ସୁନା ଚେନ୍‌ ପାଇଁ ଅମାନବୀୟ ନିର୍ଯାତନା : ଯୁବକଙ୍କୁ ଉଠାଇନେଇ ପ୍ରାଣାନ୍ତକ ଆକ୍ରମଣ, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୬ ଗିରଫ

ସମ୍ବଲପୁର : ହଜି ଯାଇଥିବା ଏକ ସୁନା ଚେନ୍‌ ପାଇଁ ଜଣେ ଯୁବକଙ୍କୁ ଉଠାଇ ନେଇ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଅମାନବୀୟ ଭାବେ ମାଡ଼ ଓ ନିର୍ଯାତନା ଦିଆଯିବା ସହ ତାଙ୍କ ମୁଦି, ମୋବାଇଲ ଓ ଟଙ୍କା ଆଦି ଛଡ଼ାଇ ନିଆଯାଇଛି। ଏସବୁ ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ସହରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରାଣାନ୍ତକ ଆକ୍ରମଣ ପରେ ଝାରଗୁଲୁଣ୍ଡା ଗ୍ରାମର ଅମରେଶ ଦୁଆନ୍‌(୪୫) ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଯୁଯୁମୁରାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କବରାପାଲିର ଶରତ ସାହୁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ସଦର ଥାନା କୁଟୁରାଜୁରି ଗ୍ରାମର ଟିଙ୍କୁ ଜୁଆଡ଼ା(୨୮), କବରାପାଲି ଗ୍ରାମର ନିରଞ୍ଜନ ସୁହୁଲା ଓରଫ ମାଖନ୍‌(୨୪), ବାଲି ବନ୍‌ଛୋର(୪୭), ଦେବାର୍ଚ୍ଚନ ସୁହୁଲା(୩୧) ଓ କବରାପାଲିରେ ରହୁଥିବା ପଶ୍ଚିମବଙ୍ଗ ମୁର୍ଶିଦାବାଦ ଚାନ୍ଦପୁରର ବଙ୍ଗାଲି ଖାନ୍‌ ଓରଫ୍‌ ରୁବେଲ(୨୦)। ସୋମବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଗିରଫ ହୋଇଥିବା ଶ୍ରୀ ସାହୁଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ମଧ୍ୟ ପୁଲିସ କହିଛି।

ସମ୍ବନ୍ଧିତ ଖବର