ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଓରୁଆଳି ମୌଜାରେ ଜବରଦଖଲରେ ମାଛ ପୋଖରୀ ଖୋଳିଥିବା ଆନ୍ଧ୍ର ବ୍ୟବସାୟୀଙ୍କୁ ଶକ୍ତ ଝଟ୍କା ଲାଗିଛି। ପୂର୍ବ ପ୍ରସ୍ତୁତି ମୁତାବକ, ଆଜି ଗୋପ ପ୍ରଶାସନ ବେଆଇନ ପୋଖରୀରୁ ପ୍ରାୟ ୭ ଲକ୍ଷ ଟଙ୍କାର ମାଛ ଧରିଛି। ଏହି ମାଛରୁ ପ୍ରାପ୍ତ ଅର୍ଥ ସରକାରାଙ୍କ ରାଜକୋଷକୁ ଯାଇଛି। ତେବେ ଗୋପ ତହସିଲଦାର ଦୁର୍ଗାଚରରଣ ମୁର୍ମୁଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି। ମାତ୍ର ଆଜି ତହସିଲଦାର ବିନା ସୁରକ୍ଷାରେ ଏଭଳି ଏକ ଦୁଃସାହସିକ କାର୍ଯ୍ୟ କରିଛନ୍ତି। ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆ ଯାଇନଥିଲା। ତହସିଲଦାର ନିଜ ଜୀବନକୁ ବାଜି ଲଗାଇ ଠିଆ ହୋଇ ମାଛ ଧରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଜଗନ୍ନାଥଙ୍କ ଜମିରେ ମାଛ ପୋଖରୀ କରି ଆନ୍ଧ୍ରର ବ୍ୟବସାୟୀମାନେ କୋଟି କୋଟି ଟଙ୍କାର ମାଛ ବ୍ୟବସାୟ କରୁଥିଲେ। ଏ ନେଇ ଗ୍ରାମବାସୀଙ୍କ ତରଫରୁ ବିରୋଧ ହେବା ପରେ ତହସିଲଦାର ଶ୍ରୀ ମୁର୍ମୁ ଏଠାରୁ ଜବରଦଖଲ ଉଚ୍ଛେଦ କରି ହୁଡା ଭାଂଗିଥିଲେ। ପୂର୍ବ ନିଷ୍ପତ୍ତି ମୁତାବକ ଆଜି ମାଛ ଧରାଯାଇଥିଲା। ଆସନ୍ତାକାଲି ପୁଣି ମାଛ ଧରା ହେବ ବୋଲି ଜଣାପଡିଛି। ସାଂଗେଣା, ଅମୁରୀ ଗାଡିଆରୁ ମାଛ ଧରା ହେବାର ଯୋଜନା ରହିଛି। ଅନ୍ୟପକ୍ଷରେ ଆନ୍ଧ୍ର ବ୍ୟବସାୟୀଙ୍କୁ ସବ୍ସିଡି ମିଳୁଥିବା ଅଭିଯୋଗ ହେବା ପରେ ଏ ନେଇ ତନାଘନା ଆରମ୍ଭ ହୋଇଛି।