ଅଚିହ୍ନା ବୃଦ୍ଧାଙ୍କ ଶବ ସତ୍କାର କଲେ ଜିଲ୍ଲା ପରିଷଦ ସଭ୍ୟ ଏବଂ ସରପଞ୍ଚ

ବୈପାରିଗୁଡ଼ା: ଜିଲ୍ଲା ପରିଷଦ ଓ ସରପଞ୍ଚ ମହାନତାର ପରିଚୟ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କର ସହାୟତାରେ ସେମାନେ ଜଣେ ଅଚିହ୍ନା ବୃଦ୍ଧାଙ୍କର ମୃତଦେହକୁ ଅନ୍ତିମ ସତ୍କାର କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଞ୍ଚଳରେ ଏହି ବିରଳ କାର୍ଯ୍ୟ ସଂପାଦନ ହୋଇଛି।

ସୂଚନା ଅନୁସାରେ ପୂଜାରୀଗୁଡ଼ା ପଞ୍ଚାୟତର ପାବଲିଗୁଡ଼ା ଠାରେ ଆଜି ସକାଳେ ଜଣେ ଅଚିହ୍ନା ବୃଦ୍ଧାଙ୍କ ମୃତଦେହ ଠାବ ହୋଇଥିଲା। ପ୍ରାୟ ୧୫ ଦିନ ଧରି ଜଣେ ଅଚିହ୍ନା ବୃଦ୍ଧା ସାନ ପାବଲିଗୁଡା ଗ୍ରାମରେ ପହଞ୍ଚିବାପରେ ବୁଲାବୁଲି କରୁଥିଲେ। ତେବେ ଗ୍ରାମବାସୀମାନେ ବୃଦ୍ଧାଙ୍କୁ ପ୍ରତିଦିନ ଖାଇବାକୁ ଦେଉଥିଲେ। ବୃଦ୍ଧା ଜଣକ କିନ୍ତୁ ରାତି ହେଲେ ଗାଆଁରେ ନ ରହି ପାଖ କାଜୁ ବଗିଚାକୁ ଯାଇ ରାତି କଟାଉଥିଲେ। ଆଜି ସକାଳ ୯ଟା ପରେ ମଧ୍ୟ ବୃଦ୍ଧା ଜଣକ ଗାଆଁ ଭିତରକୁ ନ ଆସିବାରୁ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ଲୋକ ବୃଦ୍ଧାଙ୍କୁ ଶୋଇ ରହିଥିବା ଦେଖିବା ପରେ ନିଃଶ୍ବାସ ପ୍ରଶ୍ବାସ ଚଳପ୍ରଚଳ ହେଉନଥିବା ଜାଣି ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଖବର ଦେଇଥିଲେ। ସରପଞ୍ଚ ସତ୍ୟ ମାଝୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ରାଜେଶ୍ବର ମହୁରିଆ ବୈପାରିଗୁଡା ଥାନାକୁ ଖବର ଦେବା ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ସରପଞ୍ଚ ଶ୍ରୀ ମାଝୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମହୁରିଆ ଶବ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର