ଅର୍ଥାଭାବରୁ ଗାଁକୁ ଆସିପାରିଲାନି ଶ୍ରମିକଙ୍କ ଶବ: ଅହମଦାବାଦରେ ହେଲା ଶେଷକୃତ୍ୟ

ସଇନ୍ତଳା: ଗୁଜରାଟର ଅହମ୍ମଦାବାଦକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଶିଶ‌କେଲା ଗାଁର ଶ୍ରମିକ ଅନିଲ ରଣା (୩୭)ଙ୍କ ଗୁଜରାଟର ଅହମଦାବାଦରେ ମୃତ୍ୟୁ ହୋଇଛି। ଅର୍ଥାଭାବ ଯୋଗୁ ତାଙ୍କ ପରିବାର ଲୋକେ ସେଠାରୁ ତାଙ୍କ ଶବ ଗାଁକୁ ଆଣି ପାରିନାହାନ୍ତି। ଫଳରେ ସାଥୀ ଶ୍ରମିକମାନେ ସେଠାରେ ହିଁ ତାଙ୍କ ଶେଷକୃତ୍ୟ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ରଘୁନାଥ ରଣାଙ୍କ ପୁଅ ଅନିଲ ଅହମ୍ମଦାବାଦକୁ ବର୍ଷେ ତଳେ ଦାଦନ ଖଟିବାକୁ ଯାଇଥିଲେ।

ସେଠାରେ କାମ କରୁଥିବା ବେଳେ ଗତ ୪ ତାରିଖ ଦିନ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ସାଥୀ ଶ୍ରମିକମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଗାଁରେ ପହଞ୍ଚିବା ପରେ ସ୍ତ୍ରୀ ଓ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ସେଠାରୁ କେମିତି ଶବ ଆଣିବେ ବୋଲି ଚିନ୍ତାରେ ଥିଲେ। ଶବ ଏଠାକୁ ଆଣିବା ପାଇଁ ଟଙ୍କା ନଥିଲା। ସେଠାରେ କାମ କରାଉଥିବା ସଂସ୍ଥା ବି କୌଣସି ସହଯୋଗ କଲା ନାହିଁ। ଶେଷରେ ସାଥୀ ଶ୍ରମିକମାନେ କୌଣସି ଉପାୟ ନପାଇ ସେଠାରେ ହିଁ ଶବଦାହ କରି ଦେଇଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର