ବଳକା ଧାନରେ ତିଆରି ହେବ ମୁଢ଼ି, ଚୁଡ଼ା: ଖୋଲା ବଜାରରେ ଚଢ଼ାଦରରେ ବିକ୍ରି କରିବେ

ବଲାଙ୍ଗୀର: ପ୍ରତିବର୍ଷ ବଲାଙ୍ଗୀର ଜିଲ୍ଲାରେ ଧାନକିଣା ବିଭ୍ରାଟ ଲାଗି ରହୁଛି। ଚାଷୀଙ୍କ ଧାନ ସହଜରେ ଉଠୁନାହିଁ। ଏପରିକି ବାହାର ରାଜ୍ୟକୁ ଚାଷୀ ଧାନ ବିକ୍ରି ପାଇଁ ନେଉଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲାରେ ବିନା ଅନୁମତିରେ ଖୋଲା ବଜାରରେ ଲକ୍ଷ ଲକ୍ଷ କ୍ବିଣ୍ଟାଲ ଚାଉଳ ବିକ୍ରି ହେଉଛି। ଏଥିରେ ମିଲର୍ସଙ୍କ ହାତ ରହୁଛି। ଚାଷୀଙ୍କଠାରୁ ବଳକା ରହିଯାଇଥିବା ଧାନ କମ୍‌ ମୂଲ୍ୟରେ କିଣି ପୁଣି ସେହି ଧାନରୁ ଉଷୁନା ଚାଉଳ, ଅରୁଆ ଚାଉଳ, ମୁଢ଼ି ଚାଉଳ ଏବଂ ଚୁଡ଼ା ତିଆରି କରି ଖୋଲା ବଜାରରେ ଚଢ଼ାଦରରେ ବିକ୍ରି କରୁଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ୧ ଲକ୍ଷ ୮୧ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା। ପଞ୍ଜୀକୃତ ‌ଚାଷୀ ସଂଖ୍ୟା ଏବଂ ଚାଷଜମିର ପରିମାଣକୁ ହିସାବ ଲଗାଇଲେ ୪୦ଲକ୍ଷ କ୍ବିଣ୍ଟାଲ ଧାନ ଅମଳ ହେବା କଥା। ତେବେ, ୩୪ ଲକ୍ଷ କ୍ବିଣ୍ଟାଲ ଧାନ କିଣା ଯାଇଥିବାରୁ ଅବଶିଷ୍ଟ ୫-୬ ଲକ୍ଷ କ୍ବିଣ୍ଟାଲ ଧାନ ହେରଫେର୍‌ ହୋଇଥିବା ଅନୁମାନ କରାଯାଉଛି। ଅର୍ଥାତ୍‌ ସିଂହଭାଗ ଧାନ ମିଲର୍ସମାନେ ସ୍ବଳ୍ପ ଦରରେ କିମ୍ବା ଜାଲ୍‌ ପ୍ରକ୍ରିୟାରେ ଗଚ୍ଛିତ ରଖିଛନ୍ତି। ଯାହାକୁ ଆଗାମୀ ଦିନରେ ମୁଢ଼ି, ଚୁଡ଼ା, ଖୁଦ ପାଇଁ ଖୋଲା ବଜାରକୁ ଛଡ଼ାଯିବ। ଖୋଲା ବଜାରରେ ଧାନ ବିକ୍ରି ହେବାକଥା ସରକାର ବାରମ୍ବାର ଅସ୍ବୀକାର କରୁଥିବା ବେଳେ ‌ମୁଢ଼ି, ଚୁଡ଼ା, ଗୋ-ଖାଦ୍ୟ ପାଇଁ ବଜାରରେ ମିଳୁଥିବା ପ୍ରଚୁର ଦେଶୀ ଚାଉଳ କେଉଁଠୁ ଆସୁଛି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ଷବର୍ଷ ଧରି ଖୋଲାଖୋଲି ଭାବେ ଏହି କାରବାର ଚାଲୁଥିବା ବେଳେ ପ୍ରଶାସନ କିମ୍ବା ଯୋଗାଣ ବିଭାଗ ପକ୍ଷରୁ କୌଣସି ଖୋଳତାଡ଼ କରାଯାଉନାହିଁ। ମିଲ୍‌ଗୁଡ଼ିକରେ ନିର୍ଦ୍ଧାରିତ ପରିମାଣରୁ ଅଧିକ ଧାନ ଗଚ୍ଛିତ କରି ରଖିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର