ଭୁବନେଶ୍ୱର : ଗୌହାଟୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଅକାଦେମିର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୧୮ ବର୍ଷ ପାଇଁ ଯୁବ ପୁରସ୍କାର ଓ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇଁ କବି ଜୟଦ୍ରଥ ସୁନା ଏବଂ ବାଲ୍ ପୁରସ୍କାର ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି। ଏଥର ସଂସ୍କୃତ ଭାଷାରେ ମଧ୍ୟ ଓଡ଼ିଶାର ଲେଖକ ସମ୍ପଦାନନ୍ଦ ମିଶ୍ର ବାଲ୍ ପୁରସ୍କାର ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥର ଯୁବ ପୁରସ୍କାର ତାଲିକାରେ ଅଛି ୧୦ଟି କବିତା ସଂକଳନ, ୭ଟି ଗପ ବହି, ୩ଟି ଉପନ୍ୟାସ ଓ ଗୋଟିଏ ନାଟକ। ଇଂରାଜି ଏବଂ ଡୋଗ୍ରି ଭାଷାରେ ପୁରସ୍କାର ଉପଯୋଗୀ ପୁସ୍ତକ ନ ଥିବାବେଳେ ବୋଡୋ ଭାଷାର ପୁରସ୍କାର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ। ଓଡ଼ିଆ କବିତା ସଂକଳନ ‘ଶୋଷ’ ପାଇଁ ଜୟଦ୍ରଥ ସୁନା ଯୁବ ପୁରସ୍କାର ପାଇବେ। ଏଥିପାଇଁ ତାଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାମ୍ର ଫଳକ ସହିତ ପଚାଶ ହଜାର ଟଙ୍କା ପୁରସ୍କାର ରୂପେ ପ୍ରଦାନ କରାଯିବ। ୧୯୮୪ରେ କଳାହାଣ୍ଡି ଜିଲ୍ଲାର ବାଂଜିପଦର ଗାଁରେ ଜନ୍ମିତ ଶ୍ରୀ ସୁନା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଦାରିଦ୍ର୍ୟକୁ ମୁଁ ଅତି ନିକଟରୁ ଅନୁଭବ କରିଛି। ନିଜ ଅଞ୍ଚଳର ଦୁଃଖ ଓ ଅନ୍ୟାୟକୁ ମଧ୍ୟ ଭୋଗୁଛି। ସେସବୁକୁ ନେଇ କବିତା ଲେଖିବାର ପ୍ରୟାସ କରେ। ଏ ପୁରସ୍କାର ମୋ ପାଇଁ ବଡ଼ ଉତ୍ସାହ ଓ ପ୍ରେରଣା।’ ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇଁ ବିଚାରକ ଥିଲେ ମୋନାଲିସା ଜେନା, ପରେଶ କୁମାର ପଟ୍ଟନାୟକ ଏବଂ ଶକୁନ୍ତଳା ବଳିଆର ସିଂହ।
ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇଁ ମୋଟ ୨୪ଟିରୁ ୨୩ଟି ଭାଷାର ସାହିତ୍ୟିକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ କବିତା ସଙ୍କଳନ ‘ରୁମ୍କୁଝୁମା’ ପାଇଁ ୧୯୬୨ରେ ପୁରୀ ଜିଲ୍ଲାରେ ଜନ୍ମିତ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତିଙ୍କୁ ଆସନ୍ତା ନଭେମ୍ବର ୧୪ ତାରିଖରେ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ଏକ ତାମ୍ର ଫଳକ ସହିତ ପଚାଶ ହଜାର ଟଙ୍କା ମିଳିବ। ଏଥର ଓଡ଼ିଆ ଭାଷାରେ ପ୍ରଥମ ଥର ପାଇଁ ସାମଗ୍ରିକ କୃତିତ୍ୱ ବଦଳରେ ଗୋଟିଏ ପୁସ୍ତକକୁ ବିଚାର କରି ବାଲ୍ ପୁରସ୍କାର ଚୟନ କରାଯାଇଛି। ଓଡ଼ିଆ ଭାଷାରେ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ଏଥର ବିଚାରକ ଥିଲେ ପ୍ରଭାତ ମହାପାତ୍ର, ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ଏବଂ ସାତକଡ଼ି ହୋତା। ଏହା ପୂର୍ବରୁ ଶ୍ରୀ ମହାନ୍ତି ନିଜ ପୁସ୍ତକ ‘ଥୁକୁଲ ଥୁକୁଲ ଥା’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇସାରିଛନ୍ତି। ପୁରସ୍କାର ଘୋଷଣା ପରେ ତାଙ୍କ ପ୍ରତିକ୍ରିୟା ହେଉଛି, ‘ମୋ ବହିକୁ ଜାତୀୟ ସ୍ତରରେ ପୁରସ୍କାର ମିଳିଥିବାରୁ ମୁଁ ବହୁତ ଖୁସି। ଆମ ଭାଷା ସାହିତ୍ୟ ପାଇଁ ଏହାର ଗୁରୁତ୍ୱ ରହିଛି।’ ଚଳିତ ବର୍ଷ ପଣ୍ଡିଚେରୀରେ ରହୁଥିବା ଆଉ ଜଣେ ଓଡ଼ିଆ ସମ୍ପଦାନନ୍ଦ ମିଶ୍ର ସଂସ୍କୃତ ଭାଷାରେ ବାଲ୍ ସାହିତ୍ୟ ପୁରସ୍କାର ପାଇବେ। ପୁରସ୍କାର ପାଇଁ ମନୋନୀତ ତାଙ୍କ ପୁସ୍ତକ ହେଉଛି ‘ଶନୈଃ ଶନୈଃ’।
ସାହିତ୍ୟ ଅକାଦେମିର ଏହି ବୈଠକରେ ସଭାପତି ଚନ୍ଦ୍ରଶେଖର କମ୍ବର ପୌରୋହିତ୍ୟ କରିଥିଲେ। ଅକାଦେମିର ସଚିବ କେ. ଶ୍ରୀନିବାସରାଓ ପୁରସ୍କାର ସମ୍ପର୍କିତ ସୂଚନା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତିି।