ହାଇଦ୍ରାବାଦ ବିମାନବନ୍ଦର: ୭୭ ଯାତ୍ରୀ ଥିବା ଇଣ୍ଡିଗୋ ବିମାନର ଚକା ଫାଟିଲା

ହାଇଦ୍ରାବାଦ: ବୁଧବାର ରାତିରେ ତିରୁପତିରୁ ଆସି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିବା ସମୟରେ ଏକ ଇଣ୍ଡିଗୋ ବିମାନର ଚକା ଫାଟି ଯାଇଛି। ଦୁର୍ଘଟଣା ସମୟରେ ବିମାନରେ ଥିଲେ ଜଣେ କୋଳଛୁଆ, ଚାରି ଜଣ ବିମାନ ପରିଚାରକ ଏବଂ ୭୨ ଜଣ। ସେମାନେ ସମସ୍ତେ ନିରାପଦ ଅଛନ୍ତି।

ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି: ୭୨ ଜଣ ଯାତ୍ରୀଙ୍କ ସହ ଜଣେ କୋଳଛୁଆ ଏବଂ ୪ ଜଣ ପରିଚାରକ ନିରପଦ ଅଛନ୍ତି। ୬ଇ୭୧୧୭ ବିମାନର ସମସ୍ତ ଯାତ୍ରୀଙ୍କୁ ଲଗେଜ୍‌ ସହ ବିମାନରୁ ଅବତରଣ କରାଇ ଆରାଇଭାଲ୍‌ ହଲ୍‌କୁ ପଠାଇ ଦିଆ ଯାଇଛି। ତା’ଛଡ଼ା ଏଟିଆର୍‌ ୭୨କୁ ପାର୍କିଙ୍ଗ୍‌ ବେ’କୁ ନିଆଯାଇଛି।

ଟାୟାର୍‌ ଫାଟି ଯିବା ଯୋଗୁଁ, ବିମାନ ବନ୍ଦରରେ ଥିବା କର୍ମଚାରୀମାନେ ନିଅାଁଝୁଲ ଦେଖିଥିଲେ। ନିଅାଁଲିଭାଳି ଦଳ କୌଣସି ଆସନ୍ନ ବିପତ୍ତି ରୋକିବାକୁ ବିମାନ ନିକଟକୁ ଧାଇଁ ଯାଇଥିଲେ।

ବିମାନ ଅବତରଣ କରୁଥିବା ବେଳେ ଘଟଣାଟି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଘଟିଥିଲା। ଯାତ୍ରୀମାନେ ଖୁବ୍‌ ଭୟଭୀତ ହୋଇ ଯାଇଥିଲେ।

ଓ୍ଵାଇଏସ୍‌ଆର୍‌ କଂଗ୍ରେସ୍‌ ପାର୍ଟିର ବିଧାୟିକା ରୋଜା ଥିଲେ ସେ ବିମାନର ୭୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ପୂର୍ବତନ ଅଭିନେତ୍ରୀ ରୋଜା ସେ ବିମାନରୁ ଉତ୍ତୋଳନ କରିଥିବା କିଛି ଦୃଶ୍ୟାବଳୀ କେତେକ ଟେଲିଭିଜନ୍‌ ଚାନେଲ୍‌କୁ ଦେଇଥିଲେ। ବିମାନ ଦ୍ୱାର ଖୋଲିବାରେ ବିଳମ୍ବ ଯୋଗୁଁ କେତେକ ଯାତ୍ରୀ ପରିଚାରକମାନଙ୍କ ସହ ପାଟିତୁଣ୍ଡ କରୁଥିବାର ସେଥିରେ ଦେଖା ଯାଉଛି।

ବିଶେଷ ସାଙ୍ଘାତିକ ପରିସ୍ଥିତି ଉପୁଜି ନାହିଁ ବୋଲି ଘୋଷଣା କରି ବିମାନ ଚାଳକ ଯାତ୍ରୀମାନଙ୍କୁ ଚୁପ୍‌ ଚାପ ଆସନରେ ବସିବାକୁ କହିଥିଲେ।

ସମ୍ବନ୍ଧିତ ଖବର