ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଡାକ୍ତର ଭବାନୀ ଶଙ୍କର ପାଣି, ଡାକ୍ତର ଅମର ବର୍ଦ୍ଧନ, ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ ନାୟକ, ଡାକ୍ତର ଅଜୟକୃଷ୍ଣ ସାମଲ, ଡାକ୍ତର ଓମ୍‌କାର ମହାପାତ୍ର, ଡାକ୍ତର ସୁଜିତ ନାରାୟଣ ମହାପାତ୍ର, ଡାକ୍ତର ବନବିହାରୀ ଦାସ, ଡାକ୍ତର ଶଶୀଭୂଷଣ ରଥ, ଡାକ୍ତର ବେଣୁମାଧବ, ଡାକ୍ତର ଦେବବ୍ରତ ପ୍ରଧାନ, ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସମ୍ପାଦକ ହୃଷୀକେଶ ସାହୁ, ଉପଦେଷ୍ଟା‌ ରବି ରାଉତ, ସେକ୍‌ ଜନ୍ନତ ହୁସେନ, ଶୁଭଙ୍କର ମହାପାତ୍ର, ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଲକ୍ଷ୍ମୀଧର ବାରିକ, ‘ଜୀବନବିନ୍ଦୁ’ର ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ସ୍ବର୍ଗତ ବିଶ୍ବାଳଙ୍କ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର