ଦିନରେ ତାତି, ସନ୍ଧ୍ୟାରେ ଆଶ୍ବସ୍ତି: ଜଳିଗଲା ନଡ଼ିଆ ଗଛ, ବଜ୍ରପାତରେ ମାଙ୍କଡ଼ ମୃତ

ଭୁବନେଶ୍ବର: ସକାଳୁ ସକାଳୁ ତତଲା ପାଲଟିଥିଲା ରାଜଧାନୀ ଭୁବନେଶ୍ବର। ସକାଳ ସାଢ଼େ ୮ଟା ବେଳକୁ ସହରର ତାପମାତ୍ରା ୩୧.୪ ଡିଗ୍ରିରେ ପହଞ୍ଚିଥିଲା। ଦିନ ଯେତିକି ବଢ଼ୁଥିଲା ତାପମାତ୍ରା ସେହିଭଳି ଭାବେ ବୃଦ୍ଧି ପାଇ ଚାଲିଥିଲା। ପୂର୍ବାହ୍ନ ୧୧ଟା ୩୦ ବେଳକୁ ଏଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରିରେ ପହଞ୍ଚିବା ସହ ଆର୍ଦ୍ରତା ୮୧% ରହିଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୭.୨ ଡିଗ୍ରି ଛୁଇଁଥିଲା। ମାତ୍ର ଏହାପରେ ହାଠାତ୍‌ ପାଗରେ ପରିବର୍ତ୍ତନ ଆସିଥିଲା। ତିନି ଦିନ ହେଲା ତତଲା ତାୱାରେ ଭାଜି ହେଉଥିବା ସହରବାସୀଙ୍କୁ ଆଶ୍ବସ୍ତି ମିଳିଥିଲା। ଅପରାହ୍ଣ ୫ଟା ବେଳକୁ ଭୁବନେଶ୍ବର ସମେତ କଟକ, ପୁରୀ, ଖୋର୍ଦ୍ଧା ଅଞ୍ଚଳରେ ପାଗର ମିଜାଜ୍‌ ବଦଳି ଯାଇଥିଲା। ଆକାଶରେ ହଠାତ ମାଡ଼ି ଆସିଥିଲା କଳାହାଣ୍ଡିଆ ବାଦଲ। ଚାହୁଁ ଚାହୁଁ ଟ୍ୱିନ୍‌ସିଟିରେ କାଳବୈଶାଖୀ ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ଲାଗି ରହିଥିଲା। ତା’ ସାଙ୍ଗକୁ ଘଣ୍ଟା ପ୍ରତି ୨୦ରୁ ୨୫ କିମି ବେଗରେ ପବନ ବହିଥିଲା। କାଳବୈଶାଖୀ ବର୍ଷା ଯୋଗୁଁ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ପ୍ରଭାବିତ ହୋଇଛି। ପ୍ରାୟ ଦୁଇ ଘଣ୍ଟା ଧରି ବଜ୍ରପାତ ସହିତ ହାଲୁକା ବର୍ଷା ହେବାରୁ ଲୋକଙ୍କ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ଭୁବନେଶ୍ବରର ବହୁ ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ରାତିରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ଭୁବନେଶ୍ବର ସମେତ ସଂଲଗ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବାଲିଅନ୍ତା ବଜାର: ଆଜି ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ବାଲିଅନ୍ତା ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରତାରୁଦ୍ରପୁର ପଞ୍ଚାୟତ କୁଳସାହି ଗ୍ରାମରେ ବଜ୍ରପାତ ଯୋଗୁଁ ଏକ ଫଳନ୍ତି ନଡ଼ିଆ ଗଛ ଜଳିଯାଇଛି। କିନ୍ତୁ ନିକଟସ୍ଥ ଗୁହାଳରେ ନିଆଁ ଲାଗିଥିଲେ ବି ବର୍ଷା ପାଇଁ ବଡ଼ଧରଣର ଅଘଟଣ ଟଳିଯାଇଥିଲା। ବର୍ଷା ହେବା ପୂର୍ବରୁ ପ୍ରବଳ ଘଡ଼ଘଡ଼ି ମାରିଥିଲା। ହଠାତ୍ ବ୍ରହ୍ମାନନ୍ଦ ସାମଲଙ୍କ ବାଡ଼ି‌ରେ ବଜ୍ରପାତ ହେବାରୁ ଏକ ଫଳନ୍ତି ନଡ଼ିଆ ଗଛ ହୁତୁହୁତୁ ହୋଇ ଜଳିଥିଲା। ନଡ଼ିଆ ଗଛରୁ ନିଆଁ ଝୁଲ ଛଟିକି ନିକଟସ୍ଥ ଗୁହାଳରେ ପଡ଼ିବାରୁ ତାହା ବି ଜଳିବା ଆରମ୍ଭ କରିଥିଲା। କିନ୍ତୁ ସାହସ କରି ପରିବାର ଲୋକେ ଗୁହାଳରୁ ଗାଈ ଫିଟାଇ ବାହାର କରିଦେଇଥିଲେ। ସେମାନେ ଗୁହାଳରୁ ନିଆଁ ଲିଭାଇବାକୁ ବସିଥିବା ବେଳେ ହଠାତ୍ ଜୋର୍‌ ବର୍ଷା ହୋଇଥିଲା। ଫଳରେ ଆପେଆପେ ନିଆଁ ଲିଭିଯାଇଥିଲା।

ବାରଙ୍ଗ: ଆଜି ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ତୋଫାନ ସାଙ୍ଗକୁ ପ୍ରଚଣ୍ଡ ବଜ୍ରପାତ ଯୋଗୁଁ ଗଣ୍ଡରପୁର ଅଞ୍ଚଳ ଥରିଉଠିଥିଲା। ଏକ ଗଛରେ ଆଶ୍ରୟ ନେଇଥିବା କିଛି ମାଙ୍କଡ଼ଙ୍କ ମଧ୍ୟରୁ ଗୋଟିଏ ବୟସ୍କ ମାଙ୍କଡ଼ର ମୃତ୍ୟୁ ହୋଇଥିଲା। ବଜ୍ରପାତ ଯୋଗୁଁ ମାଙ୍କଡ଼ଟି ତଳକୁ ଖସିପଡ଼ିଥିଲା ଏବଂ ଗାଁ ଲୋକେ ଦେଖିବାବେଳକୁ ମାଙ୍କଡ଼ିଟି ମରିଯାଇଥିବା ଜଣାପଡ଼ିଥିଲା। ବର୍ଷା କମିବା ପରେ ଗ୍ରାମବାସୀମାନେ ଗାତ ଖୋଳି ମାଙ୍କଡ଼କୁ ପୋତି ଦେଇଥିଲେ। ସେହିଭଳି ଗାଁର ଶିବ ରାଉତଙ୍କ ଏକ ନଡ଼ିଆ ଗଛ ବି ଜଳି ଯାଇଛି।

ସମ୍ବନ୍ଧିତ ଖବର