ଏକା ଲଢ଼ିବୁ; ସରକାର ଗଢ଼ିବୁ, ମେଣ୍ଟ କଥା ଉଠାଇଲା କିଏ?

ବିଜେପି କହୁଛି ବିଜେଡି, ବିଜେଡି କହୁଛି ବିଜେପି କରୁଛି

ଭୁବନେଶ୍ବର: ବିଜେଡି-ବିଜେପି ଲିଭ୍‌ ଇନ୍‌ରେ ଅଛନ୍ତି ବୋଲି ଅଭିଯୋଗ ଆଣି ରାଜ୍ୟ ସାରା ଏମାନଙ୍କର ବିବାହ କରୁଛି କଂଗ୍ରେସ। ଏହି ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଜୋର ଧରିଲା। ଏପରିକି ସାମାଜିକ ଗଣମାଧ୍ୟମ ଆସନ ବାଣ୍ଟିଦେଲେ। ବେଶ୍ କିଛି ସମୟ ଉଭୟ ଏ ପ୍ରସଙ୍ଗରେ ନିରବ ରହିଲେ। କଥା ଯେତେବେଳେ ଗାଁ ଗଣ୍ଡାକୁ ବ୍ୟାପିଗଲା ଓ ନେତା ଏବଂ କର୍ମୀ ମୁଣ୍ଡରେ ହାତ ଦେଲେ, ସେବେ ଉଭୟ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ପରସ୍ପର କାଦୁଅଫିଙ୍ଗା ଆରମ୍ଭ କରିଛନ୍ତି। କିଏ ଏହି ଚର୍ଚ୍ଚା ଆରମ୍ଭ କଲା, କିଏ ଏହି ଆଲୋଚନାକୁ ବଳ ଦେଲା, ସେ ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି। ସିଧା ସିଧା ମନା କରିଛନ୍ତି ଯେ ସବୁ ଗୁଜବ। ଆଜି ବିଜେଡି ଏହି ପ୍ରସଙ୍ଗରେ ବିଜେପିକୁ ଦୋଷ ଦେଇ ଗର୍ଜିଛି। ସେପଟେ ବିଜେପି ଏଭଳି ଚର୍ଚ୍ଚା ପାଇଁ ବିଜେଡିକୁ ଦାୟୀ କରିଛି। ଉଭୟ ୨୦୨୪ ନିର୍ବାଚନରେ ରାଜ୍ୟରେ ସରକାର ଗଠନ କରିବେ ବୋଲି ଦାବି କରିଛନ୍ତି।

ମାତ୍ର ଚାରିଟି କଥା ରାଜନୈତିକ ସମୀକ୍ଷକ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କ ଯୁକ୍ତି ହେଲା- ପ୍ରଥମତଃ, ଓଡ଼ିଶା ପ୍ରତି କେନ୍ଦ୍ରୀୟ ନେତାଙ୍କ ଆଚରଣ ଏବଂ ଉଚ୍ଚାରଣ ଏଯାଏ ନରମ ରହିଛି। ନିଜେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ବା ବିଜେଡି ବିରୋଧରେ ମୁହଁ ଖୋଲିଲେ ନାହିଁ ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ବିରୋଧରେ ଗର୍ଜନ ତର୍ଜନ କରି ଫେରିଗଲେ। ଦ୍ବିତୀୟତଃ, ରାଜ୍ୟରେ ଗେରୁଆ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢ଼ିବା ଭଳି ଯେଉଁ କଳ, କୌଶଳ କରିବା କଥା, ତାହା ଏଯାଏ ପରିଲକ୍ଷିତ ହେଉନାହିଁ। ତୃତୀୟତଃ, ବିଜୁ ଜୟନ୍ତୀ ଅବସରରେ ଯେବେ ବିଜେଡି ସାରା ରାଜ୍ୟରେ କାର୍ଯ୍ୟକ୍ରମ କରୁଛି, ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାଗସ୍ତରେ ଆସୁଛନ୍ତି। ଗୋଟିଏ ସୂତ୍ରରୁ ସୂଚନା ମିଳୁଛି ଯେ ମୋଦୀ ସେଦିନ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିପାରନ୍ତି। ଆଉ ଗୋଟିଏ ବର୍ଗର ମତ, ସେହିଠାରେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ସଂପର୍କରେ ଘୋଷଣା କଲେ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ଚତୁର୍ଥତଃ, ନିର୍ବାଚନ ବର୍ଷରେ ବିନା କୌଣସି ଚାପରେ ଥାଇ ବି ବିଜେଡି ନିକଟରେ ତୃତୀୟ ରାଜ୍ୟସଭା ଆସନଟିକୁ ବିଜେପିକୁ ଟେକିଦେଇଛି। ଏଣୁ ଯେତେ ରାଜନୈତିକ ବୟାନବାଜି ହେଲେ ହେଁ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଯାଇ ମେଣ୍ଟ ଚିତ୍ର ସ୍ପଷ୍ଟ ହେବ।

ବିଜେପି କହୁଛି ବିଜେଡି, ବିଜେଡି କହୁଛି ବିଜେପି କରୁଛି
ବିଧାନସଭାରେ ବିଜେପିର ଟାର୍ଗେଟ ୮୦, ବିଜେଡିର ୧୨୦ ଆସନ
ଲୋକସଭାରେ ବିଜେଡିର ୧୭, ବିଜେପିର୧୬ ଆସନ ଲକ୍ଷ୍ୟ

ଉଲ୍ଲେଖଥାଉକି, ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାର ନାହିଁ ବୋଲି ଶୁକ୍ରବାର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ କରିଥିଲେ। ଆଜି ଏହା ଉପରେ ଅଧିକ ସ୍ପ‌ଷ୍ଟୀକରଣ ଦେଇ ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ଯେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହେବାର ନାହିଁ। ବିଜେପି ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ଦଳ ଏକା ଲଢ଼ିବ। ବିଧାନସଭାରେ ୮୦, ଲୋକସଭାରେ ୧୬ ଆସନ ଜିତିବାକୁ ଆମେ ଲକ୍ଷ୍ୟ ରଖିଛୁ।ଶ୍ରୀ ତୋମାର କହିଛନ୍ତି ଯେ ମୁଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଏକାଧିକ କେନ୍ଦ୍ରୀୟ ନେତାଙ୍କ ସହ କଥା ହୋଇଛି। ମୋ ଜାଣିବାରେ ଓଡ଼ିଶାରେ ମେଣ୍ଟ ହେଉନି। ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ବିଜେଡି ହିଁ ଆଗକୁ ବଢ଼ାଉଛି। ଆଉ ପାଦେ ଆଗକୁ ଯାଇ ଶ୍ରୀ ତୋମାର କହିଛନ୍ତି ଯେ ଆମର ୪ଜଣ ବଡ଼ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶାର ୨୧ଟି ଯାକ ଲୋକସଭା କ୍ଷେତ୍ରରେ ବିଭିନ୍ନ ସଭା ଓ କାର୍ଯ୍ୟକ୍ରମ କରିବେ। ଏହାସହ ଅନ୍ୟ କେନ୍ଦ୍ରୀୟ ସ୍ତରର ନେତାମାନେ ମଧ୍ୟ ଓଡ଼ିଶାରେ ପ୍ରଚାର କରିବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଭଳି ନେତା ଓଡ଼ିଶା ଆସି ପ୍ରଚାର କରିବେ। ଏହିପରି ନିର୍ବାଚନ ପୂର୍ବରୁ ୧୦୦ଟି ସଭା କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜେପି ଓଡ଼ିଶାରେ ୮୦ଟି ବିଧାନସଭା ଓ ୧୬ଟି ଲୋକସଭା ଆସନରେ ଜିତିବାକୁ ଟାର୍ଗେଟ୍ କରିଛି। ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି। ଦଳ ସିଧା ସିଧା କହିଛି ଯେ ୧୨୦ଟି ବିଧାନସଭା ଆସନରେ ଜିତିବୁ। ୧୭ଟି ଲୋକସଭା ଆସନରେ ଦଳ ଜିତିବା ଥୟ।

ଆଜି ବିଜେଡି ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି-ବିଜେପି ମେଣ୍ଟ ନେଇ କେତେକ ବିଜେପି ନେତା ଗୁଜବ କରୁଛନ୍ତି। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ସେମାନେ ଏନେଇ ପ୍ରଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଯୋଗୁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ ଅଛି। ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ପାତ୍ର ଆହୁରି କହିଛନ୍ତି, ‌େଯଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ବିଦା ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ଟିକେଟ୍ ପାଇବାର ସମ୍ଭାବନା ନାହିଁ କିମ୍ବା ଯେଉଁମାନଙ୍କର ଭବିଷ୍ୟତ ବିଜେଡିରେ ନାହିଁ ସେମାନଙ୍କୁ ବିଜେପି ଓଡ଼ିଶା ଶାଖା ପାଛୋଟି ନେଉଛି। କାରଣ ଓଡ଼ିଶା ବିଜେପି ପାଖରେ ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି। ବିଜେଡି ସବୁବେଳେ ଜନତାଙ୍କ ପାଇଁ କାର୍ଯ୍ୟ କରିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ।

ସମ୍ବନ୍ଧିତ ଖବର