ମହିଳା-ବିରୋଧୀ ଅପରାଧ ନେଇ ବିଧାନସଭାରେ ଉଦବେଗ; ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ସରକାର

୧୪ବର୍ଷ କମ୍‌ ନାବାଳିକା ଦୁଷ୍କର୍ମ ମାମଲା ରେଡ୍‌ ଫ୍ଲାଗ୍‌ ପରିସରଭୁକ୍ତ

ଭୁବନେଶ୍ୱର : ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ନାବାଳିକା ଓ ମହିଳା ଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ଯେଉଁ ହଙ୍ଗାମା କରିଥିଲେ, ସେ ସଂପର୍କରେ ବିଧାନସଭାରେ ବିବୃତି ଦେଇ ଆଜି ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

କେବଳ ସେତିକି ନୁହେଁ, ସରକାର ଏକଥା ବି କହିଛନ୍ତି, ୨୦୧୭ ବର୍ଷରେ ଦୁଷ୍କର୍ମ ମାମଲାର ସଫଳ ପର୍ଯ୍ୟବେକ୍ଷଣ କାରଣରୁ ଦଣ୍ଡବିଧାନ ହାର ୧୬.୯୦%କୁ ବୃଦ୍ଧି ପାଇଛି। ଆଜି ଗୃହ ଶେଷ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ବିବୃତି ଦେବା ଲାଗି ଗତକାଲି ବାଚସ୍ପତି ପ୍ରଦୀପ ଅମାତ ନିର୍ଦେଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ସମସ୍ତ ବର୍ଗଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ସରକାର ପ୍ରାଥମିକତା ଦେଉଛନ୍ତି। କେତେକ ଦୁଷ୍କର୍ମ, ବିଶେଷକରି ନାବାଳିକା ଦୁଷ୍କର୍ମ ଘୋର ଉଦ୍‌ବେଗଜନକ। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସକୁ ନିର୍ଦେଶ ଦିଆଯାଇଛି।

ମନ୍ତ୍ରୀ କହିଥିଲେ, ଗତ ୨୧ ତାରିଖରେ କଟକରେ ଘଟିଥିବା ତିନିଟି ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ୧୨ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ସକ୍ଷମ ହୋଇଛି। ସେହିପରି ନିକଟରେ କେନ୍ଦ୍ରାପଡ଼ାରେ ଘଟିଥିବା ଦୁଇଟି ମାମଲାରେ ବି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗତ ୧୪ ତାରିଖରେ ସୋର ଓ ୧୫ ତାରିଖରେ ନୀଳଗିରି ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଏସବୁ ମାମଲାରେ ତ୍ୱରିତ ଅନୁସନ୍ଧାନ କରିବା ଲାଗି ପୁଲିସକୁ କୁହାଯାଇଛି। ଏଥିସହିତ ପୋକସୋ ଆଇନ, ୨୦୧୨ ଅନ୍ତର୍ଗତ ୧୪ ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମ ମାମଲାକୁ ରାଜ୍ୟ ଅପରାଧ ନିରାକରଣ ଶାଖା ଦ୍ୱାରା ରେଡ୍‌ ଫ୍ଲାଗ୍‌ ମାମଲା ଭାବେ ବିବେଚନା କରାଯାଇଛି। ସରକାର ନିର୍ଦେଶ ଦେଇଛନ୍ତି, ଏସବୁ ମାମଲା ଗୁଡିକରେ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ସହ ପ୍ରତି ଶୁଣାଣି ତାରିଖକୁ ଅନୁସରଣ କରିବା ଲାଗି ଜଣେ ଅଧିକୃତ ତଦନ୍ତ ଅଧିକାରୀ ବି ଦାୟିତ୍ୱରେ ରହିବେ। ସେହିଭଳି ସାକ୍ଷୀମାନଙ୍କୁ ଧମକ ଅଥବା ହଇରାଣରୁ ସୁରକ୍ଷା ଦେବା ପାଇଁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଥିଲେ।

ଏହି ଅବସରରେ ମନ୍ତ୍ରୀ ସୂଚାଇଥିଲେ ଯେ ଚଳିତବର୍ଷ ଅଭିଯୋଜନ ପ୍ରକ୍ରିୟାତୁ ଦୃଢୀଭୂତ କରିବା ଲାଗି ୧୯୨ ଜଣ ସରକାରୀ ଓକିଲଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଆଞ୍ଚଳିକ ଆରକ୍ଷୀ ମହାନିରୀକ୍ଷକ ଓ ଉପ ଆରକ୍ଷୀ ମହାନିରୀକ୍ଷକ ସ୍ତରରେ ଦୋଷମୁକ୍ତି ମାମଲାର ସମୀକ୍ଷା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୀକ୍ଷାରେ ଯେଉଁ ଆରକ୍ଷୀ ଅଧିକାରୀଙ୍କ ତ୍ରୁଟି ପରିଲକ୍ଷିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର