ପଶ୍ଚିମ ଓଡ଼ିଶା: ବିଜେପି ଶିବିରରେ ଭିନ୍ନ ଦୃଶ୍ୟ, ଛତିଶଗଡ଼ ନେତାଙ୍କୁ ଦେଖିବାକୁ ମିଳିଲାନି

ସନ୍ଦେହରେ ୨୦୧୭ ସଫଳତା

ସମ୍ବଲପୁର : ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନ ଓଡ଼ିଶାରେ ବିଜେପି ପାଇଁ ନୂଆ ପରିଚୟ ସୃଷ୍ଟି କରିଥିଲା। ପଶ୍ଚିମ ଓଡ଼ିଶା ଯେ ବିଜେପିର ଦୁର୍ଗ ଏହା ଏହି ଜାତୀୟ ଦଳ ସାବ୍ୟସ୍ତ କରିଥିଲା। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ମଧ୍ୟରୁ ୬ଟିରେ ବିଜେପି ବହୁମତ ସହ ଜିଲ୍ଲା ପରିଷଦ ଗଠନ କରିଥିଲା। ବିଜେଡିକୁ ବୌଦ୍ଧ ଓ ନୂଆପଡ଼ା ଭଳି ଦୁଇଟି ଛୋଟ ଜିଲ୍ଲାରେ ସୀମିତ କରି ଦେଇଥିଲା। ସୁନ୍ଦରଗଡ଼ରେ ବିଜେଡି ଓ କଂଗ୍ରେସ୍ ମେଣ୍ଟ କରି ପରିଷଦ ଗଢ଼ିଥିଲେ। କଂଗ୍ରେସ୍ କେବଳ ଝାରସୁଗୁଡ଼ାରେ ସୀମିତ ରହିଥିଲା। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ଦେବଗଡ଼ ଭଳି ୬ଟି ଜିଲ୍ଲାରେ ବିଜେପି ବାଜିମାତ୍ କରିଥିଲା। ମାତ୍ର, ଚଳିତ ନିର୍ବାଚନରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ବିଶେଷକରି, ସ୍ଥାନୀୟ ନେତା ଛତିଶଗଡ଼ କ୍ୟାଡର୍‌ଙ୍କୁ ଝୁରୁଥିବା ଦେଖିବାକୁ ମିଳିଛି।

ବିଜେପି ପାଇଁ ଚଳିତ ଜିଲ୍ଲା ପରିଷଦ ଲଢ଼େଇ ପଶ୍ଚିମ ଓଡ଼ିଶାରେ ସେତେ ସହ‌ଜ ହେବ ନାହିଁ। ଏହାର ମୁଖ୍ୟ ଓ ସିଧା କାରଣ ହେଲା ବିଜେପିର କେନ୍ଦ୍ରୀୟ ନେତୃତ୍ବ ୨୦୧୭ରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଯେଭଳି ଗୁରୁତ୍ବ ଦେଇଥିଲେ ଏଥର ଦେଇ ନାହାନ୍ତି। ଗତଥର ବିଜେପି ଅତ୍ୟନ୍ତ ସୁଚିନ୍ତିତ ଓ ଯୋଜନାବଦ୍ଧ ରଣନୀତି ଅନୁଯାୟୀ ପଞ୍ଚାୟତ ନିର୍ବାଚନ ଲଢ଼ିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୂର୍ଣ୍ଣ ସକ୍ରିୟ ରହି ପ୍ରତ୍ୟକ୍ଷ ଭାବେ ନିର୍ବାଚନ ପରିଚାଳନା କରୁଥିଲେ। ଏଥର ସେ ଉତ୍ତର ପ୍ରଦେଶର ଗୁରୁ ଦାୟିତ୍ବରେ ଥିବାବେଳେ ସ୍ଥାନୀୟ ବିଜେପି ନେତାମାନେ ନିଜ ଦମ୍‌ରେ ଯାହା କରୁଛନ୍ତି। ତେବେ ଏହାର ସର୍ବାଧିକ ପ୍ରଭାବ କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ବିଜେପି କର୍ମୀଙ୍କ ଉପରେ ପଡ଼ିଛି। କାରଣ ଗତଥର ଏହି ଦୁଇ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ବ ତତ୍କାଳୀନ ଛତିଶଗଡ଼ ବିଜେପି ନେଇଥିଲା। ସେତିକିବେଳେ ଛତିଶଗଡ଼ରେ ରମଣ ସିଂହଙ୍କ ବିଜେପି ସରକାର ଥିବାବେଳେ ଦୁଇ ସୀମାବର୍ତ୍ତୀ ବଡ଼ ଜିଲ୍ଲାରେ ନିର୍ବାଚନ ପରିଚାଳନାକୁ ସେମାନେ ନିଜ ନିୟନ୍ତ୍ରଣରେ ରଖି ଦଳ ପାଇଁ ବୃହତ୍ ବିଜୟ ଆଣି ପାରିଥିଲେ। ତେବେ, ଏଥର ନା ରମଣ ସିଂ ମୁଖ୍ୟମନ୍ତ୍ରୀ ଅଛନ୍ତି ନା ଛତିଶଗଡ଼ରେ ବିଜେପିର ସରକାର ଅଛି। ଫଳରେ ଏବେ ଏହି ଦୁଇ ଜିଲ୍ଲାର ସ୍ଥାନୀୟ ନେତାମାନେ ପ୍ରତିକୂଳ ପରିସ୍ଥିତିରେ ଛତିଶଗଡ଼ର ବିଜେପି କ୍ୟାଡର୍‌ଙ୍କୁ ଝୁରି ହେଉଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରଠାରୁ କଳାହାଣ୍ଡି ଓ ବରଗଡ଼ ଜିଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ଛତିଶଗଡ଼ୀ ବିଜେପି ଓ ସଂଘ କ୍ୟାଡର୍‌। ଗାଁ ଗାଁରେ ସେମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁଦାନ ସିଂହ ଏହି ଦୁଇ ଜିଲ୍ଲାରେ ‌ବିଜେପି ନିର୍ବାଚନ ପରିଚାଳନାର ମଙ୍ଗ ଧରିଥିଲେ। ନିର୍ବାଚନ ପାଇଁ ଛତିଶଗଡ଼ରୁ ପ୍ରଚୁର ଅର୍ଥ ଆସିଥିଲା ଓ ଖର୍ଚ୍ଚ କରିବାରେ ସେମାନେ ବିଜେଡିକୁ ବି ବହୁ ପଛରେ ଛାଡ଼ି ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେପି ୩୩, ବିଜେଡି ଗୋଟିଏ ଓ କଂଗ୍ରେସ୍ ୨ଟି ମାତ୍ର ଜିତିଥିଲା। ବରଗଡ଼ରେ ମୋଟ ୩୪ ଆସନ ମଧ୍ୟରୁ ବିଜେପି ୨୫ ଓ ବିଜେଡି ୯ଟି ହାସଲ କରିଥିଲା। ଏହା ସହ ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼ ଓ ସୋନପୁରରେ ବି ବିଜେପି ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ଲଢ଼ି ବିରୋଧୀଙ୍କୁ ପରାସ୍ତ କରିଥିଲା। ଏଥର ପଞ୍ଚାୟତ ନିର୍ବାଚନରେ ଦେଶର ଏହି କ୍ଷମତାସୀନ ଦଳ କିଭଳି ପ୍ରଦର୍ଶନ କରୁଛି ତାହା ତ ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ, ତେବେ ଗତଥରର ସଫଳତା ଦୋହରାଇବା ନେଇ ରାଜନୀତି ସମୀକ୍ଷକମାନେ ସଂଦେହରେ ରହିଛନ୍ତି।

ସମ୍ବନ୍ଧିତ ଖବର