ଘରୋଇ କମ୍ପାନିକୁ ୨୫ ଏକର ଟେକିଦେଲେ ରାଜ୍ୟ ସରକାର: କଂଗ୍ରେସ

ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ତହସିଲର ବାଁରା ଗାଁ ନିକଟବର୍ତୀ ଅଞ୍ଚଳରେ ରାଜ୍ୟ ସରକାର ଜଙ୍ଗଲ ଆଇନକୁ ଉଲ୍ଲଂଘନ କରି ୨୫.୬ ଏକର ଜମି ଏକ ଘରୋଇ ସଂସ୍ଥାକୁ ଟେକି ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୧୩ତାରିଖରେ କଟକ ଆଗ୍ରାଭେଟ କମ୍ପାନିକୁ ୬୭ଲକ୍ଷର ୨୧ହଜାର ୨ଶହ ୨ଟଙ୍କାରେ ୯୦ବର୍ଷ ପାଇଁ ଇଡ୍‌କୋ ଏହି ଜମି ଯୋଗାଇ ଦେଇଛି। କଟକ ଆଗ୍ରାଭେଟ୍‌ ସେଠାରେ ଏକ ଇଥାନଲ କାରଖାନା ବସାଇବ। ତେବେ ଏହି ଜମି ଡମପଡ଼ା ବାଙ୍କୀ ନିଷିଦ୍ଧାଞ୍ଚଳ ଜଙ୍ଗଲକୁ ଲାଗିଛି। ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ପ୍ରଦେଶ କଂଗ୍ରେସ ଉପ ସଭାପତି ଦେବାଶିଷ ପଟ୍ଟନାୟକ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଶିଳ୍ପାୟନର ବିରୋଧୀ ନୁହେଁ। କିନ୍ତୁ ପରିବେଶ, ଜଙ୍ଗଲ, ଜୈବ ବିବିଧତା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଉପେକ୍ଷା କରି ଶିଳ୍ପାୟନ ପ୍ରତିଷ୍ଠାକୁ ବିରୋଧ କରାଯିବ। କଟକ ଆଗ୍ରାଭେଟ୍‌ର କାରଖାନାରୁ ୧୨୫ କେଏଲ୍‌ପିଡି ଇଥାନଲ ଉତ୍ପାଦନ ହେବ ବୋଲି କୁହାଯାଇଛି। ଏହି ଜମି ରାସ୍ତା ଦେଇ ହାତୀମାନେ ଗମନାଗମନ କରିଥାନ୍ତି। ବହୁ ବିଦେଶାଗତ ପକ୍ଷୀମାନେ ପ୍ରତିବର୍ଷ ଆସିଥାନ୍ତି। ରାଜ୍ୟ ସରକାର ଏହି ଜମିକୁ ଶିଳ୍ପସଂସ୍ଥାକୁ ଦେବା ବେଳେ ଇଡ୍‌କୋ, କଟକ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ ଆଇନକୁ ଉଲ୍ଲଂଘନ କରି ଶିଳ୍ପପତିଙ୍କ ସ୍ବାର୍ଥରକ୍ଷା ପାଇଁ ଜମିକୁ ହସ୍ତାନ୍ତର କରିଛନ୍ତି। ସଂପୃକ୍ତ ସଂସ୍ଥା ଇଥାନଲ ପ୍ଲାଣ୍ଟ ସହିତ ସେଠାରେ ଏକ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବ। ସେଥିପାଇଁ ପ୍ରତିଦିନ ୧୮୦ ଟନ କୋଇଲାର ଆବଶ୍ୟକତା ପଡ଼ିବ।

କୋଇଲା ଜାଳେଣିରୁ ନିର୍ଗତ ଧୂଆଁ, ଧୂଳି ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତାକୁ ନଷ୍ଟ କରିବ। ଶିଳ୍ପ ପ୍ରତିଷ୍ଠା ହେଉଥିବା ସ୍ଥାନଠାରୁ ହାଇକୋର୍ଟ, ନନ୍ଦନକାନନ, କେନ୍ଦ୍ର ସରକାରଙ୍କ ସିଆଇଏସ୍‌ଏଫ୍‌ ସଂସ୍ଥା ଅଳ୍ପ ଦୂରରେ ଅବସ୍ଥିତ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସଂପୃକ୍ତ କମ୍ପାନି ଏହି ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ଅନୁମୋଦନ ଆଣିବା କଥା। ମାତ୍ର ତାହା କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କିମ୍ବା ରାଜ୍ୟ ଜଙ୍ଗଲ ବିଭାଗଠାରୁ ମଧ୍ୟ ଅନୁମତି ପାଇନାହାନ୍ତି। ଆଇନ ଅନୁଯାୟୀ ଗ୍ରାମସଭା ଡକା ନ ଯାଇ ବିଜେଡି ସମର୍ଥିତ ସରପଞ୍ଚ ମିଛ ଗ୍ରାମସଭା ହୋଇଥିବା ପ୍ରଦାନ କରିଛନ୍ତି। ଚୌଦ୍ବାର ଶିଳ୍ପାଞ୍ଚଳରେ ହଜାର ହଜାର ଜମି ଇଡ୍‌କୋ ପାଖରେ ପଡ଼ି ରହିଛି। ସେଠାରେ ଏ ଶିଳ୍ପ ପ୍ରତିଷ୍ଠା କରାଯାଉ ବୋଲି ସ୍ଥାନୀୟ ଲୋକମାନେ ଦାବି କରୁଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମହମ୍ମଦ ହୁସେନ ଓ ରଜନୀ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର