ବିଦ୍ୟୁତ ତାର ଟାଣି କି ଲାଭ? ଅନ୍ଧାରରେ ବାଘୁଆପାଟ, ଡିବିରି ଆଲୁଅ ଭରସା

ବନ୍ତଳା: ବିଦ୍ୟୁତ୍‌ ଖୁଣ୍ଟ ପୋତା ହୋଇଛି। ତାର ବି ଟଣାଯାଇଛି। କିନ୍ତୁ ସେଥିରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଫଳରେ ଆଜି ବି ଲୋକଙ୍କ ଭରସା ଡିବିରି ଆଲୁଅ। ଅନୁଗୁଳ ବ୍ଲକ୍‌ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଗାଁରେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ବନବିଭାଗର କ୍ଲିଅରାନ୍ସ ନଥିବା ବିଦ୍ୟୁତ୍‌ ବିଭାଗ କହୁଥିଲା ବେଳେ ବନବିଭାଗ କହିଛି ବିଦ୍ୟୁତ୍ ସଂଯୋଗ ଦେଲେ ଆମର କିଛି ସମସ୍ୟା ନାହିଁ। ତେବେ ଦୁଇ ବିଭାଗର ଛକାପଞ୍ଝା ଭିତରେ ଫସି ଯାଇଛନ୍ତି ବାଘୁଆପାଟ ଗ୍ରାମବାସୀ।
ସୂଚନା ଅନୁସାରେ, ବଣଜଙ୍ଗଲ ଘେରା ବାଘୁଆପାଟ ଗାଁରେ ୩୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଜଙ୍ଗଲ ଭିତରେ ଥିବା ଏହି ଗାଁକୁ ସବୁବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଛି। ଆଦିବାସୀ ବହୁଳ ଏହି ଗାଁକୁ ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ସ୍ବାଧୀନତାର ଦୀର୍ଘବର୍ଷ ପରେ ଗାଁ ଲୋକେ ବିଜୁଳି ଆଲୁଅ ଦେଖିବାର ସୁଯୋଗ ପାଇଥିଲେ। ‘ସୌଭାଗ୍ୟ’ ଯୋଜନାରେ ସରକାରଙ୍କ ପକ୍ଷରୁ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତି ବିଦ୍ୟୁତ୍‌ ଯୋଗାଣ ହୋଇଥିଲା। କିନ୍ତୁ ଖୋଲା ତାରରେ ବନ୍ୟଜନ୍ତୁଙ୍କ ଶିକାର ଆଶଙ୍କା କରି ଏଥିରେ ପ୍ରତିବନ୍ଧକ ଲଗାଇଥିଲା ବନବିଭାଗ। ଯାହାଫଳରେ ବିଦ୍ୟୁତ୍ ବିଭାଗ ସଂଯୋଗ କାଟି ଦେଇଥିବା ଜଣାପଡ଼ିଛି। ଆଉ ଏହାରି ଭିତରେ ବିତିଗଲାଣି ୫ବର୍ଷ। ନା ବନବିଭାଗ କ୍ଲିଅରାନ୍ସ ଦେଉଛି, ନା ଲୋକେ ବିଜୁଳି ଆଲୁଅ ପାଇ ପାରୁଛନ୍ତି। ସଞ୍ଜ ନଇଁଲେ ଲୋକଙ୍କ ତାଟି କବାଟ ପଡ଼ୁଛି। ଡିବିରି, ଲଣ୍ଠନ ଜାଳି ରାତି କାଟୁଛନ୍ତି।

ଗାଁ ପାଖରେ ଦିନରେ ହାତୀ ଚଳପ୍ରଚଳ କରୁଛି। ରାତି ହେଲେ ଅନ୍ଧାର ମାଡ଼ି ପଡ଼ୁଛି। ଫଳରେ ଭୟଭୀତ ଅବସ୍ଥାରେ ଚଳିବାକୁ ପଡ଼ୁଛି ବୋଲି ଗାଁ ଲୋକେ କହିଛନ୍ତି। ବିଜୁଳି ଆଲୁଅ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ‌ବି କେହି ଶୁଣୁ ନଥିବା ସେମାନେ କହିଛନ୍ତି। ‌ଅନ୍ୟପଟେ ଏ ସମ୍ପର୍କରେ ବନ୍ତଳା ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ମାଧବ ସାହୁଙ୍କୁ ପଚରାଯିବାରେ, ବନବିଭାଗର କ୍ଲିଅରାନ୍ସ ନଥିବା ଯୋଗୁଁ ବିଦ୍ୟୁତ୍ ସଂଯୋଗ ଦେଇ ହେଉ ନଥିବା କହିଛନ୍ତି। ବନବିଭାଗ ଅନୁମତି ଦେଲେ ବିଦ୍ୟୁତ୍ ସଂଯୋଗ ଦେବାରେ ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି। ସେପଟେ ଅନୁଗୁଳ ବନବିଭାଗ କିନ୍ତୁ ଏହାକୁ ଅଗ୍ରାହ୍ୟ କରିଛି। ବିଭାଗୀୟ ଏସିଏଫ୍‌ କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି, ବିଦ୍ୟୁତ୍‌ ବିଭାଗ କେବୁଲ ତାରରେ ବିଦ୍ୟୁତ୍‌ ସେବା ଦେଲେ ଆମେ ମନା କରିବୁ ନାହିଁ। ଖୋଲା ତାର‌ରେ ବନ୍ୟଜନ୍ତୁ ଶିକାର ହେବାର ସମ୍ଭାବନା ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଖୋଲା ତାରରେ ବିଦ୍ୟୁତ୍‌ ସରବରାହକୁ ମନା କରାଯାଇଛି। ତେବେ ଦୁଇ ବିଭାଗ ପରସ୍ପର ସମନ୍ବୟ ରଖି ଗାଁକୁ ପୁଣି ଥରେ ବିଦ୍ୟୁତ୍‌ ସେବା ଯୋଗାଇ ଦେବାପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର