ଚଳିତ ମାସ ୧୧ ତାରିଖ। ସକାଳ ପ୍ରାୟ ୬ଟା। ଜଣେ ବନ୍ଧୁଙ୍କ ଫୋନ ଆସିଲା, ‘ଡାକ୍ତର ଜଗନ୍ନାଥ ମହାପାତ୍ର ଆଉ ନାହାନ୍ତି’। ହଠାତ୍ ସ୍ତବ୍ଧ ହୋଇଗଲି। ଚାରିପଟର ପୃଥିବୀଟା ଯେମିତି ସ୍ଥିର ହୋଇଗଲା। ମୋର ପ୍ରିୟ ‘ଜଗା ଭାଇନା’ ଯେ ଦିଗବଳୟର ଅପରପାର୍ଶ୍ବରେ, ତା’ ଭାବି ହେଲାନି। ସଜଳ ହସର ସେଇ ଦୀପ୍ତିମନ୍ତ ଚେହେରା ନାଚି ଉଠିଲା ଆଖି ଆଗରେ। ସେ ଭାବମୟ ଅନାବିଳ ଆବେଗ ଆଜି ଲେଖିଲା ବେଳକୁ ଆଖି ଆପଣାଛାଏଁ ଲୋତକାପ୍ଳୁତ ହୋଇ ଉଠୁଛି, ଦୀର୍ଘ ଦିନ ସମ୍ପର୍କର ସମସ୍ତ କଥା ଗୋଟି ଗୋଟି ହୋଇ ଆଖି ଆଗକୁ ଚାଲିଆସୁଛି ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ସହ ଅନ୍ତରଙ୍ଗ ହେବାର ସୁଯୋଗ ପାଇଥିଲି ୧୯୯୩-୯୪ ମସିହାରେ। ଦିନେ ପ୍ରାତଃ ସମୟରେ ଜଣେ ଭଦ୍ର ବ୍ୟକ୍ତି ମୋତେ ମୋ ଘରେ ଭେଟିଲେ। ଗୌରବର୍ଣ୍ଣ, ସୌମ୍ୟଦର୍ଶି, ଶାଳପ୍ରାଂଶୁ ଚେହେରା। ପରିଚୟ ଦେଲେ, ସେ ଡା. ଜଗନ୍ନାଥ ମହାପାତ୍ର। ଆଗମନର ଅଭିପ୍ରାୟ ଥିଲା, ଭୁବନେଶ୍ବର ସୁପର ମାର୍କେଟର ସଭାପତି ପଦ ପାଇଁ ସେ ପ୍ରାର୍ଥୀ ହୋଇଥିଲେ ଓ ମୁଁ ଥିଲି ଜଣେ ଭୋଟର ମେମ୍ବର। ଯଦିଓ ତାଙ୍କ ବିଷୟରେ ଓ ତାଙ୍କ ଜଗନ୍ନାଥ ନର୍ସିଂହୋମ ବିଷୟରେ ମୁଁ ଆଗରୁ ଅବଗତ ଥିଲି, ସେଦିନର ସେ ମୂଲ୍ୟବାନ ଚା’ ପାନର ଆସର ଆମ ଭିତରେ ଏକ ଗଭୀର ଆତ୍ମୀୟତା ସୃଷ୍ଟି କରିଥିଲା। ଧୀରେଧୀରେ ତାହା ପାରିବାରିକ ମଧୁର ସମ୍ପର୍କରେ ପରିଣତ ହୋଇଥିଲା। ଏ ସମ୍ପର୍କ ଆହୁରି ସୁଦୃଢ଼ ହେଲା, ଯେତେବେଳେ ଜାଣିବାକୁ ପାଇଲି, ତାଙ୍କର ସୁଯୋଗ୍ୟ ପତ୍ନୀ ପ୍ରଫେସର ସଂଘମିତ୍ରା ମିଶ୍ର, ଅଶୀ ଦଶକରେ ରମାଦେବୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ, ମୋ ଧର୍ମପତ୍ନୀ ସୁଜାତା ଜେନା ଥିଲେ ତାଙ୍କ ଛାତ୍ରୀ। ସେ ଅନାବିଳ ସମ୍ପର୍କ, ଅତ୍ୟନ୍ତ ବ୍ୟକ୍ତିଗତ ସୁଖଦୁଃଖର ଆଦାନ ପ୍ରଦାନ, ପାରିବାରିକ ଅନୁଷ୍ଠାନଗୁଡ଼ିକରେ ଉଭୟଙ୍କ ସହଯୋଗିତା ଓ ସହଭାଗିତା ମଧ୍ୟରେ କେତେବେଳେ ଯେ ଡା. ମହାପାତ୍ର ମୋର ଅତି ଆପଣାର ‘ଜଗା ଭାଇନା’ ହୋଇଗଲେ ଜାଣିପାରିଲିନି।
କେବଳ ପାରିବାରିକ ନୁହେଁ, ଆମେ ଦୁହେଁ ରାଜନୈତିକ ସହକର୍ମୀ ମଧ୍ୟ ଥଲୁ। ୧୯୯୭ରୁ ୨୦୧୨ ଦୀର୍ଘ ୧୫ ବର୍ଷ କଂଗ୍ରେସ ଦଳରେ ଆମେ ଏକାଠି ସକ୍ରୀୟ ଭାବରେ କାମ କରିଛୁ। ଡା. ମହାପାତ୍ର ଭେଷଜ ବିଭାଗର ଜଣେ ସୁଯୋଗ୍ୟ ଡାକ୍ତର ଥିଲେ ବି ଟିକେ ନେତୃତ୍ବପ୍ରେମୀ। ସମାଜସେବା ପାଇଁ ଆମ ଦୁହିଁଙ୍କର ଅସମ୍ଭବ ଅଭିପ୍ସା ଆମ୍ଭଙ୍କୁ ଆହୁରି ନିକଟତର କରାଇଥିଲା। ୧୯୯୭ ମସିହାରେ ଭୁବନେଶ୍ୱର ମୁନିସିପାଲିଟି ନିର୍ବାଚନରେ ଆମେ ଦୁହେଁ ବିଜୟ ଲାଭ କରିବାର ସେ ସୁନ୍ଦର ମୁହୂର୍ତ୍ତ ଆଜି ମୋ ମାନସପଟ୍ଟରେ ଜୀବନ୍ତ। ପରେ ଡା. ମହାପାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉପଦେଶକ୍ରମେ ମୁନିସିପାଲିଟିର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ। କେବଳ ଡାକ୍ତରୀ ନୁହେଁ, ତାଙ୍କର ରାଜନୈତିକ ବୁଦ୍ଧି ଓ ଜ୍ଞାନ ମଧ୍ୟ ଥିଲା ଅପ୍ରମିତ। ଯାହା ଉଚିତ ବୋଲି ଭାବୁଥିଲେ, ତୁରନ୍ତ କାର୍ଯ୍ୟକାରୀ କରୁଥିଲେ। ତାଙ୍କ ସଙ୍ଗେ ମୋର କଟିଛି ଅନେକ ମୂଲ୍ୟବାନ ମୁହୂର୍ତ୍ତ।
ଡାକ୍ତର ହିସାବରେ ସେ ଥିଲେ ଅତ୍ୟନ୍ତ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମଠ। ପରିଶ୍ରମ କରି ତିଆରି ଥିଲେ ତାଙ୍କ ସ୍ୱପ୍ନର ‘ଜଗନ୍ନାଥ ନର୍ସିଂହୋମ’। ଏଥିରେ ‘ମାନବ ସେବା ହିଁ ମାଧବ ସେବା’କୁ ସାକାର ରୂପ ଦେଇଥିଲେ। ରାଜନୈତିକ ଜୀବନରେ ସେ ଥିଲେ ଯେମିତି ପ୍ରତିଷ୍ଠିତ, ଡାକ୍ତର ହିସାବରେ ଥିଲେ ସେମିତି ସଫଳ।
ମୋର ପରମ ସୌଭାଗ୍ୟ ଯେ ମୁଁ ତାଙ୍କ ସହ ଜଣେ ବିଶ୍ବସ୍ତ ବନ୍ଧୁ ହିସାବରେ କାର୍ଯ୍ୟ କରିବାର ଯଥେଷ୍ଟ ସୁଯୋଗ ପାଇଛି। ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ଯେଉଁ ସୁଯୋଗ୍ୟ ଡାକ୍ତର ଓ ସମାଜସେବୀଙ୍କୁ ହରାଇଲା, ତାହା ଅପୂରଣୀୟ। ସେ ସିନା ଆଜି ନାହାନ୍ତି, ହେଲେ ଆଜି ବି ନବ ସୃଜନର ଅଙ୍କୁର ଫୁଟାଇ ଚାଲିଥିବା ତାଙ୍କ ଅନୁଗାମୀମାନଙ୍କ ପାଇଁ ସେ ମହାନ ସବିତାର ସ୍ଥାନରେ ଅଛନ୍ତି।
ତାଙ୍କ ପାଇଁ ପଦେ ……
‘ସେ ମନୀଷୀ ମହାନ,
କି ବିରାଟ, ଦୀପ୍ତ ଜ୍ୟୋତିଷ୍ମାନ,
ସେ ନିଜେ ହିଁ ତ ନିଜର ତୁଳନା
ପ୍ରଦୀପ କି କରିପାରେ ସୂର୍ଯ୍ୟର କଳନା
ସେ ଚିର ଦୀପ୍ତିମାନ, ଚିର ଆୟୁଷ୍ମାନ।
ଆପଣା ଗୌରବେ ସେ ଚିର ଗରୀୟାନ।’
ଅମରଆତ୍ମାର ସଦ୍ଗତି ହେଉ, ଶୋକାକୂଳ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ସ୍ମରଣୀକା ପ୍ରକାଶନର ପ୍ରଚେଷ୍ଟା ପାଇଁ ‘ସମ୍ବାଦ ପରିବାର’ ପ୍ରତି ଅଶେଷ କୃତଜ୍ଞତା।
ସମ୍ପାଦକ, ବି.ଜେ. ଏଜୁକେସନ ସୋସାଇଟି