କୋଲ୍‌କାତାର ଷଷ୍ଠ ବିଜୟ: ଦିଲ୍ଲୀର ଷଷ୍ଠ ପରାଜୟ, ବରୁଣ ଶ୍ରେଷ୍ଠ ଖେଳାଳି

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ ସୋମବାର କୋଲ୍‌କାତା ନାଇଟ୍ ରାଇଡର୍ସ ଏକତରଫା ଭାବେ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ବୋଲରଙ୍କ ସହାୟତାରେ ଘରୋଇ ଦଳ ଦିଲ୍ଲୀ ବ୍ୟାଟିଂକୁ ବିଧ୍ବସ୍ତ କରି ୧୫୩ ରନ୍‌ରେ ରୋକି ଦେଇଥିଲା। ଏହା ପରେ କେକେଆର୍‌ ୨୧ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଫିଲ୍ ସଲ୍ଟଙ୍କ ୨୬ ବଲ୍ ଅର୍ଦ୍ଧଶତକ (୩୩ ବଲ୍‌ରୁ ୬୮ ରନ୍‌, ୭ ଚୌକା, ୫ ଛକା) ବଳରେ ଦଳ ସହଜ ବିଜୟ ହାସଲ କରିନେଇଥିଲା। ଅଧିନାୟକ ଶ୍ରେୟସ ଆୟର୍ (୨୩ ବଲ୍‌ରୁ ୩୩* ରନ୍, ୩ ଚୌକା, ୧ ଛକା) ଏବଂ ଭେଙ୍କଟେଶ ଆୟର୍ (୨୩ ବଲ୍‌ରୁ ୨୬* ରନ୍, ୨ ଚୌକା, ୧ ଛକା) ମ୍ୟାଚ୍‌ ଶେଷ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅକ୍ଷର ପଟେଲ୍ କେକେଆର୍ ଓପନିଂ ଯୋଡ଼ି ଫିଲ୍ ସଲ୍ଟ ଓ ସୁନୀଲ ନାରାୟଣଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ମଧ୍ୟ ଏହା ‌େଢର ବିଳମ୍ବ ହୋଇଯାଇଥିଲା। ଏଥିସହିତ କେକେଆର୍‌ ନବମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରି ଖସି ଖସି ଯାଉଛି। ମିତବ୍ୟୟୀ ବୋଲିଂ କରିଥିବାରୁ ବରୁଣ ଚକ୍ରବର୍ତ୍ତୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ସୋମବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଯୋଜନା ଅନୁସାରେ ଖେଳିପାରି ନଥିଲା। ଗତ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ମ୍ୟାକ୍‌ଗର୍କ, ପୃଥ୍ବୀ ସ’ଙ୍କ ପ୍ରାରମ୍ଭିକ ଯୋଡ଼ି ବିଫଳ ହୋଇଥିବା ବେଳେ ଅଭିଷେକ ପୋରେଲ୍‌, ସାଇ ହୋପ୍‌ ମଧ୍ୟ ଦଳକୁ ବିପର୍ଯ୍ୟୟ ମୁହଁକୁ ଠେଲି‌ ଦେଇଥିଲେ। ପାୱାର ପ୍ଲେ ସୁଦ୍ଧା ଦଳ ୬୭ ରନ୍ ସଂଗ୍ରହ‌ କରିଥିଲେ ମଧ୍ୟ ୩ ୱିକେଟ୍ ହରାଇ ଦେଇଥିଲା। ଅଧିନାୟକ ଋଷଭ ପନ୍ତ (୨୦ ବଲ୍‌ରୁ ୨୭ ରନ୍) ଓ ଅଲରାଉଣ୍ଡର୍ ଅକ୍ଷର ପଟେଲ୍ (୨୧ ବଲ୍‌ରୁ ୧୫ ରନ୍) ସଂଘର୍ଷ କରିଥିଲେ। ମିଚେଲ ଷ୍ଟାର୍କ, ବୈଭବ ଅରୋଡ଼ା ଶୀର୍ଷକ୍ରମ ବ୍ୟାଟିଂ ବିଗାଡ଼ିଥିବା ବେଳେ ମଧ୍ୟକ୍ରମକୁ ଦୁଇ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣ ରୋକିଥିଲେ। ପନ୍ତ, ଷ୍ଟବ୍ସ, କୁମାର କୁଶାଗ୍ରଙ୍କ ୱିକେଟ୍ ସହ ବରୁଣ ପ୍ରଶଂସନୀୟ ବୋଲିଂ ଚିତ୍ର (୪-୦-୧୬-୩) ପାଇଥିଲେ। ହର୍ଷିତ ରାଣା ମଧ୍ୟ ପ୍ରଭାବୀ ବୋଲିଂ କରି ୨ ୱିକେଟ୍ ବାହାର କରିନେଇଥିଲେ। ଦିଲ୍ଲୀ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୧୧/୮ରେ ସଂଘର୍ଷ କରିଥିଲା। ଏହି ସମୟ‌ରେ କୁଲଦୀପ ୟାଦବ (୨୬ ବଲ୍‌ରୁ ୩୫* ରନ୍, ୫ ଚୌକା, ୧ ଛକା) ଦଳକୁ ସମ୍ମାନଜନକ ସ୍କୋର୍‌ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ କ୍ୟାପିଟାଲ୍ସ: ୨୦ ଓଭରରେ ୧୫୩/୯ (କୁଲଦୀପ ୟାଦବ-୩୫*, ଋଷଭ ପନ୍ତ-୨୭, ଅଭିଷେକ ପୋରେଲ୍‌-୧୮, ବରୁଣ ଚକ୍ରବର୍ତ୍ତୀ-୩/୧୬, ହର୍ଷିତ ରାଣା-୨/୨୭, ବୈଭବ ଅରୋଡ଼ା-୨/୨୯, ସୁନୀଲ ନାରାୟଣ-୧/୨୪, ମିଚେଲ ଷ୍ଟାର୍କ-୧/୪୩)। କୋଲକାତା ନାଇଟ୍ ରାଇଡର୍ସ: ୧୬.୩ ଓଭରରେ ୧୫୭/୩ (ଫିଲ୍ ସଲ୍ଟ-୬୮, ଶ୍ରେୟସ ଆୟର-୩୩*, ଭେଙ୍କ‌ଟେଶ ଆୟର-୨୬*, ଅକ୍ଷର ପଟେଲ୍-୨/୨୫, ଲିଜାଡ ୱିଲିୟମ୍ସ-୧/୩୮)।

ସମ୍ବନ୍ଧିତ ଖବର