ସମ୍ବଲପୁରମୁହାଁ ରୋହିତ ପୂଜାରୀ

ସମ୍ବଲପୁର : ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀଙ୍କୁ ନେଇ ଏବେ ସମ୍ବଲପୁରରେ ଜୋରଦାର ଚର୍ଚ୍ଚା ଚାଲିଛି। ନିଜ ରେଢ଼ାଖୋଲ ବିଧାନସଭା ଆସନ ଛାଡ଼ି ସେ ଏବେ ସମ୍ବଲପୁର ପ୍ରତି ଅଧିକ ଆଗ୍ରହ ଦେଖାଉ ଥିବା ଦେଖିବାକୁ ମିଳିଛି।

ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ୪ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରେଢ଼ାଖୋଲ ଲମ୍ବା ଅବଧି ଧରି ରାଜ୍ୟର ଶାସକ ଦଳ ବିଜେଡି କବ୍‌ଜାରେ ରହିଆସିଛି। ପୂର୍ବତନ ରାଜ୍ୟସଭା ସାଂସଦ ସନାତନ ବିଶି ରେଢ଼ାଖୋଲରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ। ସନାତନ ବିଶିଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ପ୍ରତିନିଧିତ୍ବ କରିବା ସହିତ ପ୍ରଥମେ ସ୍ବାସ୍ଥ୍ୟ ଓ ପରେ ଅର୍ଥମନ୍ତ୍ରୀ ଭଳି ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହେବା ପରେ ଇଂ. ରୋହିତ ପୂଜାରୀ ବିଜେଡିର ଗଡ଼ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ନିଜ ଭାଗ୍ୟ ପରୀକ୍ଷାକରି ସଫଳ ହୋଇଥିଲେ। ପ୍ରଥମ ଥର ବିଧାୟକ ହେବା ପରେ ଉପମୁଖ୍ୟ ସଚେତକ ପଦ ପାଇଥିଲେ। ଦ୍ବିତୀୟ ଥର ନିର୍ବାଚନ ଜିତିବା ପରେ ସେହି ଉପମୁଖ୍ୟ ସଚେତକ ପଦ ବଜାୟ ରଖିଥିଲେ।

ମାତ୍ର, ଗତ ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର ସମୟରେ ତାଙ୍କ ଭାଗ୍ୟ ଫିଟିଥିଲା। ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ମନ୍ତ୍ରୀ ପଦ ମିଳିବା ପରେ ସମ୍ବଲପୁରକୁ ତାଙ୍କ ପ୍ରଥମ ଆଗମନ ଅବସରରେ ତାଙ୍କୁ ଯେଉଁ ଭଳି ଭାବେ ସ୍ବାଗତ କରାଯାଇଥିଲା, ରୋହିତ ବାବୁ ଅଭିଭୂତ ହୋଇଯାଇଥିଲେ। ସମ୍ବଲପୁର ମହାନଗରବାସୀଙ୍କ ଏଭଳି ଭଲ ପାଇବା ଦେଖି ସେବେଠାରୁ ରୋହିତ ବାବୁ ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ ନଜର ପକାଇଥିବା ଦେଖିବାକୁ ମିଳିଛି। ସମ୍ବଲପୁର ମହାନଗର ତଥା ବିଧାନସଭା କ୍ଷେତ୍ର ଅଂଚଳରେ ପୂର୍ବାପେକ୍ଷା ତାଙ୍କ ରାଜନୈତିକ ଗତିବିଧି ବଢ଼ାଇ ଦେଇଛନ୍ତି। ସେ ଛୋଟ ଛୋଟ କାର୍ଯ୍ୟକ୍ରମରେ ବି ସାମିଲ ହୋଇ ନିଜର ରାଜନୈତିକ ପତିଆରା ଆହୁରି ବଢ଼ାଇବାର ପ୍ରୟାସ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

facebook.com

ଏପଟେ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଆସନରେ ବିଜେପିର ସଂଗଠନ ସୁଦୃଢ଼ ହେବାରେ ଲାଗିଛି। ୨୦୧୪ ମସିହା ବିଧାନସଭା ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ୨୦୧୯ ମସିହ‌ା ନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଚାଲି ଆସିଥିଲା। ରେଢ଼ାଖୋଲ ବ୍ଲକ୍‌ ଓ ଏନ୍‌ଏସି ଅଂଚଳକୁ ‌ବିଜେଡିର ଅଭେଦ୍ୟ ଦୁର୍ଗ କହାଯାଉଥିବା ବେଳେ ଏଥର ପଞ୍ଚାୟତ ଓ ପୌର ନିର୍ବାଚନରେ କିନ୍ତୁ ବିଜେପି ସିନ୍ଧି ମାରିଛି। ବିଜେପି-ବିଜେଡି ମେଣ୍ଟ ସରକାର ଥିବା ସମୟରେ ବିଜେପିର ସୁଷମା ମୁଣ୍ଡା ‌ଥରେ ରେଢ଼ା‌ଖୋଲ ଏନ୍‌ଏସି ଅଧ୍ୟକ୍ଷ ଥିଲେ। ମେଣ୍ଟ ଭାଂଗିବା ପରେ ଏହି ଏନ୍‌ଏସି ବିଜେଡି ଅକ୍ତିଆରକୁ ଚାଲି ଯାଇଥିଲା। ତ‌େବେ, ପ୍ରଥମ ଥର ପାଇଁ ଗତ ପୌର ନିର୍ବାଚନରେ ବିଜେପି ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ସହିତ ରେଢ଼ାଖୋଲ ଏନ୍‌ଏସି ନିଜ ଦଖଲକୁ ଆଣିଛି। ଏପଟେ, ରେଢ଼ାଖୋଲ ବ୍ଲକ୍‌ର ୨ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଗୋଟିଏ ଆସନ ବି ବିଜେପି ଛଡ଼ାଇ ଆଣିବାରେ ସଫଳ ହୋଇଛି। ଅନ୍ୟ ଜୋନ୍‌ରେ ବି ବିଜେପି ପ୍ରାର୍ଥୀ ଅଳ୍ପ ଭୋଟ ବ୍ୟବଧାନରେ ହାରିଛନ୍ତି। ଅନ୍ୟପଟେ ‌ଏହି ବିଧାନସଭା କ୍ଷେତ୍ରର ନାକଟିଦେଉଳ, ଯୁଯୁମୁରା ଓ ମାନେଶ୍ବରରେ ବିଜେଡି ପ୍ରାର୍ଥୀ ଜିତିଥିଲେ ବି ଏସବୁ ଅଂଚଳରେ ବିଜେପି ସଂଗଠନ ବଢ଼ିବାରେ ଲାଗିଛି। ମାନେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଏବେ ବିଜେପି ହାତରେ ରହିଛି।

ଯୁଯୁମୁରାରେ କେତେକ ସ୍ବାଧୀନ ଓ କଂଗ୍ରେସ ସମର୍ଥିତ ସମିତିସଭ୍ୟଙ୍କ ସମର୍ଥନରେ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇଛି। ଏପଟେ ପୁଣି, ନାକଟିଦେଉଳ ବ୍ଲକ୍‌ରେ ରୋହିତଙ୍କ ଘୋର ବିରୋଧୀ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଦର୍ଶନ ସାହୁଙ୍କ ଦବ୍‌ଦବା ରହିଛି। ସୁଦର୍ଶନ ଏବେ ଘୁସୁରାମାଳ ପଞ୍ଚାୟତରୁ ସମିତିସଭ୍ୟ ଥିବା ବେଳେ ନାକଟିଦେଉଳ ପଞ୍ଚାୟତରୁ ଜିତିଥିବା ତାଙ୍କ ବୋହୂ ସ୍ବରୂପାରାଣୀ ସାହୁଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କରାଇବାରେ ସଫଳ ହୋଇଛନ୍ତି। ଏପଟେ ଗତଥର ରୋହିତଙ୍କଠାରୁ ହାରିଥିବା ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ତାଙ୍କ ସଂଗଠନ ବଢ଼ାଉଥିବା କଥା ଗତ ଜୁନ୍ ମାସର ପ୍ରଚଣ୍ଡ ଖରାରେ ଦ୍ବିପହର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ହଜାର ହଜାର ଲୋକ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ଉପସ୍ଥିତ ରହିବା ଘଟଣାରୁ ପ୍ରମାଣିତ ହୋଇଛି। ଏଭଳି ସ୍ଥିତିରେ ରୋହିତ ସମ୍ବଲପୁର ପ୍ରତି ନଜର ପକାଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ସ୍ବାସ୍ଥ୍ୟଗତ କାରଣରୁ ସମ୍ବଲପୁରରେ ବହୁ ସମୟ ଅନୁପସ୍ଥିତ ରହିବାର ଫାଇଦା ଉଠାଇବା ପାଇଁ ରୋହିତ ବାବୁ ଚାହୁଥିବା ରାଜ‌ନୈତିକ ମହଲରେ ଆଲୋଚନା ହେଉଛି।

ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀଙ୍କୁ ପଚାରିବାରୁ ସେ କହିଲେ, ସବୁବେଳେ ସମ୍ବଲପୁରବାସୀଙ୍କ ଭଲ ପାଇବା ତାଙ୍କ ସହିତ ରହିଛି। ତେବେ, ରେଢ଼ାଖୋଲ ଭଳି ସୁରକ୍ଷିତ ଆସନ ଛାଡ଼ି ସେ କାହିଁକି ଏଠାକୁ ଆସିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ରେଢ଼ାଖୋଲର ବିକାଶ ଧାରାରେ ସେ ଜଡ଼ିତ ହୋଇଛନ୍ତି। ରେଢ଼ାଖୋଲ ପାଇଁ ବହୁତ କିଛି କରିଥିବା ବେଳେ ଆହୁରି ବି କରିବାର ଯୋଜନା ରହିଛି ବୋଲି ଇଂ.ପୂଜାରୀ କହିଛନ୍ତି।

ସମ୍ବନ୍ଧିତ ଖବର