ବେଜିଂ : ଚୀନ ଜନସଂଖ୍ୟା ଦିନକୁ ଦିନ କମି ଚାଲିଛନ୍ତି । ଏହା ସହିତ ଏହାର ଜନସଂଖ୍ୟାର ଏକ ବଡ଼ ଭାଗ ମଧ୍ୟ ବୟସ୍କ ହୋଇଗଲେଣି । ଏହାକୁ ନେଇ ଚୀନର କମ୍ୟୁନିଷ୍ଟ ସରକାର ଚିନ୍ତିତ ହୋଇପଡିଛନ୍ତି । ଫଳରେ ଦେଶର କୁଖ୍ୟାତ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ହଟାଇବାକୁ ସରକାର ବିଚାର କରୁଛନ୍ତି । ଏଥିଲାଗି ଖୁବଶୀଘ୍ର ଏକ ସିଭିଲ ଆଇନ ଆଣିବେ । ଏହା ଆସନ୍ତା ୨୦୨୦ ସୁଦ୍ଧା ଲାଗୁ ହେବ ବୋଲି ଚୀନର ଏକ ସମ୍ବାଦପତ୍ର କହିଛି । ୧୯୭୯ରେ ଚୀନରେ ଏକ ସନ୍ତାନ ନୀତି ଲାଗୁ ହୋଇଥିଲା, ୨୦୧୬ରେ ତାହାକୁ କୋହଳ କରାଯାଇ ଦୁଇ ସନ୍ତାନ କରାଗଲା । ଏବେ ତାହାକୁ ଉଠାଇଦେବାକୁ ସରକାର ଯୋଜନା କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତର ପ୍ରାୟ ୬୫ ପ୍ରତିଶତ ହୋଇଯାଇଥିବ ବୋଲି ଚୀନର ଜଣେ ବିଶେଷଜ୍ଞ କହିଛନ୍ତି । ଚୀନ ଯଦି ନିଜର ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଆହୁରି କୋହଳ ନ କରେ, ତେବେ ୨୦୫୦ ବେଳକୁ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ବେଶ ବଢିଯାଇଥିବ ବୋଲି ସେ ଚେତାବନୀ ଶୁଣାଇଛନ୍ତି । ଆମେରିକାର ଓ୍ଵିସକନସିନ ବିଶ୍ୱବିଦ୍ୟାଳୟର ପ୍ରଫେସର ଇ ଫୁକସିଆନ କହିଛନ୍ତି ଯେ ଚୀନ କିଛି ଦଶନ୍ଧୀ ପୂର୍ବେ ଗ୍ରହଣ କରିଥିବା ଏକ ସନ୍ତାନ ନୀତି ଫଳରେ ଏବେ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ବଢିଚାଲିଛି । ଯଦିଓ ଏହି ନୀତିକୁ ଟିକିଏ କୋହଳ କରାଯାଇଛି, ଏହାକୁ ଆହୁରି କୋହଳ କରିବାର ଆବଶ୍ୟକତା ରହିଛି ।