କଟକ: ଚଳିତ ଜାତୀୟ ଉପ କନିଷ୍ଠ ବାଳିକା ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି। ଓଡ଼ିଶା ଖେଳିଥିବା ଦୁଇଟି ମ୍ୟାଚ୍ରେ ଅପରାଜୟ ରହି ଏହି ସଫଳତା ପାଇଛି। ଏହାବ୍ୟତୀତ ମଣିପୁର, ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ ମଧ୍ୟ ନିଜନିଜ ଗ୍ରୁପ୍ରେ ଶୀର୍ଷସ୍ଥାନ ଅଧିକାର କରି କ୍ୱାର୍ଟରଫାଇନାଲ୍ ଯୋଗ୍ୟତା ହାସଲ କରିଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍ଗୁଡ଼ିକ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଓଡ଼ିଶା ୬-୦ ଗୋଲରେ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡକୁ ହରାଇଥିଲା। ଓଡ଼ିଶା ଖେଳାଳିମାନେ ପ୍ରଥମାର୍ଧରେ ୪ ଓ ଦ୍ୱିତୀୟାର୍ଧରେ ୨ ଗୋଲ ଦେଇଥିଲେ। ମାଳତୀ ମୁଣ୍ଡା ୬ ମିନିଟ୍, ଜ୍ୟୋତି କୁମାରୀ ୧୭ ଓ ୧୮ ମିନିଟ୍, ମନୀଷା ନାଏକ ୨୨ ମିନିଟ୍ ଏବଂ ବର୍ଷା ମହାକୁଡ଼ ୫୬ ମିନିଟ୍ରେ ଗୋଲ ଦେଇ ଦଳକୁ ଜିତାଇଥିଲେ। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୋଆ ୫-୪ ଗୋଲରେ ଦିଲ୍ଲୀକୁ ହରାଇଛି। ଏହି ରୋମାଞ୍ଚକର ମ୍ୟାଚର ପ୍ରଥମାର୍ଧରେ ଗୋଆ ପକ୍ଷରୁ ୪ଟି ଗୋଲ ଦିଆଯାଇଥିଲା। ଡେଜି କ୍ରାଷ୍ଟୋ ୨ ମିନିଟ୍, କରିନ୍ ଏଷ୍ଟ୍ରୋସିଓ ୮ ଓ ୧୧ ମିନିଟ୍, ସୁଜାତା ସେଟ୍ଟୀ ୨୯ ମିନିଟ୍ରେ ଗୋଲ ଦେଇଥିଲେ। ତେବେ ୩୮ତମ ମିନିଟ୍ରେ ଅନ୍ୟା ଗୋୟଲ ଗୋଟିଏ ଗୋଲ ପରିଶୋଧ କରିବାକୁ ସଫଳ ହୋଇଥିଲେ। ଦ୍ୱିତୀୟାର୍ଧରେ ଅନ୍ୟା ଆକ୍ରମଣ ଜାରି ରଖି ଲଗାତାର ଆଉ ତିନି ଗୋଲ (୪୭, ୭୫ ଓ ୮୦ ମିନିଟ୍) ଦେଇ ମ୍ୟାଚକୁ ବରାବର ସ୍ଥିତିରେ ପହଞ୍ଚାଇଥିଲେ। ୯୦ ମିନିଟ୍ରେ ଗୋଆର ବଦଳ ଖେଳାଳି ଭାଲାଙ୍କି ଡି’ସୁଜା ବିଜୟୀ ଗୋଲ ଦେବାରେ ସଫଳ ହୋଇଥିଲେ। ଅନ୍ୟଏକ ମ୍ୟାଚରେ ମଣିପୁର ୬-୨ ଗୋଲରେ ତାମିଲନାଡକୁ ହରାଇଛି। ବିଜୟୀ ଦଳ ପାଇଁ ନାଓରେମ୍ ଦେବୀ ୪, ୫୩, ୫୫, ୭୨ ମିନିଟ୍, ହେମାମ୍ ଦେବୀ ୫୮ ମିନିଟ୍, ଲିଙ୍ଗନେଇଲାମ୍ କିପ୍ଜେମ୍ ୭୬ ମିନିଟ୍ରେ ଗୋଲ ଦେଇଥିଲାବେଳେ ତାମିଲନାଡ଼ୁର ମୋନିସା ଡି ୨୦ ମିନିଟ୍ ଓ ମାରିୟାମାଲ ବି ୬୪ ମିନିଟ୍ରେ ଦୁଇଟି ଗୋଲ ପରିଶୋଧ କରିଥିଲେ।