ଖଣ୍ଡଗିରି : ଭୋଜିସ୍ଥଳରୁ ଅଇଁଠା ଖଲି ଅନ୍ୟଜଣଙ୍କ ବାଡ଼ିକୁ ଉଡ଼ିଯିବା ଭଳି ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ତମାଣ୍ଡୋ ଥାନା ଅନ୍ତର୍ଗତ ସାହାଣି କାଶୀପୁର ଗାଁରେ ଘଟିଛି ତୁମୁଳ କାଣ୍ଡ। ଦୁଇ ପକ୍ଷ ମଧ୍ୟରେ ଠେଙ୍ଗାବାଡ଼ିରେ ପିଟାପିଟି ହେବାରୁ ତ୍ରିନାଥ ବାରିକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଏହି ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ଅଳ୍ପବହୁତେ ଆହତ ହୋଇଛନ୍ତି। ତ୍ରିନାଥ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଏହି ମାମଲାରେ ସୁଦର୍ଶନ ଜେନା ଓରଫ୍ ବାଘ (୫୫) ଓ ତାଙ୍କ ପୁତୁରା ଅତୁଲ୍ୟ ଜେନା (୩୦)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଛି ଓ ଅନ୍ୟ ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ଗତକାଲି ଦିପହରେ ଗାଁର କିଛି ଯୁବକ ମେଳଣ ପଡ଼ିଆ ନିକଟସ୍ଥ ଠାକୁରାଣୀ ମନ୍ଦିରରେ ଭୋଜି କରୁଥିଲେ। ସେମାନେ ଭୋଜି ଖାଇବା ପରେ ଏକ ଅଇଁଠା ଖଲି ଜେନାଘର ବାଡ଼ିକୁ ଉଡ଼ି ଯାଇଥିଲା। କିନ୍ତୁ ଜେନା ପରିବାର ଲୋକଙ୍କ କହିବା କଥା ଯୁବକମାନେ ଜାଣିଶୁଣି ତାଙ୍କ ବାଡ଼ିକୁ ଅଇଁଠା ଖଲି ପକାଇଥିଲେ। ଏହି କଥାରୁ ଦୁଇପକ୍ଷଙ୍କ ଭିତରେ କଥା କଟାକଟି ଓ ପରେ ହାତାହାତି ଯାଏଁ କଥା ଯାଇଥିଲା। ବାଘ ଜେନା ଓ ସମ୍ପର୍କୀୟମାନେ ତ୍ରିନାଥଙ୍କୁ ଠେଙ୍ଗାରେ ପିଟି ଗୁରୁତର କରିଥିଲେ। ସଙ୍ଗେସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଖବର ପାଇଁ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗଣ୍ଡଗୋଳକାରୀମାନେ ଫେରାର୍ ହୋଇ ଯାଇଥିଲେ। ତେବେ ତମାଣ୍ଡୋ ଥାନା ପୁଲିସ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରି ସନ୍ଧ୍ୟା ସୁଦ୍ଧା ଦାଦା ପୁତୁରା ବାଘ ଓ ଅତୁଲ୍ୟଙ୍କୁ ଗିରଫ କରିଥିଲା। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜେନା ପରିବାର ବିରୋଧରେ ୨ଟି ଅଭିଯୋଗ ହୋଇଥିବା ବେଳେ ଜେନା ପରିବାର ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି।