ଅଂଶୁମଦଭେଦାଗମ, ପୂର୍ବକାରଣାଗମ, ଲିଙ୍ଗପୁରାଣ, ବିଷ୍ଣୁଧର୍ମୋତ୍ତର ପୁରାଣ ଆଦି ଗ୍ରନ୍ଥମାନଙ୍କର ବର୍ଣ୍ଣନା ଅନୁସାରେ, ସମୁଦ୍ର ମନ୍ଥନ କାଳରେ କାଳକୂଟ ବିଷର ନିର୍ଗମନ ପରେ କ୍ଷୀରସାଗର ମଧ୍ୟରୁ ଏକ କୃଷ୍ଣବର୍ଣ୍ଣା, ଦ୍ୱିଭୁଜା, ଦୀର୍ଘ ନାସିକାଯୁକ୍ତା, ହସ୍ତୀମୁଖୀ, ସ୍ଖଳିତ ପୃଥୁଳସ୍ତନା, ପୃଥୁଳଜଂଘା, ସ୍ଫୀତଉଦରା, ଲୋଳିତଓଷ୍ଠା, ଲୋହିତ ବସ୍ତ୍ର ପରିହିତା ଏକ ବିକଟଦର୍ଶନା ନାରୀଙ୍କର ଆବିର୍ଭାବ ହୋଇଥିଲା। ସାଗରକନ୍ୟା ଲକ୍ଷ୍ମୀଙ୍କ ପୂର୍ବରୁ ଜାତ ହୋଇଥିବାରୁ ତାହାଙ୍କୁ ଏହି ଗ୍ରନ୍ଥମାନଙ୍କରେ ଜ୍ୟେଷ୍ଠାଦେବୀ, ଦରିଦ୍ରାଦେବୀ, ଅଗ୍ନିମାତା, ଅଲକ୍ଷ୍ମୀ, କପିଳପତ୍ନୀ, ରକ୍ତଜ୍ୟୋଷ୍ଠା ଆଦି ନାମରେ ନାମିତ କରାଯାଇଛି। ସେ ଏକାଧାରରେ ଦାରିଦ୍ରୢ, ଦୁଃଖ, କଳହ ଓ ପାପାଚାରର ଅଧୀଶ୍ୱରୀ ହୋଇଥିବାରୁ, ଦେବ, ଦାନବ, ଦୈତ୍ୟ କି ନାଗ କେହି ତାଙ୍କୁ ଗ୍ରହଣ କଲେ ନାହିଁ। ଦୈବ ନିର୍ଦ୍ଦେଶରେ ଦୁଃସହ ନାମକ ଜଣେ ତପସ୍ୱୀ ତାଙ୍କୁ ବିବାହ କରି ତାଙ୍କ ଆଶ୍ରମକୁ ନେଇଗଲେ। କିନ୍ତୁ ତପସ୍ୱୀଙ୍କର ଆଶ୍ରମ ଜ୍ୟେଷ୍ଠାଙ୍କୁ ଦୁର୍ବିଷହ ମନେହେଲା। ତାଙ୍କର କଷ୍ଟ ଦେଖି ଦୁଃସହ ଏହାର ନିରାକରଣ ପାଇଁ ମାର୍କଣ୍ଡେୟଙ୍କର ପରାମର୍ଶ ଲୋଡ଼ିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମାର୍କଣ୍ଡେୟ କହିଲେ, ଜ୍ୟେଷ୍ଠା ସେହି ସ୍ଥାନରେ ଆନନ୍ଦରେ ରହିବେ- ଯେଉଁଠି ସ୍ୱାମୀ-ସ୍ତ୍ରୀ ଅହରହ କଳହ କରୁଥିବେ; ପରିବାର ପରିଜନମାନେ ଯେଉଁଠି ସର୍ବଦା ଈର୍ଷା, ଦ୍ୱେଷ, କର୍କଶ ଭାଷଣ, ପାପାଚାରରେ ବୁଡ଼ି ରହିଥିବେ; ଘରଦ୍ୱାର ଅପରିଷ୍କାର ରହୁଥିବ; ହୋମ ଯଜ୍ଞ ଆଦି ପବିତ୍ର ଅନୁଷ୍ଠାନ ହେଉ ନଥିବ; ମିଥ୍ୟାଚାରରେ ଲିପ୍ତ ପଣ୍ଡିତ ରହିଥିବେ; ଶିଶୁମାନେ ଅବହେଳିତ ହେଉଥିବେ। ତୁମେ ତାଙ୍କୁ ସେପରି ସ୍ଥାନରେ ରଖ। ଋଷି ଦୁଃସହ ଜ୍ୟେଷ୍ଠାଙ୍କୁ ସେହିପରି ଘରେ ଆଶ୍ରୟ ନେବାପାଇଁ କହି ତପସ୍ୟା କରିବାକୁ ପାତାଳଲୋକକୁ ଚାଲିଗଲେ।
ସାଧାରଣତଃ ଗୃହସ୍ଥମାନେ ଅଲକ୍ଷ୍ମୀ ବା ଜ୍ୟେଷ୍ଠାଙ୍କ ଆଗମନର ପ୍ରତିରୋଧ କରିବାପାଇଁ ଗୃହଦ୍ୱାରରେ ଆମ୍ବପତ୍ର, ପୂର୍ଣ୍ଣକଳସ, କଦଳୀଗଛ, ଗେଣ୍ଡୁଫୁଲ ଟାଙ୍ଗି, ଗୋବର ଲେପନ କରିଥାନ୍ତି। ବିଶ୍ୱାସ ଅଛି, ଏହାଦ୍ୱାରା ଅଲକ୍ଷ୍ମୀ ଦୂରୀଭୂତ ହୋଇଯାଆନ୍ତି ଏବଂ ଲକ୍ଷ୍ମୀ ପ୍ରବେଶ କରନ୍ତି। ମାତ୍ର ଏସବୁ ସତ୍ତ୍ୱେ, ଗୃହ ମଧ୍ୟରେ ଯଦି କଳହ, ବିବାଦ, ଷଡ଼୍ଯନ୍ତ୍ର, ଅଶାନ୍ତି ଆଦି ରହେ, ତା’ହେଲେ ଏହି ଜ୍ୟେଷ୍ଠାଦେବୀ ଅନାୟାସରେ ପ୍ରବେଶ କରିଥାନ୍ତି। ତାଙ୍କୁ ଆବାହନ କରିବାପାଇଁ ବେଦମନ୍ତ୍ରର ଆବଶ୍ୟକତା ପଡ଼େ ନାହିଁ। କଳହ, କର୍କଶବଚନ, ମିଥ୍ୟାଭାଷଣ, ଛଳନା ହିଁ ତାଙ୍କର ପୂଜାମନ୍ତ୍ର। ମନ୍ଦିରମାନଙ୍କର କୌଣସି ଏକ କୋଣରେ ଏହି ଦେବୀଙ୍କର ମୂର୍ତ୍ତି ଦେଖାଯାଏ। ଏକ ହସ୍ତରେ ନୀଳ ବା ଶ୍ୱେତ ପଦ୍ମ, ଅଳଂକାର ବିମଣ୍ଡିତ ଶରୀର, ହାତ ଭରାଦେଇ ସିଂହାସନ ଉପରେ ଉପବେଶନରତ, ଧ୍ୱଜାରେ ଏକ କାକପକ୍ଷୀ, ପାଦତଳେ ଏକ ଗଧ ତଥା ଦୁଇ ପାଖରେ ଏକ ବୃଷଭମୁଖ ପୁରୁଷ ଓ ସୁନ୍ଦରୀ ନାରୀ ଦଣ୍ଡାୟମାନ। ପାଖରେ କିଛି ହିଂସ୍ର ଜନ୍ତୁ ମଧ୍ୟ ଦେଖାଯାଆନ୍ତି। ଆଲୋକ ଓ ଅନ୍ଧାରର ଅସ୍ତିତ୍ୱ ପରି, ଶୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ସେ ରହିଥାନ୍ତି। ଅଶୁଦ୍ଧ, ମିଥ୍ୟାବାଦୀଙ୍କର ଅନୁସରଣ କରି ସେ ତାଙ୍କୁ ଅଶାନ୍ତି ଓ ଦୁଃଖ ଦେଇଥାନ୍ତି। ପ୍ରକାରାନ୍ତରେ ଆଜିର ଭୌତିକତାବାଦୀ ମଣିଷ ନିଜ ଅଜାଣତରେ ପ୍ରତ୍ୟହ ଏହି ଦେବୀଙ୍କର ଆରାଧନା ହିଁ କରୁଛନ୍ତି।