କଟକ : କଟକ ସହରରେ ବିକାଶ ବାହାନାରେ ଚାଲିଥିବା ବେପରୱା କାମ ଯୋଗୁଁ ମେ ୨୯ ଓ ୩୦ ତାରିଖ ଦିନ ଦୁଇ ଦୁଇଟି ମୂଲ୍ୟବାନ ଜୀବନ ଯିବା ପ୍ରସଂଗକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ ହୋଇଛି। ହାଇକୋର୍ଟର ଆଇନଜୀବୀ ଶିବଶଙ୍କର ମହାନ୍ତି ଦୁଇ ଘଟଣାକୁ ନେଇ ଦୁଇଟି ପୃଥକ ଆବେଦନ କମିସନଙ୍କ ନିକଟରେ ଦାଖଲ କରିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ କୌଣସି ସୁରକ୍ଷା ଓ ପ୍ରତିଷେଧକ ବ୍ୟବସ୍ଥା ନ କରି ଚାଲିଥିବା ତାଳଦଣ୍ଡା କେନାଲ ନିର୍ମାଣ କାର୍ଯ୍ୟ ଯୋଗୁଁ ୨୯ ତାରିଖ ଦିନ କାରରେ ଯାଉଥିବା ଦମ୍ପତି କେନାଲ ଭିତରକୁ ଖସି ପଡିଥିଲେ। ଘଟଣାସ୍ଥଳରେ ସ୍ବାମୀ ଜ୍ଞାନରଂଜନ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣାସ୍ଥଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ କୌଣିସି ସୂଚନାଫଳକ ବା ସୁରକ୍ଷା ପାଇଁ ବାଡ ନଥିଲା। ଫଳରେ କାର୍ ସିଧାସଳଖ କେନାଲ ଭିତରକୁ ଖସି ପଡିଥିଲା। ଏଥି ପାଇଁ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥା ଦାୟୀ ବୋଲି ଶ୍ରୀ ମହାନ୍ତି ଦର୍ଶାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଭାବେ ତାଳଦଣ୍ଡା କେନାଲ ଅଘଟଣର ୨୪ ଘଣ୍ଟା ନ ପୂରୁଣୁ ୩୦ ତାରିଖରେ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ଜଣେ ୧୭ ବର୍ଷର ଛାତ୍ରୀଙ୍କ ଜୀବନ ଯାଇଥିଲା। ଛଟପଟ ହୋଇ ଛାତ୍ରୀଙ୍କ ଜୀବନ ଯାଇଥିଲା। ସରକାରୀ କର୍ତ୍ତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥାର ଅବହେଳା କାରଣରୁ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଯାଇଥିଲା। ଉଭୟ ଘଟଣାରେ କର୍ତ୍ତବ୍ୟରେ ଅବହେଳା ସ୍ପଷ୍ଟ ହୋଇଛି। ଏହି ଦୁଇ ଘଟଣାରେ କିଏ ଉତ୍ତରାଦାୟୀ ସେ ନେଇ ରିପୋର୍ଟ ତଲବ କରାଯାଉ। ଦୋଷୀ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଉଭୟ ମାମଲାରେ କଟକ ଜିଲ୍ଲାପାଳ, ସିଏମସି କମିସନର, ଓଡ଼ିଶା ଜଳଯୋଗାଣ ଓ ସ୍ବେରେଜ ବୋର୍ଡ, ଜଳ ସଂପଦ ସଚିବ, ଆର ଆଣ୍ଡ ବି, କମିସନରେଟ ପୁଲିସକୁ ପକ୍ଷଭୁକ୍ତ କରାଯାଇଛି।