ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷା; ଭାସିଗଲେ ପିକ୍‌ନିକ୍‌ ଯାଇଥିବା ପର୍ଯଟକ: ୩୯ ଉଦ୍ଧାର, ୧ ମୃତ

ମୁମ୍ବାଇ: ବର୍ଷାରେ ବେହାଲ ମହାରାଷ୍ଟ୍ର ଓ ଗୁଜରାଟ୍‌। ମୁମ୍ବାଇଠାରୁ ୨୦ କିଲୋମିଟର ଦୂର ଭସାଇରେ ପିକନିକ୍‌ କରୁଥିବା ବେଳେ ଝରଣାରେ ହଠାତ ପାଣି ଚାଲିଆସିବାରୁ ଜଣେ ବ୍ୟକ୍ତି ଭାସିଯାଇଛନ୍ତି ଓ ୩୯ ଜଣଙ୍କୁ ଏନଡିଆରଏଫ୍‌ ତଥା ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି। ୫ ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଥିବା ବେଳେ ବାକି ୩୪ ଜଣଙ୍କୁ ଦଉଡ଼ି ସହାୟତାରେ ଉଦ୍ଧାର କରାଯାଇଛି। ସେପଟେ ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ସଙ୍ଗିନ ହେବାରେ ଲାଗିଛି ସ୍ଥିତି। ମୁମ୍ବାଇ, ନାଗପୁର, ଭିୱାଣ୍ଡି ପରି ସହରରେ ଜାରି ରହିଛି ବର୍ଷା। ବର୍ଷା ଯୋଗୁଁ ତଳିଆ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ସହର ରାଜରାସ୍ତା ଉପରେ ପାଣି ଚାଲିଛି। ସେହିପରି ବର୍ଷା କାରଣରୁ ଗୁଜରାଟ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁଜରାଟ୍‌ ଡାଙ୍ଗ୍‌ ଜିଲ୍ଲାରେ ବର୍ଷା ଯୋଗୁଁ ଅମ୍ବିକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶରେ ମଧ୍ୟ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ଆରମ୍ଭ ହୋଇଛି। ଲଘୁଚାପ ପ୍ରଭାବରେ ଆଜି ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗତକାଲି ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଛି। ଆଜି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସହ ଆଭ୍ୟନ୍ତରୀଣ ଓଡିଶା ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରେ ଭୀଷଣ ବର୍ଷାର ଚେତାବନୀ ଦିଆଯାଇଛି। ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ। ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର