ରେଳ ଧାରଣାରେ ପଡ଼ିଲା ଗଛ: ଏର୍ଣ୍ଣାକୁଲମ-ଟାଟା, ବୋକାରୋ ଏକ୍ସପ୍ରେସ୍ ଘଣ୍ଟାଏ ବିଳମ୍ବ

ରାୟଗଡ଼ା: କାଳବୈଶାଖୀ ପ୍ରଭାବରେ ରାୟଗଡ଼ା-ବିଜୟନଗରମ୍‌ ରେଳ ଲାଇନରେ ଗଛ ପଡ଼ି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରିଲିଫ୍ ଟ୍ରେନ୍ ରେଳଧାରଣା ଓ ବିଦ୍ୟୁତ୍ ତାର ଉପରୁ ଗଛ ଡାଳକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଆଜି ଅପରାହ୍‌ଣରେ ହଠାତ୍ ବର୍ଷା ସହ ପବନ ହୋଇଥିଲା। ଏହାର ପ୍ରଭାବରେ ଗଛ ଭାଙ୍ଗି ଡାଳ ରେଳ ଧାରଣା ଓ ବିଦ୍ୟୁତ୍ ଲାଇନ୍ ଉପରେ ପଡ଼ିଯାଇଥିଲା। ତେଣୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ପରେ ଏର୍ଣ୍ଣାକୁଲମ୍-ଟାଟା ଏକ୍ସପ୍ରେସ୍ ଜେମାଦେଇପେଣ୍ଠ ନିକଟରେ ଅଟକି ରହିଥିଲା। ସେହିପରି ଧାନବାଦ-ଆଲେପି ବୋକାରୋ ଏକ୍ସପ୍ରେସ୍ ଲାଡ୍ଡା ଷ୍ଟେସନରେ ଅଟକି ରହିଥିଲା। ରାୟଗଡ଼ାରୁ ରିଲିଫ୍ ଟ୍ରେନ୍ ପହଞ୍ଚି ରେଳ ଧାରଣାରେ ପଡ଼ିଥିବା ଗଛକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୁଇ ଷ୍ଟେସନରେ ଅଟକି ଥିବା ଉଭୟ ଏକ୍ସପ୍ରେସ୍ ଏକ ଘଣ୍ଟା ବିଳମ୍ବରେ ଚଳାଚଳ କରିଛି। ଉଦ୍ଧାର କାର୍ଯ୍ୟ ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ରାୟଗଡ଼ା ଷ୍ଟେସନ ମ୍ୟାନେଜର ପରମାନନ୍ଦ ପିଡ଼ିକାକା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର