ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ଏବେ ଚିନ୍ତା ଘାରିଛି। ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ଏହି ସେତୁ ନିର୍ମାଣ ଚାଲିଛି। ଏହି ସେତୁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ନଷ୍ଟ କରିବା ସହ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଯୋଜନା କରୁଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଦୀର୍ଘ ୪୫ ବର୍ଷର ସ୍ୱପ୍ନ ଅଳ୍ପଦିନରେ ପୂରଣ ହେବାକୁ ଯାଉଥିବା ବେଳେ ଏହାକୁ ନଷ୍ଟ କରିବାକୁ ମାଓବାଦୀମାନେ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଏହାର ସୁରକ୍ଷା ନେଇ ଚିନ୍ତା ବଢ଼ି ଯାଇଛି। ଏହାକୁ ମାଓ କବଳରୁ ସୁରକ୍ଷିତ ରଖିବା ପାଇଁ ମାଲକାନଗିରି ପୋଲିସ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି।
ଏହି ସେତୁକୁ ମାଓବାଦୀମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହ ସମଗ୍ର ଗୁରୁପ୍ରିୟା ସେତୁକୁ ସମ୍ପୂର୍ଣ ଆଲୋକିତ କରିବା ସହ ସିସି.ଟି.ଭି ବଳୟରେ ରଖିବାକୁ ନିଷ୍ପତି ନିଆଯାଇଛି। ଗୁରୁପ୍ରିୟା ସେତୁ ଉପର, ତଳ ସବୁଠି ସି.ସି.ଟିଭି କ୍ୟାମେରା ଲଗାଇବା ସହ ଏହାର ୱେବ କଷ୍ଟିଙ୍ଗ କରିବ ପୁଲିସ। ଏଥିପାଇଁ ୬ଟି ହାଇ ରିଜୋଲୁସନ୍ ନାଇଟ ଭିଜନ କ୍ୟାମେରା ବ୍ୟବହାର ହେବ। ଗୁରୁପ୍ରିୟା ସେତୁ ଉପରେ ଓ ଆଖପାଖ ଅଂଚଳରେ ହେଉ ଥିବା ସନ୍ଦିଗ୍ଧ ଗତିବିଧି ଉପରେ ମାଲକାନଗିରିରୁ ସମୀକ୍ଷା କରିବେ ପୋଲିସ ଓ ବି.ଏସ.ଏଫର ବରିଷ୍ଠ ଅଧିକାରୀ। ରାତିରେ ମଧ୍ୟ ଗୁରୁପ୍ରିୟା ସେତୁର ଚିତ୍ର ଉତ୍ତୋଳନରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ସେତୁକୁ ସମ୍ପୁର୍ଣ ଆଲୋକିତ କରିବାକୁ ପୂର୍ତ୍ତବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମାଓବାଦୀମାନେ ଗୁରୁପ୍ରିୟା ସେତୁ ନିର୍ମାଣ କାମକୁ ବିରୋଧ କରି ଆକ୍ରମଣ କରିବାରୁ ଅନେକ କମ୍ପାନୀ କାମ ଅଧାରେ ଛାଡି ଚାଲି ଯାଇଥିଲେ। ତେବେ କୋଲକାତାର ରୟାଲ ଇନଫ୍ରା କମ୍ପାନୀ ଏହି କାମକୁ ଶେଷ ପର୍ଯ୍ୟାୟକୁ ନେଇଛି। ହେଲେ ଏବେ ଗୁରୁପ୍ରିୟା ନିକଟରେ ମାଓବାଦୀଙ୍କ ଚଳପ୍ରଚଳ ବଢିଥିବାରୁ ସେତୁକୁ ସୁରକ୍ଷା ଯୋଗାଇବା ଏବେ ମାଲକାନଗିରି ପୁଲିସ ପାଇଁ ବଡ ଚ୍ୟାଲେଜ। ସେତୁର ସୁରକ୍ଷା ପାଇଁ ବି.ଏସ.ଏଫ ଯବାନ ଆଲର୍ଟ ଥିବା ବେଳେ ରୁଟିନ କୁମ୍ବିଂ ଅପରେସନ ବଦଳରେ ଗୁରୁପ୍ରିୟା ନିର୍ମାଣ ସ୍ଥଳକୁ ୨୪ ଘଣ୍ଟା ଜଗି ରହୁଛନ୍ତି ଯବାନ।