ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ର ବି ଲିକ୍‌! ଅସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଇଂରାଜୀ, ଗଣିତ, ହିନ୍ଦୀ/ସଂସ୍କୃତ ପରେ ଅନୁରୂପ ଭାବେ ଲିକ୍ ହୋଇଛି ସାଧାରଣ ବିଜ୍ଞାନ ପ୍ରଶ୍ନପତ୍ର। ପ୍ରଥମ ଭାଷା ଓଡ଼ିଆ ପରୀକ୍ଷାକୁ ଛାଡିଦେଲେ ମାଟ୍ରିକ୍‌ର ସମସ୍ତ ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭ ପୂର୍ବରୁ କ୍ରମାଗତ ଭାବେ ଲିକ୍ ହେଉଥିବାରୁ ଏଭଳି ଘଟଣା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦେହସୁହା ହେଲା ଭଳି ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂ୍ର୍ଣ୍ଣ କଥା ହେଉଛି, ଏବର୍ଷ ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ), ଲାଇଭ୍‌ କ୍ୟାମେରା ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ କାଁ ଭାଁ ବିଭ୍ରାଟ ଘଟୁଥିବା ବେଳେ ଏବ‌‌‌ର୍ଷ ମାଟ୍ରିକ୍ ପରୀକ୍ଷା ପରିଚାଳନା ବିଭ୍ରାଟ ସବୁ ସୀମା ଟପିଯାଇଛି।

ଆଜି ସାଧାରଣ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ ୮ଟା ୩୦ମିନିଟ୍‌ରୁ ବିଜ୍ଞାନ ପ୍ରଶ୍ନପତ୍ରର ଦ୍ବିତୀୟ ଭାଗ(ଦୀର୍ଘଉତ୍ତରମୂଳକ ବିଭାଗ) ପ୍ରଶ୍ନପତ୍ରର ଫଟୋ କପି ମୋବାଇଲରେ ବୁଲିବା ଆରମ୍ଭ କରିଥିଲା। ପରୀକ୍ଷା ସରିବା ପରେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ରକୁ ମୂଳପତ୍ର ସହ ମିଳାଯିବାରୁ ତାହା ସଂପୂର୍ଣ୍ଣ ମିଶିଯାଇଥିଲା। ଭାଇରାଲ ହୋଇଥିବା ପ୍ରଶ୍ନପତ୍ରର ଫଟୋକୁ ଦେଖିଲେ ଜଣାଯାଉଛି ଯେ ମୋବାଇଲ୍‌ରେ ଫ୍ଲାସ ଦିଆଯାଇ ଫଟୋ ଉଠାଇଯାଇଛି। ପ୍ରଶ୍ନପତ୍ର ଖୋଲିବା ପୂର୍ବରୁ କୌଣସି ପରୀକ୍ଷା କେନ୍ଦ୍ରରେ ଏଭଳି ଫଟୋ ଉତ୍ତୋଳନ କରାଯାଉଛି। ଆଉ ଭାଇରାଲ ‌ହୋ‌ଇଥିବା ସମସ୍ତ ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ପ୍ରଥମେ ଘୂରି ବୁଲୁଥିବାରୁ ତାହା କେନ୍ଦୁଝରର କୌଣସି ପରୀକ୍ଷା କେନ୍ଦ୍ରରୁ ଏଭଳି ଭାଇରାଲ୍‌ ହେଉଥିବା ଅନୁମାନ କରାଯାଉଛି। ଏ ଦିଗରେ ବୋର୍ଡ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ବି ନାହିଁ। ଏଥିପାଇଁ ଭାଇରାଲ୍ କରୁଥିବା ବ୍ୟକ୍ତିମାନେ ନିର୍ବିଘ୍ନରେ ଏଭଳି କାଣ୍ଡ କରି ବୋର୍ଡ ତଥା ପ୍ରଶାସନକୁ ବଦନାମ୍ କରିବା ସହିତ ମାଟ୍ରିକ୍ ଭଳି ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପରିଚାଳନାରେ ବିଭ୍ରାଟ ସୃ୍ଷ୍ଟି କରିଚାଲିଛନ୍ତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ବୋର୍ଡ କର୍ତ୍ତୃପକ୍ଷ ଏଡାଇଯିବା ସହିତ ପରୀକ୍ଷାରେ କୌଣସି ଅନିୟମିତତା ବା ବିଭ୍ରାଟ ହୋଇ ନ ଥିବା ସୂଚନା ଦେଇଛନ୍ତି। ଆଜି ସାଧାରଣ ବିଜ୍ଞାନ ପରୀକ୍ଷାରେ କପି କରି ୯ଜଣ ପରୀକ୍ଷାର୍ଥୀ ମାଲ୍‌ପ୍ରାକ୍ଦିସ୍ ହୋଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର