ମହଙ୍ଗା ହେବ ବ୍ୟାଙ୍କ ଋଣ ସୁଧହାର, କାହିଁକି ଜାଣନ୍ତୁ

ମୁମ୍ବାଇ :  ବ୍ୟାଙ୍କମାନେ ଗୃହ, ଯାନବାହାନ ଆଦି ଋଣ ର ସୁଧହାର ବୃଦ୍ଧି କରିବାର ସମ୍ଭାବନା ରହିଛି ।  ପୂର୍ବରୁ ଗୃହଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି ବା ଇଏମଆଇ ମହଙ୍ଗା ହେବାର ଆଶଙ୍କା ରହିଛି । ଏହାର କାରଣ ହେଉଛି ରିଜର୍ଭ ବ୍ୟାଙ୍କ ଆଜି ଦୀର୍ଘ ୪ ବର୍ଷ ପରେ ସୁଧହାର ବଢାଇଦେଇଛି । ରେପୋ ହାର ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇ ୬.୨୫% କରାଯାଇଛି । ରିଭର୍ସ ରେପୋ ହାର ମଧ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି କରି ୬ ପ୍ରତିଶତ କରାଯାଇଛି । ଗତ ତିନିଦିନ ଧରି ଚାଲିଥିବା ରିଜର୍ଭ ବ୍ୟାଙ୍କ ମନିଟାରୀ କମିଟିର ବୈଠକ ଶେଷରେ ଏହି ଘୋଷଣା କରାଯାଇଛି ।  ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ରିଭର୍ସ ରେପୋହାର ଅର୍ଥାତ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ଋଣ ନିଏ ତାହା ୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ  ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ମୁଦ୍ରାସ୍ପୀତି ପୁର୍ବାନୁମାନ ୪.୮-୪.୯ ପ୍ରତିଶତ କରିଛି । ବଢିଚାଲିଥିବା ତେଲଦର ଓ ଫସଲର ବର୍ଦ୍ଧିତ ଏମଏସପି ପରିପ୍ରେକ୍ଷୀରେ ମୁଦ୍ରାସ୍ପୀତି ଲକ୍ଷ୍ୟକୁ ବଢାଇଦିଆଯାଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ କହିଛନ୍ତି । ସେ କହିଛନ୍ତି ଯେ ଆଗାମୀ ମାସ ଗୁଡ଼ିକରେ ମୁଦ୍ରାସ୍ପୀତି ହାର ଆହୁରି ବଢିବାର ସମ୍ଭାବନା ରହିଛି, ଏଣୁ ଏ ନେଇ ସତର୍କତା ଅବଲମ୍ବନ କରାଯିବା ଜରୁରୀ । ଆହୁରି ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୭.୪ ପ୍ରତିଶତ ରହିବା ଅଟକଳ କରିଛି ରିଜର୍ଭ ବ୍ୟାଙ୍କ ।

ସମ୍ବନ୍ଧିତ ଖବର