ଆଇପିଏଲ ଭଳି ପାକିସ୍ତାନର ପିଏସଏଲ ଏତେ ଲୋକପ୍ରିୟ ହୋଇନଥିଲେ ସୁଦ୍ଧା ଏବେ ଗୋଟିଏ ନିଦ୍ଦିଷ୍ଟ କାରଣ ପାଇଁ ଚର୍ଚ୍ଚାରେ ରହିଛି। ପାକିସ୍ତାନରେ କ୍ରିକେଟକୁ ଲୋକପ୍ରିୟ କରିବା ପାଇଁ ବୋର୍ଡ ବିଭିନ୍ନ ଉପାୟ ଆପଣାଇଛି। ତେବେ ପିଏସଏଲ ମ୍ୟାଚ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ରିକେଟ ଷ୍ଟାଡିୟମରୁ ବର୍ଷା ପାଣି ଶୁଖାଇବା ପାଇଁ ପ୍ରଥମଥର ହେଲିକପ୍ଟର ବ୍ୟବହାର କରିଛି ପାକିସ୍ତାନ ବୋର୍ଡ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ବୁଧବାର ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ପିଏସଏଲର ଏଲିମିନେଟର ମ୍ୟାଚ କରାଚୀ କିଙ୍ଗସ ଓ ପେଶୱାର ଜାଲମି ମଧ୍ୟରେ ଖେଳାଯାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଲଗାତାର ଜାରି ରହିବାରୁ ଷ୍ଟାଡିୟମ ଭିତରେ ପାଣି ଭରି ଯାଇଥିଲା। ଫଳରେ ଖେଳ ଆଉ ସମ୍ଭବପର ନୁହେଁ ବୋଲି ଦର୍ଶକ ମାନେ ଭାବି ସାରିଥିଲେ। କିନ୍ତୁ ପିଏସଏଲ ଏଲିମିନେଟର ମ୍ୟାଚର ରୋମାଞ୍ଚକୁ ଫିକା କରିବାକୁ ଦେଇ ନଥିଲା ପାକିସ୍ତାନ ବୋର୍ଡ ।
ହଠାତ୍ ପଡିଆ ଭିତରକୁ ପ୍ରବେଶ କରିଥିଲା ପାକିସ୍ତାନ ସେନାର ଦୁଇଟି ହେଲିକପ୍ଟର। ପଡିଆ ସାରା ଘୂରି ବୁଲିବା ଦେଖି ଅନେକ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପଡିଆରୁ ପାଣି ଶୁଖାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ହେଲିକପ୍ଟର ନିୟୋଜିତ କରିଛି ଏକଥା ଦର୍ଶକ କିଛି ସମୟ ପରେ ହିଁ ଜାଣିପାରିଥିଲେ। ଦୁଇଟି ହେଲିକପ୍ଟର ପଡିଆରେ ଚକ୍କର କାଟିବା ସହ ଷ୍ଟାଡିୟମରେ ଥିବା ପାଣିକୁ ଶୁଖାଇଥିଲେ। ଏହାପରେ ପୁଣିଥରେ ଆରମ୍ଭ ହୋଇଥିଲା ମ୍ୟାଚ୍ । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।