ଅସୁସ୍ଥ ଛାତ୍ରୀଙ୍କୁ ଜୟନ୍ତଗିରୀ ଓଏଭିରେ ନାମଲେଖା ସୁଯୋଗ ଦେବାକୁ ଅନୁରୋଧ କଲା ପରିବାର

ଜୟପୁର: ବୋରିଗୁମ୍ମା ବ୍ଲକର ତାରାଭଟ୍ଟା ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ଷଷ୍ଠରୁ ଅଷ୍ଠମ ପର୍ଯ୍ୟନ୍ତ ପଢ଼ିଥିବା ଜଣେ ଛାତ୍ରୀ ରାଜଲକ୍ଷ୍ମୀ ମହାଙ୍କୁଡଙ୍କର ଅଚାନକ ଦେହ ଅସୁସ୍ଥ ହେବା ପରେ ସେ ଜୟନ୍ତଗିରୀ ଓଏଭିରେ ନାମଲେଖାଇବାକୁ ଚାହୁଁଛନ୍ତି। ତେବେ ତାରାଭଟ୍ଟା କର୍ତ୍ତୃପକ୍ଷ ଏ ନେଇ ରାଜି ହେଉନଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ ଯାଜ୍ଞସିନୀ ମହାଙ୍କୁଡ ଓ ଭଉଣୀ ପ୍ରିୟଙ୍କା ମହାଙ୍କୁଡ। ସୋମବାର ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏ ନେଇ ଅଭିଯୋଗ କରିଥିଲେ ଏହି ପରିବାର। ମିଳିଥିବା ସୂଚନା ଅନୁଯାୟୀ, ବୋରିଗୁମ୍ମାରେ ରହୁଥିବା ଯାଜ୍ଞସିନୀଙ୍କ ସ୍ବାମୀ ପ୍ରମୋଦ ପଶୁ ସମ୍ପଦ ବିଭାଗରେ କାର୍ଯ୍ୟରତ। ଗତ କିଛି ମାସ ହେବ ତାଙ୍କ ବଦଳି ଗଞ୍ଜାମ ଜିଲ୍ଲାକୁ ହୋଇଛି। ପରିବାର ବୋରିଗୁମ୍ମାରେ ରହୁଛନ୍ତି।

ରାଜଲକ୍ଷ୍ମୀ ଷଷ୍ଠରୁ ତାରାଭଟା ଓଏଭିରେ ୮ମ ପର୍ଯ୍ୟନ୍ତ ପଢ଼ିକି ଆସିଥିଲେ। ଛାତ୍ରବାସ ନଥିବାରୁ ସେ ଅଟୋରେ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ଖାଇବା ପିଇବା ଠିକ୍ ନ ରହିବା ଫଳରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେଇଥିଲା। ଡାକ୍ତରଙ୍କୁ ଦେଖାଇବାରୁ ଡାକ୍ତର ବି ସବୁ ଦିନ ଦୂରକୁ ଯିବା ଆସିବା କରିବାକୁ ମନା କରିଥିଲେ। ଏଣୁ ପରିବାରବର୍ଗ ଓଏଭି ତାରାଭଟ୍ଟାର ଅଧ୍ୟକ୍ଷଙ୍କୁ ରାଜଲକ୍ଷ୍ମୀଙ୍କ ନାଁକୁ ବୋରିଗୁମ୍ମାଠାରୁ ୫କିଲୋ ମିଟର ଦୂରତାରେ ଥିବା ଜୟପୁର ବ୍ଲକର ଜୟନ୍ତଗିରୀ ଓଏଭିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ତେବେ ସେଭଳି ହୋଇ ପାରିବ ନାହିଁ ବୋଲି ତାରାଭଟ୍ଟା ଓଏଭି କର୍ତ୍ତୃପକ୍ଷ କହିବା ପରେ ମାଆ ଯାଜ୍ଞସେନୀ ଓପାଠ ପଢ଼ା ବନ୍ଦ ହୋଇଯିବ କି ଚିନ୍ତାରେ ରାଜଲକ୍ଷ୍ମୀ ପଢ଼ିଛନ୍ତି। ପ୍ରଶାସନ ଏଦିଗରେ ସହଯୋଗ କରି ରାଜଲକ୍ଷ୍ମୀଙ୍କ ନାଁକୁ ଜୟନ୍ତଗିରୀ ଓଏଭିକୁ ସ୍ଥାନାନ୍ତର ହେଲେ ସେ ତାହାର ଶିକ୍ଷାଗତ ଅଧିକାର ପାଇବା ସହ ପାଠ ପଢ଼ିବା ପାଇଁ ସୁବିଧା ହୋଇ ପାରିବ ବୋଲି କହିଛନ୍ତି ଯାଜ୍ଞସ‌ିନୀ।

ସମ୍ବନ୍ଧିତ ଖବର