ପୁଣି ହାଇଦ୍ରାବାଦ ଅଳ୍ପ ରନ୍‌ କରି ଜିତିଲା

ଜୟପୁର : ହାଇଦ୍ରାବାଦର ବୋଲିଂ ବାହିନୀକୁ ଭେଦିବାକୁ ବିଗତ ୩ ମ୍ୟାଚ୍‌ରେ କେହି ସକ୍ଷମ ହୋଇପାରି ନାହାନ୍ତି। ୧୧୮, ୧୩୨କୁ ବଞ୍ଚାଇ ଜିତି ସାରିଥିବା ସନ୍‌ରାଇଜର୍ସ ରବିବାର ୧୫୧ ରନ୍‌ କରିଥିଲା। ତା’ ପୁଣି ହାଇଦ୍ରାବାଦ ନୁହେଁ ଜୟପୁରରେ ଖେଳାଯାଇଥିଲେ ମଧ୍ୟ ଅତିଥି ଦଳ ଜିତିଗଲା। ପଶ୍ଚାତଧାବନ କରିଥିବା ଘରୋଇ ଅଜିଙ୍କ୍ୟ ରାହାଣେଙ୍କ ଦଳ ୧୧ ରନ୍‌ ପଛରେ ରହିଗଲା। ପାଳି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ମଧ୍ୟ ଅଧିନାୟକ ଅଜିଙ୍କ୍ୟ ରାହାଣେ (୬୫*, ୫୩ ବଲ୍‌, ୫ ଚୌକା, ୧ ଛକା) ଦଳକୁ ବିଜୟୀ କରାଇପାରିନଥିଲେ। ଏଥି ସହିତ ହାଇଦ୍ରାବାଦ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହିତ ଆଗୁଆ ପ୍ଲେ ଅଫ୍‌ ଯୋଗ୍ୟତା ହାସଲର ସଙ୍କେତ ଦେଇଛି। ପୂର୍ବ ବିଜେତା ରାଜସ୍ଥାନ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ଅସ୍ଥିର ପ୍ରଦର୍ଶନର କାରଣ ଖୋଜୁଛି।

ଜୟପୁରର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା। ଶିଖର ଧାଓ୍ଵନ (୬)ଙ୍କ ବ୍ୟାଟ୍‌ ଲଗାତାର ମ୍ୟାଚ୍‌ରେ ଚାଲିନଥିଲା। କିନ୍ତୁ ଇଂଲିସ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଆଲେକ୍ସ ହେଲ୍‌ଙ୍କୁ ସାଥୀ କରି ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ବିଶେଷ କିଛି ଚାଲ୍‌ବାଜି ନ କରି ବଲ୍‌ ପିଛା ରନ୍‌ କରୁଥିଲେ। ପାଓ୍ଵାର ପ୍ଲେ ୬ ଓଭରରେ ୩୯ ରନ୍‌ ଏବଂ ୧୦ ଓଭର ସୁଦ୍ଧା ୭୦ ରନ୍‌ କରିଥିଲା ହାଇଦ୍ରାବାଦ। ଏହା ପରେ କିନ୍ତୁ ଓ୍ଵିଲିୟମସନ୍‌ ଆକ୍ରାମକ ରୂପ ନେଇଥିଲେ। ଦ୍ୱାଦଶ ଓଭରରେ ଜୟଦେବ ଉନାଦକତ୍‌ଙ୍କୁ (୪, ୬, ୪, ୨, ୪, ୧) ନିର୍ଘାତ ପ୍ରହାର କରି ୨୧ ରନ୍‌ ଆଦାୟ କରିଥିଲେ। ଏଥି ସହ ଚଳିତ ଋତୁରେ ନିଜର ଚତୁର୍ଥ ଅର୍ଧଶତକ ହାସଲ କରି ନେଇଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ଆଲେକ୍ସ ହେଲ୍‌ସ (୪୫, ୩୯ ବଲ୍‌, ୪ ଚୌକା) କିନ୍ତୁ ଦଳକୁ ରନ୍‌ ଗତି ବଢ଼ାଇବା ବେଳକୁ ଆଉଟ୍‌ ହୋଇଯାଇଥିଲେ। କ୍ରିଷ୍ଣାପ୍ପା ଗୌତମ ତାଙ୍କୁ ଆଉଟ୍‌ କରି ୯୨ ରନ୍‌ର ଭାଗୀଦାରିକୁ ଭାଙ୍ଗିଥିଲେ। ମନୀଷ ପାଣ୍ଡେ (୧୬, ୧୫ ବଲ୍‌), ସକିବ୍‌ ଅଲ୍‌ ହାସନ୍‌ (୬, ୬ ବଲ୍‌), ୟୁସୁଫ୍‌ ପଠାନ୍‌ (୨), ରସିଦ୍‌ ଖାନ୍‌ (୧) ଶେଷ ୩ ଓଭର ଭିତରେ ଆଉଟ୍‌ ହେବାରୁ ଦଳ ଆଶାଜନକ ଭାବେ ୧୬୦ ଟପି ପାରିନଥିଲା। ଚଳିତ ଋତୁର ଦ୍ୱିତୀୟ ଦ୍ରୁତଗାମୀ ବୋଲର ୨୪ ବର୍ଷୀୟ ବାର୍ବାଡସ୍‌ ଖେଳାଳି ଜୋଫ୍ରା ଆର୍ଚର ଲଗାତାର ମ୍ୟାଚରେ ୩ ଓ୍ଵିକେଟ୍‌ ନେଇଥିଲେ। ୪ ଓଭରରେ ମାତ୍ର ଦେଇଥିଲେ ୨୩ ରନ୍‌।

ଘରୋଇ ପରିବେଶ ଓ ପ୍ରଶଂସକଙ୍କ ସମ୍ମୁଖରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍‌ସ ଅତିକ୍ରମ କରିଯିବ ବୋଲି ଆଶା କରାଯାଉଥିଲା। ରାହୁଲ ତ୍ରିପାଠୀ (୪) ସହଳ ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ହାଇଦ୍ରାବାଦ ପାଳି ଭଳି ଦ୍ୱିତୀୟ ଓ୍ଵିକେଟ୍‌ରେ ମଧ୍ୟ ରାଜସ୍ଥାନକୁ ଭଲ ଭାଗୀଦାରି ମିଳିଥିଲା। ଅଜିଙ୍କ୍ୟ ରାହାଣେଙ୍କ ସହିତ ମିଶି ସଞ୍ଜୁ ସାମ୍‌ସନ୍‌ (୪୦, ୩୦ ବଲ୍‌, ୩ ଚୌକା, ୧ ଛକା) ସୁଯୋଗ କାଏମ ରଖିଥିଲେ। ନବମ ଓଭର ପରେ ହଠାତ୍‌ ରାଜସ୍ଥାନ ସାମସନ୍‌ଙ୍କ ସହିତ ବେନ୍‌ ଷ୍ଟୋକ୍‌ସ (୦) ଏବଂ ଜୋସ୍‌ ବଟ୍ଟଲର୍‌ (୧୦)ଙ୍କୁ ହରାଇବା ରାଜସ୍ଥାନକୁ ରୋକିଥିଲା। ଶେଷ ୪/୫ ଓଭର ବେଳକୁ ଓଭର ପିଛା ୧୦ ରନ୍‌ ହାରକୁ ମଧ୍ୟ ହାସଲ କରିନପାରି ବିଜୟ ସୁଯୋଗ ହାତଛଡ଼ା କରିଥିଲା। ଶେଷ ଓଭରକୁ ୨୧ ରନ୍‌ ଆବଶ୍ୟକ ଥିଲେ ମଧ୍ୟ ବସିଲ୍‌ ଥମ୍ପି ଏହା କରାଇ ଦେଇନଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ସପ୍ତାକ ମଧ୍ୟରେ ହାଇଦ୍ରାବାଦ ବଡ଼ ରନ୍‌ ନ କରି ଲଗାତାର ୩ ମ୍ୟାଚ୍‌ ଜିତିଗଲା। ମୁମ୍ବାଇରେ ୨୪ ତାରିଖ ଦିନ ୧୧୮ ରନ୍‌ କରିଥିଲେ ମଧ୍ୟ ୩୧ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ଏବଂ ହାଇଦ୍ରାବାଦରେ ୨୬ ତାରିଖରେ ୧୩୨ ରନ୍‌ କରିଥିଲେ ମଧ୍ୟ ୧୩ ରନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଥିଲା।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ: ୨୦ ଓଭରରେ ୧୫୧/୭ (କେନ୍‌ ଓ୍ଵିଲିୟମ୍‌ସନ୍‌-୬୩, ଆଲେକ୍ସ ହେଲ୍‌ସ-୪୫, ଜୋଫ୍ରା ଆର୍ଚର-୩/୩/୨୬, କି୍ରଷ୍ଣପ୍ପା ଗୌତମ-୨/୧୮, ଈଶ ସୋଢ଼ୀ-୧/୨୫, ଜୟଦେବ ଉନାଦକତ୍‌-୧/୩୩)। ରାଜସ୍ଥାନ ରୟାଲ୍‌ସ: ୨୦ ଓଭରରେ ୧୪୦/୬ (ଅଜିଙ୍କ୍ୟ ରାହାଣେ-୬୫*, ସଂଜୁ ସାମସନ୍‌-୪୦, ସିଦ୍ଧାର୍ଥ କୌଲ୍‌-୨/୨୩, ୟୁସୁଫ୍‌ ପଠାନ୍‌-୧/୧୪, ସନ୍ଦୀପ ଶର୍ମା-୧/୧୫, ବସିଲ୍‌ ଥମ୍ପି-୧/୨୬, ରସିଦ୍‌ ଖାନ୍‌-୧/୩୧)।

ସମ୍ବନ୍ଧିତ ଖବର