ଯାତ୍ରୀଙ୍କ ଯନ୍ତ୍ରଣା ‘ରେଳଫାଟକ’ : ଅସମ୍ଭାଳ ଟ୍ରାଫିକ୍ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ

ନିରାକାରପୁର : ଶ୍ରୀକ୍ଷେତ୍ର ପୁରୀ ଯିବାକୁ ଦକ୍ଷିଣ, ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ନୂଆ ଜଗନ୍ନାଥ ସଡକ ହେଉଛି ସରଳ ଓ ସିଧା ବାଟ। ତେବେ ବାଟରେ ପଡୁଥିବା ନିରାକାରପୁର ରେଳଫାଟକ ଦୂରଯାତ୍ରୀଙ୍କ ଜଗନ୍ନାଥ ଦର୍ଶନ ସୁଖକୁ ପାଣିଚିଆ କରିଦେଉଥିବା ଆଲୋଚନା ହେଉଛି। ଦିନକୁ ଦିନ ରେଳ ସଂଖ୍ୟା ବଢିବା ସହ ଏହି ରେଳପଥରେ ଟ୍ରାଫିକ୍ ଗହଳି ମଧ୍ୟ ବଢୁଛି। ଫଳରେ ରେଳ ଯାତାୟତ ବେଳେ ଫାଟକର ଦୁଇପାର୍ଶ୍ବରେ ସଡକଯାତ୍ରୀମାନଙ୍କୁ ବେଳେ ବେଳେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ଏଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସୂଚନା ଅନୁଯାୟୀ ପୂର୍ବତଟ ରେଳବାଇ ଅନ୍ତର୍ଗତ ଏହି ମୁଖ୍ୟ ରେଳପଥରେ ଦୈନିକ ଶତାଧିକ ବିଭିନ୍ନ ବର୍ଗର ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍‌ ଯାତାୟତ କରିଥାଏ। ଫଳରେ ପ୍ରତି ୧୦ ମିନିଟ୍‌ରେ ରେଳଫାଟକ ବନ୍ଦ କରିବାକୁ ପଡିଥାଏ। ଏହାଦ୍ବାରା ଫାଟକ ସଲଗ୍ନ ନୂଆ ଜଗନ୍ନାଥ ସଡକର ଉଭୟ ପାର୍ଶ୍ବରେ ଶତାଧିକ ଗାଡିମଟରକୁ ଘଣ୍ଟାଘଣ୍ଟା ଧରି ଅପେକ୍ଷାକରି ରହୁଛନ୍ତି। ଏପରିକି ବେଳେ ବେଳେ ଦୁଇପାର୍ଶ୍ବରେ ଦୀର୍ଘ ୧କିଲୋମିଟର ପର୍ଯ୍ୟନ୍ତ ଯାନବାହାନର ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏତିକିବେଳେ ଆମ୍ବୁଲାନ୍ସ କି ଦମକଳ ପରି ଜରୁରିକାଳୀନ ସେବା ଯୋଗାଉଥିବା ଗାଡିଗୁଡିକ ପଛରେ ପଡିଗଲେ ସେମିତି ଘଣ୍ଟାଘଣ୍ଟା ଧରି ମୁକୁଳିବାକୁ ବାଟ ପାଉ ନାହାନ୍ତି।

ଖାଲିସେତିକି ନୁହେଁ ବୟସ୍କଙ୍କ ଠାରୁ ଆରମ୍ଭକରି ଛୋଟ ଛୋଟ ସ୍କୁଲପଢୁଆ ଛାତ୍ରଛାତ୍ରୀମାନେ ଖରାବର୍ଷାରେ ଦୀର୍ଘସମୟ ଧରି ଅତି ଦୟନୀୟ ଅବସ୍ଥାରେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏତଦ୍‌ବ୍ୟତୀତ ରେଳ ସୁରକ୍ଷାବଳର ଅପାରଗତା ସାଙ୍ଗକୁ ସଡ଼କ ପଥରେ ଗାଡିଚାଳକମାନଙ୍କର ବେପରୁଆ ଗାଡିଚାଳନା ଯୋଗୁଁ ଅନେକ ସମୟରେ ଗେଟ୍ ଭାଙ୍ଗିଯିବା ଫଳରେ ଜନସାଧାରଣ ହିନସ୍ଥା ସହିତ ରେଳଚଳାଚଳରେ ମଧ୍ୟ ବାଧା ଉପୁଜିଥାଏ। ଏହି ରାସ୍ତାରେ ଯାତାୟତ କରୁଥିବା ଗାଡିମଟର ସଂଖ୍ୟାକୁ ବିଚାରକରି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଠାରେ ଏକ ଓଭର ବ୍ରିଜ୍ ନିର୍ମାଣ ନିମନ୍ତେ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର