ଦଶପଲ୍ଲାକୁ ଖୁବ୍‌ଶୀଘ୍ର ଗଡ଼ିବ ରେଳ

ଦଶପଲ୍ଲା: ନୂଆଗାଁରୁ ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ଦୀର୍ଘଦିନ ଧରି ଦାବି ଜୋର୍ ଧରୁଛି। ଦଶପଲ୍ଲାଠାରୁ ଆରମ୍ଭ କରି ନୟାଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ଦେବାଠାରୁ ଆରମ୍ଭ କରି ପ୍ରତିବାଦ କରାଗଲାଣି। ହେଲେ ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ଦିନ ଧାର୍ଯ୍ୟ ହୋଇପାରୁନି। ଏସବୁ ମଧ୍ୟରେ ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ଦିନ ପ୍ରିନ୍ସପାଲ୍ ଚିପ୍ ଇଞ୍ଜିନିୟର୍ ବା ପିସିଇ ରଜ୍‌ନୀଶ୍‌ ମାଥୁର୍ ଦଶପଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସ୍ବତନ୍ତ୍ର ଟ୍ରେନ୍ ଯୋଗେ ପୂର୍ବାହ୍ଣ ୧୧ଟାରେ ଦଶପଲ୍ଲାରେ ପହଞ୍ଚିବା ପରେ ରେଳ ଷ୍ଟେସନର ପରିସ୍କାର ପରିଚ୍ଛନ୍ନତା, ପାନୀୟଜଳ ଆଦି ବିଭିନ୍ନ କାର୍ଯ୍ୟ ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ଜାନୁଆରି ୩ ତାରିଖ ଦିନ ପୂର୍ବତଟ ରେଳ ମହାପ୍ରବନ୍ଧକ (ଜିଏମ୍) ମନୋଜ ଶର୍ମା ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଦଶପଲ୍ଲାରେ ସାଢ଼େ ୧୧ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଟ୍ରାକ୍, ଓଏଚ୍‌ଜି ଏବଂ ସିଗନାଲ୍ ଆଦି ବ୍ୟବସ୍ଥାର ନିରୀକ୍ଷଣ କରିବେ। ତେବେ ଏସମ୍ପର୍କରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇବା ପରେ ଦଶପଲ୍ଲାକୁ ଖୁବ୍‌ଶୀଘ୍ର ରେଳ ଚଳାଚଳ ଆଶା ଉଜ୍ଜୀବିତ ହୋଇଛି।

ସମ୍ବନ୍ଧିତ ଖବର