ବିରାଶାଳ ଏୟାରଷ୍ଟ୍ରିପ୍‌ ବଜେଟ୍‌କୁ ବର୍ଷେ: ସ୍ବପ୍ନର ଉଡ଼ାଣରେ ବ୍ରେକ୍‌

ଆରମ୍ଭ ହୋଇନି ଜମି ଅଧିଗ୍ରହଣ, ଛାତ୍ରାବାସ ନାହିଁ, ଭଡ଼ାଘର ଭରସା

ରାକେଶ ରୋଷନ ମହାନ୍ତି
ଅନୁଗୁଳ: ବିଶ୍ବରେ ସୁନାମ ଅର୍ଜନ କରିବ ବିରାଶାଳ ଏୟାରଷ୍ଟ୍ରିପ୍। ଆକାଶମାର୍ଗରେ ଲେଖିବ ନୂଆ ଇତିହାସ। ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେବ ଏହି ବିମାନ ପ୍ରଶିକ୍ଷଣ କେନ୍ଦ୍ର। ଏହା ଭାରତର ସବୁଠାରୁ ବଡ଼ ବିମାନ ପ୍ରଶିକ୍ଷଣ କେନ୍ଦ୍ର ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ରେ ଥିବା ବିରାଶାଳ ଏୟାରଷ୍ଟ୍ରିପ୍‌କୁ ନେଇ ଠିକ୍‌ ବର୍ଷେ ତଳେ ଏମିତି କିଛି ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ବଜେଟ୍‌ରେ ୨୭୫ କୋଟି ଟଙ୍କାର ଅନୁମୋ‌ଦନ ପରେ ଆଦିବାସୀପଡ଼ାରୁ ସ୍ବପ୍ନର ଉଡ଼ାଣ ଭରିବାକୁ ଆଶା ବାନ୍ଧି ବସିଥିଲେ ବହୁ ଭବିଷ୍ୟତ ବିମାନ ଚାଳକ। କିନ୍ତୁ, ବର୍ଷେ ପରେ ବି ସେଭଳି କିଛି ଆଖିଦୃଶିଆ ପ୍ରଗତି ଦେଖିପାରିଲାନି ବିରାଶାଳ ଏୟାରଷ୍ଟ୍ରିପ୍। ଯାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ବିରାଶାଳ ଏୟାରଷ୍ଟ୍ରିପ୍‌କୁ ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମି ନାଁରେ ନାମିତ କରିବା ସହ ବିଶ୍ବସ୍ତରୀୟ ପାଇଲଟ୍‌ ଟ୍ରେନିଂ ସେଣ୍ଟର୍‌ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଦେଖିଥିବା ସ୍ବପ୍ନରେ ଏବେ ବ୍ରେକ୍‌ ଲାଗିଛି। ବିଶ୍ବସ୍ତରୀୟ ପାଇଲଟ୍‌ ଟ୍ରେନିଂ ସେଣ୍ଟର୍‌ ପାଇଁ ଆବଶ୍ୟକ ଭିତ୍ତିଭୂମି ଏହି ବର୍ଷକ ଭିତରେ ଆଶାନୁରୂପକ ଭାବେ ପ୍ରସ୍ତୁତ କରାଯାଇ ପାରିନାହିଁ। ଏଥିପାଇଁ ଆବଶ୍ୟକ ମୁତାବକ ଜମି ଅଧିଗ୍ରହଣ ଆରମ୍ଭ ହୋଇ ନଥିବାରୁ ପ୍ରକଳ୍ପ ଆଗେଇବା ନାଁ ଧରିନି।

ରାଜସ୍ବ ବିଭାଗର ତଥ୍ୟ ଅନୁସାରେ ରନ୍‌ୱେଠାରୁ ନେଇ ଏୟାରଷ୍ଟ୍ରିପ୍ ନବୀକରଣ ପାଇଁ ପ୍ରାୟ ୨୫୦ ଏକର ଜମି ଆବଶ୍ୟକ ରହିଛି। ଯେଉଁଥିରେ କେବଳ ଜଙ୍ଗଲ ଜମି ରହିଛି ପ୍ରାୟ ୧୯୯ ଏକର। ସେହିପରି ୨.୨୦ ଏକର ଅଣ-ଜଙ୍ଗଲ ଜମି ଓ ୨୮ଏକର ବ୍ୟକ୍ତିଗତ ଜମି ରହିଛି। କିନ୍ତୁ ୨୫୦ ଏକର ଜମିରୁ ଇଞ୍ଚେ ଜମି ମଧ୍ୟ ଅଧିଗ୍ରହଣ ହୋଇନାହିଁ। ଜଙ୍ଗଲ ଜମି ବାବଦରେ ରିପୋର୍ଟ ପ୍ରସ୍ତୁତ କରି କଙ୍କଡ଼ାହାଡ଼ ତହସିଲ୍‌ ଗତ ମାସକ ତଳେ ଡିଏଫ୍‌ଓଙ୍କ ପାଖକୁ ପଠାଇଛି। ସେଠାରୁ ଅନୁମୋଦନ ଆସିବା ପରେ ଜମିର କିସମ ବଦଳିବା ପ୍ରକ୍ରିୟା ଆରମ୍ଭ ହେବ। ତେବେ ୨୮ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହିଁ। କେବଳ ଅଣ-ଜଙ୍ଗଲ ଜମିକୁ ତହସିଲ୍‌ କର୍ତ୍ତୃପକ୍ଷ ପ୍ରଦାନ କରିବାକୁ ପ୍ରସ୍ତୁତ କରି ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ରନ୍‌ୱେ, ହ୍ୟାଙ୍ଗର୍‌ ଓ ଏଟିସି ନିର୍ମାଣ ସରିଥିବା ପୂର୍ତ୍ତ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଠାରେ ୪ ହଜାର ଫୁଟ୍‌ ଲମ୍ବା ରନ୍‌ୱେ ଥିବାବେଳେ ୧୦ଟି ପ୍ରଶିକ୍ଷଣ ବିମାନ ରହିବାକୁ ହ୍ୟାଙ୍ଗର୍‌ ନିର୍ମାଣ ହୋଇଛି। କିନ୍ତୁ ଏଥିପାଇଁ ଡିଜିସିଏ ଅନୁମତି ମିଳି ନଥିବା ବିଶ୍ବସ୍ତ ସୂତ୍ରରୁ ଜ ସୂଚନାଯୋଗ୍ୟ, ୧୯୭୧ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିମାନ ଏହି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲା। ଗତବର୍ଷ ଫେବ୍ରୁଆରି ମାସରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେହିମାସ ୨୫ ତାରିଖରେ ଏହାର ନାଁ ବଦଳି ବିଜୁ ପଟ୍ଟନାୟକ ଏରୋସ୍ପେସ୍‌ ଏକାଡେମି ନାଁରେ ନାମିତ ହୋଇଥିଲା।

ସମ୍ବନ୍ଧିତ ଖବର