ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଲା: ଆଉ ୬ ମାସ ମୁଖ୍ୟ ଶାସନ ସଚିବ ରହିବେ

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଛି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମୋହର ମାରିଛି। ସେ ୨୦୨୪ ଜୁନ୍ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ରହିବେ। ତାଙ୍କର ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବାର ଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ପ୍ରଦୀପ କୁମାର ଜେନା ହେଲେ ଦ୍ବିତୀୟ ମୁଖ୍ୟ ଶାସନ ସଚିବ, ଯାହାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ପୂର୍ବରୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇ ଥରରେ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଶ୍ରୀ ଜେନା ଗତ ମାର୍ଚ୍ଚ ମାସରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ଠାରୁ ବରିଷ୍ଠ ଆଇଏଏସ୍ ଅଧିକାରୀ ଓଡ଼ିଶା କ୍ୟାଡର୍‌ରେ ଥିଲେ ମଧ୍ୟ ରାଜ୍ୟ ସରକାର ଶ୍ରୀ ଜେନାଙ୍କ ଉପରେ ଆସ୍ଥା ସ୍ଥାପନ କରିଥିଲେ। ନିଜ କାର୍ଯ୍ୟଦକ୍ଷତା ପାଇଁ ବହୁ ସମୟରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ସେ ଦକ୍ଷତାର ସହ ଦାୟିତ୍ବ ତୁଲାଇ ଆସିଛନ୍ତି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସାଧାରଣ ନିର୍ବାଚନ ଥିବାରୁ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ଉଭୟ ରାଜନୈତିକ ଓ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର